ଦେଶ ବିଦେଶ

ଜିଏସ୍‌ଟି, ସୀମା ଶୁଳ୍କ ଆଇନ: ବିଶ୍ବାସ‌େଯାଗ୍ୟ ପ୍ରମାଣ ନଥିଲେ ଗିରଫଦାରୀକୁ ସୁପ୍ରିମ୍‌କୋର୍ଟଙ୍କ ନ‌ା

ନୂଆଦିଲ୍ଲୀ: କେନ୍ଦ୍ରୀୟ ଜିଏସ୍‌ଟି ଓ ସୀମା ଶୁଳ୍କ ନିୟମ ଅଧୀନରେ ହେଉଥିବା ଗିରଫଦାରୀରୁ ଲୋକମାନଙ୍କୁ ସୁପ୍ରିମକୋର୍ଟ ଆବଶ୍ୟକ ସୁରକ୍ଷା ଦେଇଛନ୍ତି। କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ବିଶ୍ବାସ ହେବା ଭଳି କାରଣ ଦର୍ଶାଇବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ନେତୃତ୍ବରେ ଜଷ୍ଟିସ୍‌ ଏମ୍ ଏମ୍‌ ସୁଦ୍ରେଶ ଓ ‌ବେଲା ଏମ୍ ତ୍ରିବେଦୀଙ୍କୁ ନେଇ ଗଠିତ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ କୌଣସି ଏତଲା ରୁଜୁ ହୋଇନଥିଲେ ମଧ୍ୟ ଯେକୌଣସି ବ୍ୟକ୍ତି ଆଗୁଆ ଜାମିନ ପାଇବାକୁ ଆବେଦନ କରିପାରିବେ। ଜିଏସ୍‌ଟି ଫ୍ରେମ୍‌ୱର୍କ ଅଧୀନରେ ଖାନତଲାସୀ ଓ ଚଢ଼ଉ ବେଳେ ‘ଧମକାଇବା ଓ ବଳ ପ୍ରୟୋଗ’ କରିବାକୁ କୋର୍ଟ ଅଧିକାରୀମାନଙ୍କୁ ବାରଣ କରିଛନ୍ତି।

ଆଗୁଆ ଜାମିନ ଆବେଦନ କରିହେବ
ଧମକାଇବା, ବଳ ପ୍ରୟୋଗକୁ ବାରଣ

ସେଭଳି କାମ କରୁଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି। ଖଣ୍ଡପୀଠ ସୀମା ଶୁଳ୍କ ଅଧିକାରୀଙ୍କୁ ମନେ ପକାଇଦେଇଛନ୍ତି ଯେ ସେମାନେ ପୁଲିସ ନୁହନ୍ତି, ତେଣୁ ସେମାନେ ପୁଲିସ ଭଳି କ୍ଷମତା ପ୍ରୟୋଗ କରିପାରିବେ ନାହିଁ। ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ରାୟ କେବଳ ଜିଏସ୍‌ଟି ଓ ସୀମା ଶୁଳ୍କ ନିୟମ ଅଧୀନରେ ହେଉଥିବା ଗିରଫଦାରୀ ପାଇଁ ଲାଗୁ ହେବ। ପିଏମ୍‌ଏଲ୍‌ଏ ଭଳି ମାମଲାରେ ତାହା ଲାଗୁ ହେବନାହିଁ। ଏହି ମାମଲାରେ କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଥିଲେ ଯେ ଅଧିକାରୀମାନେ ଅଧିକ ସନ୍ଦେହଜନକ ମାମଲାରେ ଗିରଫ କରୁଛନ୍ତି। କିନ୍ତୁ ସେହି ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।

ଜିଏସ୍‌ଟି ଓ ସୀମା ଶୁଳ୍କ ଅଧୀନରେ ହେଉଥିବା ଗିରଫଦାରୀକୁ ବିରୋଧ କରି ଆବେଦନ କରାଯାଇଥିବା ମାମଲାଗୁଡ଼ିକର ଶୁଣାଣି ସୁପ୍ରିମ୍‌କୋର୍ଟରେ ହୋଇଥିଲା। ଏହି ଗିରଫଦାରୀ ସମ୍ବିଧାନର ଧାରା ୨୦(୩)ରେ ଦିଆଯାଇଥିବା ସୁରକ୍ଷାର ଉଲ୍ଲଂଘନ କରୁଥିବା ଆବେଦନକାରୀ କହିଥିଲେ। ସୀମା ଶୁଳ୍କ ଅଧୀନରେ ଥିବା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଥିଲେ। ପୂର୍ବରୁ ଏକ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ନିୟାମକ ମାନ୍ୟତାର ଅର୍ଥ ନୁ‌ହେଁ ସେମାନଙ୍କ ଅଧିକାରୀ ପୁଲିସ ଭଳି କ୍ଷମତା ପ୍ରୟୋଗ କରିପାରିବେ। ସୁପ୍ରିମକୋର୍ଟଙ୍କ ଏହି ରାୟ ଜିଏସ୍‌ଟି ଓ ସୀମା ଶୁଳ୍କ ନିୟମ ଅଧୀନରେ ହେଉଥିବା ଉଦ୍ଦେଶ୍ୟମୂଳକ ଓ ବଳପୂର୍ବକ ଗିରଫଦାରୀକୁ ରୋକିବ ବୋଲି ଆଶା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button