୪୧କୋଟି ସଞ୍ଚୟ କରି ୩୫ବର୍ଷ ବୟସରେ କାମ ଛାଡ଼ିବେ ଗୁଗୁଲ ଇଞ୍ଜିନିୟର – Utkal Mail
ନୂଆଦିଲ୍ଲୀ: ପୂର୍ବରୁ ଲୋକେ ସାରା ଜୀବନ ଟଙ୍କା ସଞ୍ଚୟ କରି ୬୦ବର୍ଷ ବୟସରେ ଅବସର ନେଉଥିଲେ ଓ ସଞ୍ଚିଥିବା ଟଙ୍କାକୁ ନିଜ ପିଲା ଛୁଆଙ୍କ ପିଛା ବା ଘର ତିଆରି କରିବା ପିଛାରେ ଖର୍ଚ୍ଚ କରୁଥିଲେ। ହେଲେ ଆଜିକାଲି ପିଲାମାନେ କମ ବୟସରୁ ଅଧିକ ଟଙ୍କା ଆୟ କରି ଶୀଘ୍ର ଅବସର ନେବାକୁ ଚିନ୍ତା କରୁଛନ୍ତି। ନିଜ ଟଙ୍କାକୁ ବିଭିନ୍ନ ସ୍ଥାନରେ ବିନିଯୋଗ କରି ସେଥିରୁ ମିଳୁଥିବା ଲାଭରୁ ଜୀବନକୁ ଉପଭୋଗ କରିବାକୁ ଚେଷ୍ଟା କରୁଛନ୍ତି।
ଗୁଗଲର ଜଣେ ସପ୍ଟୱେର ଇଞ୍ଜିନିୟର ମଧ୍ୟ ସେଭଳି କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ୨୨ବର୍ଷୀୟ ଇଥାନ୍ ନଗୁନଲି ଏବେ ଗୁଗଲରେ ସପ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ବେଳେ ୩୫ବର୍ଷ ବୟସରେ ଅବସର ନେବାକୁ ଚିନ୍ତା କରୁଥିବା ଜଣାଯାଇଛି। ୩୫ବର୍ଷ ବୟସ ଭିତରେ ସେ ପ୍ରାୟ ୪୧କୋଟି ଟଙ୍କା ସଞ୍ଚୟ କରି ଏଭଳି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
କାଲିଫର୍ଣ୍ଣିଆରେ ରହୁଥିବା ଇଥାନ କହିଛନ୍ତି ଯେ, “ମୋ ମାତାପିତା ମୋତେ ଟଙ୍କା କେବଳ ସଞ୍ଚୟ ନକରି ବିନିଯୋଗ କରିବାର ଗୁରୁତ୍ବ ବିଷୟରେ ବୁଝାଇଥିଲେ। ଏହା ପରେ ମୁଁ ଟଙ୍କା ସଞ୍ଚ କରିବା ପରିବର୍ତ୍ତେ ଷ୍ଟକ ମାର୍କେଟରେ ବିନିଯୋଗ କରିବା ଆରମ୍ଭ କରିଥିଲି। ପୂର୍ବରୁ ମୁଁ ଭାବୁଥିଲି ଯେ, ମାସକୁ ଏତେ ଟଙ୍କା ମୋ ପାଖକୁ ଆସୁଛି, ହେଲେ ମୁଁ ଏହି ଟଙ୍କାକୁ ନେଇ କିଛି କରିପାରୁନାହିଁ। ଏହା ପରେ ଟଙ୍କାକୁ ବିନିଯୋଗ କରିବା ଜରୁରୀ ବୋଲି ମୁଁ ଭାବିଥିଲି।”
ଇଥାନ୍ ଏବେ ବର୍ଷକୁ ୧.୬୦କୋଟି ଟଙ୍କା ପାଉଥିବା ବେଳେ କିଭଳି ଅଯଥା ଖର୍ଚ୍ଚ କରନ୍ତି ନାହିଁ ତାହା ଜଣାଇଛନ୍ତି। ସେ କହିଛନ୍ତି , ମୁଁ ଅଧିକ ଦାମୀ ପୋଷାକ ପିନ୍ଧିବା ପରିବର୍ତ୍ତେ କମ ଦାମ୍ ଏବଂ ଭଲ ଦିଶୁଥିବା ପୋଷାକ ପିନ୍ଧେ। ବର୍ଷକୁ ମୁଁ ୪-୫ଥର ବାହାରକୁ ବୁଲିବାକୁ ଯାଏ। ଏହି ସମୟରେ ବିଳାସପୂର୍ଣ୍ଣ ହୋଟେଲ ପରିବର୍ତ୍ତେ ମୁଁ ଏୟାରବିଏନବିରେ ରହେ। ଏସବୁରେ ଅଯଥା ଟଙ୍କା ଖର୍ଚ୍ଚ ନକରି ମୁଁ ସେହି ଟଙ୍କାକୁ ବିନିଯୋଗ କରିବାକୁ ପସନ୍ଦ କରେ।