ମା’ ବିରଜାଙ୍କ ପୀଠରେ ଆଜି ମହାସପ୍ତମୀ, ଦୁର୍ଗା ବେଶରେ ପୂଜା ପାଉଛନ୍ତି ମା’ ବିରଜା

ଚାଲିଛି ଜଗତଜନନୀ ମା’ ଙ୍କ ଆରାଧନା । ଜଗତଜନନୀ ମା’ଙ୍କ ପୂଜା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ ଚଳଚଞ୍ଚଳ । ଏନେଇ ମନ୍ଦିରକୁ ବଧୁବେଶରେ ସଜାଇଦିଆଯାଇଛି । ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ଆଜି ମା’ଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ମନ୍ଦୀର ପରିସରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା ।
ପ୍ରତିବର୍ଷ ଏହି ନବରାତ୍ରରେ ମା’ଙ୍କ ପାଦ ସ୍ପର୍ଶ ଏବଂ ସିଂହାସନରେ ମୁଖଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବିଶେଷ ଆଗ୍ରହ ରହିଥାଏ । ସାରା ଦେଶରେ ରହିଥିବା ୫୧ଟି ଶକ୍ତିପୀଠ ମଧ୍ୟରୁ ଯାଜପୁରର ବିରଜା ଶକ୍ତୀପୀଠରେ ରହିଛି ସ୍ୱତନ୍ତ୍ର ପରମ୍ପରା । ଏଠାରେ ମା’ ବିରଜା ଏକମାତ୍ର ଦ୍ୱିଭୂଜା ଦେବୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରରେ ମା’ଙ୍କୁ ପବିତ୍ର ବୈତରଣୀ ନଦୀର ଜଳରେ ସ୍ନାନ କରାଯାଇଥାଏ ।
ସକାଳୁ ମାଙ୍କ ପାଦ ସ୍ପର୍ଶ ଏବଂ ମୁଖଦର୍ଶନ ପରେ ମାଙ୍କୁ ଷୋଷଶ ଉପଚାରରେ ପୂଜାର୍ଚ୍ଚନା କରାଯାଏ । ଅପରାହ୍ନରେ ମା’ଙ୍କ ରଥଯାତ୍ରା ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ବିରଜା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ମେଳାର ଆୟୋଜନ କରାଯାଇଛି ।
ଚଳିତ ରଥଯାତ୍ରା, ମେଳା ଓ ମା’ଙ୍କ ଦର୍ଶନ ଶାନ୍ତିଶୃଙ୍ଖଳା ଭାବେ ସମାପନ କରିବା ପାଇଁ ମନ୍ଦୀର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ମା’ ବିରଜାଙ୍କ ପୀଠରେ ମାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି ।


