ଓଡିଶା

ବୀରମିତ୍ରପୁର ତହସିଲରୁ ମିଳୁନି ପଟ୍ଟା, ୨ ମାସ ହେଲା ଦୌଡୁଛନ୍ତି ବୃଦ୍ଧ

ରାଉରକେଲା: ବଦଳିଲା ସରକାର। ସରକାରୀ କାର୍ଯ୍ୟାଳୟର କିଛି ଅଧିକାରୀ ଓ କର୍ମଚାରୀଙ୍କ ସ୍ବଭାବ କିନ୍ତୁ ବଦଳିଲାନି। ଅର୍ଥ ଲୋଭରେ ଏମାନେ ଭୁଲିଯାଉଛନ୍ତି ମାନବିକତା। ଏମିତି ସ୍ଥିତି ଉପୁଜିଛି ବୀରମିତ୍ରପୁର ତହସିଲରେ। ଜମି ଦଲାଲଙ୍କ କାମ ଆଗେ ହେଉଛି। ସାଧାରଣ ଲୋକଙ୍କ କାମ ପଛରେ କରାଯାଉଛି। ମାସ ମାସ ଧରି ଏଭଳି ବେଆଇନ କାର୍ଯ୍ୟ ବୀରମିତ୍ରପୁର ତହସିଲରେ ଚାଲୁଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି।

ସେମାନଙ୍କ ମଧ୍ୟରେ ଜଣେ ହେଲେ ସୋରଡ଼ାର ନିରଞ୍ଜନ ସୁର (୭୫)। ପଟ୍ଟା ଖଣ୍ଡିଏ ପାଇଁ ପ୍ରାୟ ୨ ମାସ ଧରି ବୀରମିତ୍ରପୁର ତହସିଲକୁ ଦୌଡୁଛନ୍ତି। ହେଲେ ତାଙ୍କ ଫାଇଲ ଆଗକୁ ଘୁଞ୍ଚୁନି। ଦାୟିତ୍ବରେ ଥିବା କର୍ମଚାରୀ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି। ଶୁଣାଣି ତାରିଖ କରାଯାଉ ନଥିବାରୁ ବୃଦ୍ଧ ଜଣକ ପ୍ରଧାନମନ୍ତ୍ରୀ ଆବାସଟିଏ କରିପାରୁ ନାହାନ୍ତି।

ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ଯୋଗ୍ୟଥିଲେ ହେଁ ପଟ୍ଟ ନଥିବାରୁ ନୂଆଗାଁ ବ୍ଲକରୁ ବାତିଲ କରିଦେବାକୁ ତାଙ୍କୁ ନୋଟିସ୍ ଆସିଛି। ସେ ଗତ ୨୪ ବର୍ଷ ତଳେ ସୋରଡ଼ା ମୌଜାରେ ୬ ଡେସିମିଲ୍ ଜାଗା କରିଥିଲେ। ଜମିର କେବଳ ରେଜିଷ୍ଟ୍ରେସନ୍ କରିଛନ୍ତି। ଅର୍ଥ ଅଭାବରୁ ପଟ୍ଟା କରିପାରୁ ନଥିଲେ। ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡେ ମିଳିଥିବାରୁ କିଣିଥିବା ଜାଗାର ପଟ୍ଟା ପାଇଁ ଧାରଉଦ୍ଧାର କରି ଅର୍ଥ ଯୋଗାଡ଼ କରିଛନ୍ତି। ପଟ୍ଟା ପାଇଁ ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲ ଉଭୟ ପକ୍ଷଙ୍କୁ ନୋଟିସ୍ କରି ଶୁଣାଣି କରିବା କଥା। କିନ୍ତୁ ଆଜିକୁ ୨ ମାସ ହେଲା ଦାୟିତ୍ବରେ ଥିବା କର୍ମଚାରୀ ଶୁଣାଣି ପାଇଁ ନୋଟିସ୍ କରୁନାହାନ୍ତି। ବିଭିନ୍ନ ଆଳ ଦେଖାଇ ମାସମାସ ଗଡ଼ାଇ ଚାଲିଛନ୍ତି। କାମ ନହେବାରୁ ବୃଦ୍ଧ ଜଣକ ତହସିଲଦାରଙ୍କୁ ସାକ୍ଷାତ ପାଇଁ ବିଭାଗୀୟ କିରାଣିଙ୍କୁ ଅନୁରୋଧ କରିଥିଲେ। କିରାଣି ଜଣକ ତହସିଲଦାର ଅନ୍ୟକାମରେ ବ୍ୟସ୍ତ ଅଛନ୍ତି କହି ବୃଦ୍ଧଙ୍କୁ ଫେରାଇ ଦେଇଥିଲେ। ଥରେ କି ଦୁଇଥର ନୁହେଁ ଅନେକବାର କିରାଣି ଜଣକ ବିଭିନ୍ନ ଆଳ ଦେଖାଇ ତହସିଲ କାର୍ଯ୍ୟାଳୟରୁ ଫେରାଇ ଦେଉଥିବା ବୃଦ୍ଧ ନିରଞ୍ଜନ ଅଭିଯୋଗ କରିଛନ୍ତି।

ତହସିଲ କାର୍ଯ୍ୟାଳୟର ବିଭାଗୀୟ କିରାଣିଙ୍କ ଏଭଳି କାର୍ଯ୍ୟ ବିରୋଧରେ ତହସିଲଦାର ଗୌରୀ ନାୟକଙ୍କୁ ପଚିବାରୁ ସେ କହିଛନ୍ତି, ଏମିତି ହେବା କଥା ନୁହେଁ। ଯଦି କୌଣସି କିରାଣି ଓ କର୍ମଚାରୀ ଅର୍ଥ ମାଗୁଛନ୍ତି ତାଙ୍କୁ ସାକ୍ଷାତ କରି ଅଭିଯୋଗ କରନ୍ତୁ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ବୃଦ୍ଧଙ୍କୁ କାହିଁକି ଏମିତି ମାସ ମାସ ଧରି ଦୌଡାଯାଉଛି, ତା’ର ତଦନ୍ତ କରାଯିବ। ଯେଉଁମାନେ ଏଥିପାଇଁ ଦାୟୀ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button