ଓଡିଶା

ଛତୁଆର ମାନ ଓ ଦୁର୍ନୀତିକୁ ନେଇ କମ୍ପିଲା ବିଧାନସଭା

ଛତୁଆର ମାନ ଓ ଯୋଗାଣକାରୀ ଏଜେଣ୍ଟଙ୍କ ଦୁର୍ନୀତିକୁ ନେଇ ହୁଲସ୍ତୁଲ ବିଧାନସଭା। ଶିଶୁଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ଛତୁର ମାନ ଏତେ ଖରାପ ହେଲାଣି ଯେ, ଗାଈ ବି ମୁହଁ ମୋଡ଼ିଲେଣି ବୋଲି ଦଳମତ ନିର୍ବିଶେଷରେ ସଭ୍ୟ ଉଦବେଗ ପ୍ରକାଶ କରିଥିଲେ। ଛତୁଆ ମିଶ୍ରଣରୁ ନେଇ ବିତରଣ ଯାଏ, ସବୁଠି ନିମ୍ନମାନର ଓ ଦୁର୍ନୀତିର ଗନ୍ଧ ବାରିଛନ୍ତି ସଭ୍ୟମାନେ। ବାଚସ୍ପତି ବି ଗୃହର ଉଦବେଗକୁ ଦେଖି ମାନ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ନେଇ ରୁଲିଂ ଦେବା ପରେ ଉପ-ମୁଖ୍ୟମନ୍ତ୍ରୀ କହିଥିଲେ, ଏ ସମ୍ପର୍କରେ ଗୃହରେ ସେ ରିପୋର୍ଟ ଥୋଇବେ।

ଛତୁଆର ମାନକୁ ନେଇ କମ୍ପିଥିଲା ବିଧାନସଭା। ଏସଏଚଜି ଗ୍ରୁପ୍‌ ଛତୁଆ ପ୍ରସ୍ତୁତି ଓ ବାଣ୍ଟିବା ଦାୟିତ୍ୱ ନେବା ପରଠୁ ଏହା ଆଉ ଖାଇବା ଉପଯୋଗୀ ରହିନି। ସ୍ଥିତି ଏମିତି ହେଲାଣି ଯେ, ଗାଈ ବି ମୁହଁ ମୋଡ଼ିଲାଣି। କୁକୁଡ଼ା, ଘୁଷୁରୀ ଚାଷୀ ଏହାକୁ କିଣି ନେଉଛନ୍ତି। ଫଳରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ନାଁରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଆସୁଥିବା ଛତୁଆ ବଦଳରେ ଅଲଗା ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା କରନ୍ତୁ ସରକାର। ଆଉ କିଏ କହିଥିଲେ, ଯେଉଁ ଏଜେନ୍ସିମାନଙ୍କୁ ଦାୟିତ୍ୱ ଦିଆଯାଇଛି, ସେମାନେ ଲାଇଫଟାଇମ୍ ପାଇଁ ଏହାର ମେମ୍ୱର ହୋଇଗଲେ କି। ଯାଞ୍ଚ ହେଉ। ଆକ୍ସନ ବି ହେବା ଦରକାର। ଅଭିଯୋଗ କଲେ ସୁଫଳ ମିଳୁନି। ସିଡିପିଓ, ସୁପରଭାଇଜର ଓ ଏଜେଣ୍ଟ ସମସ୍ତଙ୍କ ମିଲିଭଗତରେ ଚାଲିଛି ଏହି ଦୁର୍ନୀତି। ନିମ୍ନମାନର ଛତୁଆକୁ ସେଥିଲାଗି ପାସ୍ କରାଇ ଦିଆଯାଉଛି। ଦୁର୍ନୀତିର ଗନ୍ତାଘର ପାଲଟିଛି ସଂସ୍ଥା। ଛତୁଆବାଲା କୋଟିପତି ହୋଇଗଲେଣି। ସେଥିଲାଗି ସବୁ ପୁରୁଣା ଏଜେନ୍ସିକୁ କାଟନ୍ତୁ, ନୂଆଙ୍କୁ ଦାୟିତ୍ୱ ଦିଅନ୍ତୁ। ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଥିଲେ, ତାଙ୍କର ଏଭଳି ସୁନ୍ଦର ଓ ନିରୋଗ ସ୍ୱାସ୍ଥ୍ୟ ପଛର ମୂଳ ଆଧାର ହେଲା, ସେ ନିୟମିତ ଘର ତିଆରି ଛତୁଆ ଖାଆନ୍ତି।

ସେପଟେ ଗୃହର ଉଦବେଗ ଦେଖି ବାଚସ୍ପତି ବି ରୁଲିଂ ଦେଇଥିଲେ। ଗଲା ୫ ବର୍ଷରେ କେତେ ଛତୁଆ ଏଜେନ୍ସି ଉପରେ ଯାଞ୍ଚ ହୋଇଛି ଓ ଆକ୍ସନ ହୋଇଛି। ସେ ସମ୍ପର୍କରେ ଗୃହକୁ ମନ୍ତ୍ରୀ ଜଣାଇବେ। ଆଉ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୃହକୁ ଆଶ୍ୱସ୍ତ କରିଥିଲେ କି, ଛତୁଆର ମାନ ଯାଞ୍ଚ ହେବ। ସେ ଗୃହରେ ବିସ୍ତୃତ ରିପୋର୍ଟ ରଖିବେ। ମାନକୁ ନେଇ କୌଣସି ସାଲିସ୍ ହେବନି। ଯିଏ ବି ଛତୁଆ ପ୍ରସ୍ତୁତି ଓ ଯୋଗାଣରେ ଦୁର୍ନୀତି କରିଥିବ, କଡ଼ା ଆକ୍ସନ ନେବେ ସରକାର।

ଛତୁଆକୁ ନେଇ ଦଳମତ ନିର୍ବିଶେଷରେ ଉଦବେଗ ଦେଖିବାକୁ ମିଳିଥିଲା ଗୃହରେ। ନମୂନା ସଂଗ୍ରହ କରି ଯାଞ୍ଚ ହେବ। ଛତୁଆ ପ୍ରୋସେସିଂ ୟୁନିଟରେ ସଠିକ୍ ତଦାରଖ ହେଉଛି କି ନାହିଁ, ତାକୁ ଅନୁଧ୍ୟାନ ହେବ। ଅତର୍କିତ ଚଢ଼ାଉ କରି ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କଠୁ ନେଇ ଏଜେନ୍ସିଙ୍କ ଯାଏ, କେହି ନିସ୍ତାର ପାଇବେନି ବୋଲି ଗୃହରେ କଥା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button