ନିଯୁକ୍ତିରେ ପ୍ରତିବନ୍ଧକ ଚିତାକୁଟା ମୁହଁ – Utkal Mail
ଏପରି ଅନେକ କର୍ମକ୍ଷେତ୍ର ରହିଛି ଯେଉଁଠି ଚିତାକୁଟା କର୍ମଚାରୀମାନେ ଶୃଙ୍ଖଳିତ ଭାବେ କାମ କରିପାରିବେ ନାହିଁ ବୋଲି ବିବେଚନା କରାଯାଏ। କିଛି ଦିନ ତଳେ ନ୍ୟୁଜିଲାଣ୍ଡର ଓରିନି କାଇପାରା ନାମକ ଖବର ଉପସ୍ଥାପିକା ନିଜର ମାଓରି ଟାଟୁ ଦେଖାଇ ଖବର ପଢୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ତେବେ ସମସ୍ତଙ୍କ ପାଇଁ ସେଭଳି ଟାଟୁ ଅନୁକୂଳ ନୁହେଁ। କାରଣ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଫ୍ଲୋରିଡାର ଟେଲର ହ୍ବାଇଟ୍ ନାମ୍ନୀ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ତାଙ୍କ ମୁହଁରେ ଥିବା ଟାଟୁ ପାଇଁ ବାରମ୍ବାର ବିଭିନ୍ନ ଚାକିରିରୁ ପ୍ରତ୍ୟାଖ୍ୟାନ କରାଯାଇଛି। ହ୍ବାଇଟ୍ ଏବେ ଜଣେ ମାନସିକ ସ୍ବାସ୍ଥ୍ୟ ପରାମର୍ଶଦାତା ଭାବେ କାମ କରୁଛନ୍ତି। ତେବେ ତାଙ୍କ ସଂପୂର୍ଣ୍ଣ ମୁହଁରେ ଥିବା ଟାଟୁ ନିଯୁକ୍ତି ପାଇବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ସେ ସ୍ବୀକାର କରିଛନ୍ତି।
ସେ ଏହି ଟାଟୁ ନିଜ ଇଚ୍ଛାରେ କରାଇ ନ ଥିଲେ। ତାଙ୍କର ୨୧ତମ ଜନ୍ମଦିନରେ ତାଙ୍କ ନିର୍ଦ୍ଦୟ ପ୍ରେମିକ ଦାଉ ସାଧିବା ପାଇଁ ଏକ ଚାଲ୍ ଖେଳିଥିଲା। ସେ ତାଙ୍କୁ ଏକ ମଦ୍ୟଶାଳାକୁ ନେଇ ନିଶା ସେବନ କରାଇଥିଲା। ଚେତା ଫେରିବା ପରେ ହ୍ବାଇଟ୍ ତାଙ୍କ ମୁହଁ ସାରା ଚିତା କୁଟାଯାଇ କୁତ୍ସିତ କରାଯାଇଥିବା ଜାଣିଥିଲେ। ଯେତେ ଚେଷ୍ଟା କରି ବି ସେ ତାହାକୁ ଲିଭାଇ ପାରିନଥିଲେ ଏବଂ ପରିଣତି ସ୍ବରୂପ ସେ ତାଙ୍କ ଚାକିରି ହରାଇ ବସିଥିଲେ। ତାଙ୍କ ପାଇଁ ସଦ୍ୟ ସୁଖବର ହେଲା, ଦୀର୍ଘ ଦେଢ଼ ଦଶନ୍ଧି ପରେ ସାମାଜିକ ଗଣମାଧ୍ୟମରୁ ତାଙ୍କର ଦୁଃଖ କାହାଣୀ ଜାଣି ଜଣେ ଅପରିଚିତ ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ନିଜେ ଖର୍ଚ୍ଚ ବହନ କରି ହ୍ବାଇଟ୍ଙ୍କୁ ଏକ ଅତ୍ୟାଧୁନିକ କ୍ଲିନିକ୍କୁ ନେଇ ତାଙ୍କ ମୁହଁର ଦାଗସବୁ ଲିଭାଇବା ଆରମ୍ଭ କରିଛନ୍ତି। ଦାଗଗୁଡ଼ିକ ସଂପୂର୍ଣ୍ଣ ଲିଭାଇବା ପାଇଁ ୨ ବର୍ଷ ଲାଗିବ ବୋଲି ଜଣାପଡ଼ିଛି।