ଓଡିଶା

୧୫ କିଲୋମିଟର ପାହାଡ଼ ଚଢିଲେ ମିଳେ ଚାଉଳ, ସଂଘର୍ଷ କରୁଛନ୍ତି ଗରିବ ହିତାଧିକାରୀ

ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳ ପାଇଁ ହିତାଧିକାରୀମାନେ କରୁଛନ୍ତି ସଂଘର୍ଷ । ମାଗଣା ଚାଉଳ ପାଇଁ ପାହାଡ଼ିଆ ରାସ୍ତାରେ ଚାଲିବାକୁ ପଡୁଛି ଏମାନଙ୍କୁ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତର ଉପାନ୍ତ ଗାଁ ମୁଣ୍ଡତୋପାର ହିତାଧିକାରୀମାନେ ୧୫ କିଲୋମିଟର ପାହାଡ଼ ରାସ୍ତାରେ ଓହ୍ଲାଇ ପଞ୍ଚାୟତ କାର୍ଯ୍ୟାଳରେ ପହଂଚିଥାନ୍ତି । ଆଉ ଚାଉଳ ଧରି ୧୫ କିଲୋମିଟର ପାହାଡ଼ ଚଢି ଗାଁକୁ ଫେରିଥାନ୍ତି । ମାଗଣା ଚାଉଳ ପାଇଁ ଗରିବ ହିତାଧିକାରୀ ପ୍ରତ୍ୟେକ ମାସରେ ପାହାଡ଼ ଚଢା ସଂଘର୍ଷ କରନ୍ତି  ।

ମହିଳା କିମ୍ବା ପୁରୁଷ ସମସ୍ତେ ଚାଉଳ ମୁଠେ ପାଇଁ ୧୫ କିଲୋମିଟର ପାହାଡ଼ ଚଢ଼ନ୍ତି । ମୁଣ୍ଡତୋପା ଗାଁକୁ ବାଂଶପାଳ ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ହୋଇଛି । କିନ୍ତୁ ପଞ୍ଚାୟତକୁ ସିଧା ସଳଖ ସଂଯୋଗ ପାଇଁ କୌଣସି ରାସ୍ତା ନାହିଁ । ତେଣୁ ପାହାଡ଼ ଚଢି ଚାଉଳ ମୁଠାକ ନଆଣିଲେ ଚୁଲ୍ଲୀ ଜଳେ ନାହିଁ । ବେଳେ ବେଳେ ଅଟୋ କିମ୍ବା ଅନ୍ୟ ଗାଡି ଭଡା କରି ମୁଣ୍ଡତୋପାର ହିତାଧିକାରୀମାନେ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି । ସେଥିପାଇଁ ପ୍ରାୟ ୨୫ କିଲୋମିଟର ରାସ୍ତା ଗାଡ଼ିରେ ଯିବାକୁ ପଡେ। ଫଳରେ ଭଡା ବାବଦକୁ ଚାଉଳ କିଲୋ ପିଛା ୨୦ ରୁ ୨୫ ଟଙ୍କା ଦେବାକୁ ପଡିଥାଏ ।  ଯେଉଁ ପରିବାରକୁ ଅଧିକ ଚାଉଳ ମିଳେ ତାଙ୍କର ୩ରୁ ୪ ଜଣ କାମ ଧନ୍ଦା ଛାଡ଼ି ପଞ୍ଚାୟତକୁ ଆସନ୍ତି ଆଉ ଅଳ୍ପ ଅଳ୍ପ ଚାଉଳ ମୁଣ୍ଡାଇ ପାହାଡ଼ ଚଢି ଗାଁକୁ ଫେରନ୍ତି । ସକାଳୁ ଗାଁରୁ ବାହାରିଲେ ଚାଉଳ ଧରି ସଞ୍ଜକୁ ଫେରନ୍ତି ଗାଁ ଲୋକେ ।

ପଞ୍ଚାୟତରେ ଏପରି ୭ ଟି ଗାଁ ଓ ପଡା ରହିଛି ଯାହା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୫ ରୁ ୨୦ କିଲୋମିଟର ଦୂରରେ ରହିଛି ।  ମୁଣ୍ଡତୋପା ବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ସିଧା ସଳଖ ରାସ୍ତା ପାଇଁ ପୂର୍ବରୁ ଦାବି କରିଛନ୍ତି କିନ୍ତୁ ୧୫ କିଲୋମିଟର ପାହାଡ଼ରେ ରାସ୍ତା ନିର୍ମାଣ କରିବା ପଞ୍ଚାୟତ ପକ୍ଷରୁ ସମ୍ଭବ ନୁହେଁ ବୋଲି କୁହାଯାଇଛି । ଅନ୍ୟପଟେ ସ୍ଥାନୀୟ ସରପଞ୍ଚ ସରକାରଙ୍କ ନିଷ୍ପତିକୁ ଅପେକ୍ଷା ରଖିଥିବା ମତ ରଖିଛନ୍ତି ।

ଉପାନ୍ତ ଅଞ୍ଚଳର ଲୋକଙ୍କ ପାଖକୁ ଚାଉଳ ପହଞ୍ଚାଇବାର ବ୍ୟବସ୍ଥା କରାଗଲେ ଏ ସମସ୍ୟା ରୁହନ୍ତା ନାହିଁ ବୋଲି ହିତାଧିକାରୀ ଦାବି କରିଛନ୍ତି । ତେବେ ଦେଖାଯାଉ ମୁଣ୍ଡତୋପା ଗାଁ ଲୋକଙ୍କ ସମସ୍ୟା କେବେ ଦୂର ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button