ଦେଶ ବିଦେଶ

ଆମେରିକା-ତାଇୱାନ ୨ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି: ଚୀନ୍‌ ପ୍ରତି ବିପଦ ଘନେଇଲା

ତାଇପେଇ: ତାଇୱାନକୁ ୨ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରୟ ସହିତ ନାସାମସ୍ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯୋଗାଣକୁ ଆମେରିକା ଅନୁମୋଦନ କରିଛି। ଆମେରିକାର ଏହି ପଦକ୍ଷେପକୁ ନେଇ ଚୀନ୍ ଅସନ୍ତୁଷ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ଚୀନ୍ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ମଧ୍ୟ କୁହାଯାଉଛି।

ନାସାମସ୍ର ସମ୍ପୂର୍ଣ୍ଣ ନାମ ହେଉଛି ନ୍ୟାସନାଲ୍ ଆଡଭାନ୍ସଡ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମ୍। ଏହା ପ୍ରତିରକ୍ଷା ପ୍ରଣାଳୀ ୟୁକ୍ରେନରେ ରୁଷିଆ ବିରୁଦ୍ଧରେ ବିପୁଳ ଶକ୍ତି ପ୍ରଦର୍ଶନ କରିଥିଲା।

ତାଇୱାନର ନୂତନ ରାଷ୍ଟ୍ରପତି ଲାଇ ଚିଙ୍ଗ-ତେଙ୍ଗଙ୍କ ନେତୃତ୍ୱରେ ତାଇୱାନ ଏହାର ପ୍ରତିରକ୍ଷା ଶକ୍ତି ବଢ଼ାଉଛି। କାରଣ ଚୀନ୍ ଏହା ବିରୁଦ୍ଧରେ ସାମରିକ ଦକ୍ଷତା ବୃଦ୍ଧି କରୁଛି। ତାଇୱାନ ନିଜର ଅଂଶବିଶେଷ ବୋଲି ଚୀନ୍ ଦାବି କରୁଛି। ଗତ ସପ୍ତାହରେ ବେଜିଂ ତାଇୱାନ ଉପକୂଳରେ ଦ୍ୱିତୀୟ ଥର ପାଇଁ ସାମରିକ ଅଭ୍ୟାସ କରିଥିଲା। ଲାଇ ମେ’ ମାସରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଚୀନ୍ ତାଙ୍କୁ ଚେତାବନୀ ଦେବା ପାଇଁ ଏଭଳି କରିଥିବା କୁହାଯାଉଛି।

ତାଇୱାନର ରାଷ୍ଟ୍ରପତିଙ୍କ ମୁଖପାତ୍ର କରିନା କୁଓ କହିଛନ୍ତି ଯେ ତାଇୱାନର ଆତ୍ମରକ୍ଷା କ୍ଷମତାକୁ ମଜବୁତ କରିବା ସହିତ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ପାଇଁ ଏକ ମୂଳଦୁଆ ଅଟେ। ଆମେରିକାର ବୈଦେଶିକ ବିଭାଗର ରାଜନୈତିକ-ସାମରିକ ବ୍ୟାପାର ଅନୁଯାୟୀ, ସମ୍ଭାବ୍ୟ ଅସ୍ତ୍ରଶସ୍ତ୍ର ବିକ୍ରୟ ଚୁକ୍ତିରେ ତିନୋଟି ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଆନୁଷଙ୍ଗିକ ଉପକରଣ ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ ୧.୧୬ ବିଲିୟନ ଡ଼ଲାର ଅଟେ। ଏହି ଚୁକ୍ତିରେ ଆନୁମାନିକ ୮.୨୮ ମିଲିୟନ ଡ଼ଲାର ମୂଲ୍ୟର ରାଡାର ସିଷ୍ଟମ ମଧ୍ୟ ଅନ୍ତର୍ଭୁକ୍ତ।

ଆମେରିକାର ସରକାରୀ ସୂତ୍ର କହିଛି ଯେ ତାଇୱାନ ପାଇଁ ନାସାମସ୍ ଏକ ନୂତନ ଅସ୍ତ୍ର। ବର୍ତ୍ତମାନ କେବଳ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଏହାକୁ ବ୍ୟବହାର କରୁଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘୋଷଣାକୁ ସ୍ୱାଗତ କରିବା ସହ ୟୁକ୍ରେନରେ ନାସାମସ୍ର ପ୍ରମାଣିତ ବ୍ୟବହାରକୁ ଉଲ୍ଲେଖ କରି ଚୀନ୍ର ବାରମ୍ବାର ସାମରିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହା ତାଇୱାନର ବାୟୁ ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧିରେ ସାହାଯ୍ୟ କରିବ ବୋଲି କହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button