କ୍ରାଇମ

ଅଳଙ୍କାର ଦୋକାନ ମାଲିକଙ୍କୁ ଆକ୍ରମଣ: ୩୬ ଘଣ୍ଟା ପରେ ବି ପୁଲିସର ହାତ ଖାଲି – Utkal Mail


ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ମଙ୍ଗଳବାର ଦିନ ୧୦ଟା ବେଳେ ଜନଗହଳିପୂର୍ଣ୍ଣ ନେହରୁ ଛକ ପାଟଖଣ୍ଡା ଅଳଙ୍କାର ଦୋକାନ ମାଲିକ ସୁବାସ ଆଚାରୀଙ୍କୁ ତିନିଜଣ ମୁଖାଧାରୀ ଲୁଟେରା ଗୁଳି କରିବା ସହ ଭୂଜାଲିରେ ହାଣି ସୁନାଗହଣା ଭର୍ତ୍ତି ବ୍ୟାଗ‌୍ ଲୁଟି ନେଇଥିଲେ। ଏହି ଘଟଣାକୁ ୩୬ ଘଣ୍ଟା ବିତିଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ। ସେପଟେ କନ୍ଧମାଳ ଏସ୍‌.ପିଙ୍କ ନିର୍ଦ୍ଦେଶରେ ଚାରି ଥାନା ପୁଲିସକୁ ନେଇ ପାଞ୍ଚଟି ଟିମ୍‌ ଓ ଚାରି ପ୍ଲାଟୁନ୍‌ ଫୋର୍ସ ସାରଙ୍ଗଗଡ଼ ଅଞ୍ଚଳରେ ମଙ୍ଗଳବାର ଠାରୁ ଅପରେସନ୍‌ ଜାରି ରଖିଛନ୍ତି। ୩ ଦୁର୍ବୃତ୍ତ ସେହି ଇଲାକାରେ ହିଁ ଥିବା ସୁରାକ୍‌ ମିଳିବା ପରେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉକୁ ଜାର୍‌ଦାର କରାଯାଇଛି। ଦୁର୍ବୃତ୍ତମାନେ ଗତକାଲି ରାଇକିଆ ନିକଟ ଏକ ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ପୁଲିସ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ କରାଯାଇଥିଲା। ହେଲେ ସେଠାରୁ କୌଣସି ସନ୍ଧାନ ମିଳିନଥିଲା। ତେବେ ଆଜି ବିଶେଷ ସୂତ୍ରରୁ ଖବର ପାଇ ଦୁର୍ବୃତ୍ତମାନେ ସାରଙ୍ଗଗଡ଼ ଅଞ୍ଚଳରେ ଲୁଚିଥିବା ଜାଣି ପୁଲିସ ସେଠାରେ ଚଢ଼ଉ ଜାରି ରଖିଛି।

ଅନ୍ୟପଟେ ବାଲିଗୁଡ଼ା ସହରରେ ପୁଲିସ ଲଗାଇଥିବା କୌଣସି ସିସି କ୍ୟାମେରା କାମ ନ କରିବା ଏବଂ ପୁଲିସ ଦୁର୍ବୃତ୍ତଙ୍କ ସଂପର୍କରେ ସାମାନ୍ୟ ସୂଚନା ନ ପାଇବା ସହରରେ ଆଇନଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠିଛି। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଗତକାଲି ପୁଲିସ ପକ୍ଷରୁ ଆନ୍ଦୋଳନରତ ବ୍ୟବସାୟୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏନେଇ ଥାନାଧିକାରୀ ବାବାଶଙ୍କର ସରାଫଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାକୁ ପୁଲିସ ପକ୍ଷରୁ ଗୁରୁତର ସହ ନିଆଯାଇଛି। ବାଲିଗୁଡ଼ାରୁ ୩ ପ୍ଲାଟୁନ ଫୋର୍ସ ଓ ରାଇକିଆରୁ ଗୋଟିଏ ପ୍ଲାଟୁନ ଆଇଆର୍‌ବି ଯବାନ ସାରଙ୍ଗଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଅନ୍ୟପଟେ ବ୍ୟବସାୟୀ ଶ୍ରୀ ଆଚାରୀ ଗୁରୁତର ଭାବେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button