“ବିଶ୍ବ ନାଟ୍ୟ ଦିବସ”; ନୂଆ ନୂଆ ମଞ୍ଚ କଳାକାର ସୃଷ୍ଟି କରିବାରେ ମାଧ୍ୟମ ପାଲଟିଛି ଦଣ୍ଡ ପରମ୍ପରା

ଆଜିବି ବଞ୍ଚିରହିଛି ନାଟକ ପରମ୍ପରା । ଅବଶ୍ୟ ଅତୀତ ଅପେକ୍ଷା ବର୍ତ୍ତମାନ ସମୟରେ ମଞ୍ଚ ନାଟକର ସଂଜ୍ଞା ବଦଳିଛି । ପରିବେଷଣ ଶୈଳୀରେ ନୂଆ ଛାପ ଲାଗିଛି । କିନ୍ତୁ ସମୟ ସହ ତାଳଦେଇ ଏହାର ଚାହିଦା ଏବଂ ଲୋକପ୍ରିୟତା ବୃଦ୍ଧି ପାଇଛି ।
ମଞ୍ଚ ପାଇଁ ନାଟକ ଟିଏ ଲୋଡା ପଡିଲେ, ନାଟକ ପାଇଁ କଳାକାରକୁ ଖୋଜାପଡେ । ଆଉ କଳାକାରର ଅଭିନୟକୁ ଚାହିଁ ରହିଥାନ୍ତି ଦର୍ଶକ । ଏସବୁର ଫେଣ୍ଟାଫେଣ୍ଟି ସମାହାରକୁ ନେଇ ବ୍ୟବସ୍ଥିତ ଶୈଳୀରେ ପରିବେଷଣ ହେଉଥିବା ମନୋରଞ୍ଜନ ବ୍ୟବସ୍ଥାକୁ ଆମେ ବୁଝିଥାଉ ଗୋଟିଏ ମଞ୍ଚ-ନାଟକ । ଯାହାର ମାୟାରେ ଏବେ ଗାଁଠୁ ସହର । ଗଂଜାମ ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳରେ ଚାଲିଛି ମଞ୍ଚ-ନାଟକ । ଜିଲ୍ଲାର ପାରମ୍ପରିକ ଚୈତ୍ର ପର୍ବ ଅବସରରେ ହେବାକୁ ଥିବା ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଅଧିକାଂଶ ସ୍ଥାନରେ ଚାଲିଛି ନାଟ୍ୟ-ପ୍ରସ୍ତୁତି । ନୂଆ ନୂଆ ମଞ୍ଚ କଳାକାର ସୃଷ୍ଟି କରିବାରେ ଏକ ମାଧ୍ୟମ ପାଲଟିଛି ଗଂଜାମର ଏହି ଦଣ୍ଡ ପରମ୍ପରା ।
ଅତୀତ ଅପେକ୍ଷା ବର୍ତ୍ତମାନ ସମୟରେ ଏହି ମଞ୍ଚ-ନାଟକର ଢାଞ୍ଚା ବଦଳିଛି ନିଶ୍ଚୟ । କିନ୍ତୁ ଏହାର ମୌଳିକ ଚିନ୍ତାଧାରା କୋଉଠି ନା କୋଉଠି ବାଟବଣା ହେଲାପରି ମନେହୁଏ । ଅବଶ୍ୟ ଉଚ୍ଚକୋଟୀର ସାମାଜିକ ନାଟକ, କଳାକାର ଓ ପରିବେଷଣ ଶୈଳୀ ଆକର୍ଷଣୀୟ ହେଉଛି । କିନ୍ତୁ ଅତୀତର ନାଟକୀୟ ବାସ୍ନା ଆଉ ନାହିଁ । ଏବେବି ଅନେକ ଦର୍ଶକ ଓ ବୁଦ୍ଧିଜୀବିମାନେ ଏକ-ମୁଖୀ ରଙ୍ଗମଞ୍ଚର ନାଟକ ଓ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ନାଟକକୁ ମନେ ପକାଉଛନ୍ତି ।
ସମୁଦାୟ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ଉଚ୍ଚକୋଟୀର ଯାତ୍ରା ନାଟକ ବା ଅପେରାକୁ ନେଇ ଦର୍ଶକଙ୍କ ଆଗ୍ରହ ଯେତିକି ବୃଦ୍ଧି ପାଉଛି, ସେହି କ୍ରମରେ କିଛି ନାଟ୍ୟ ଅନୁଷ୍ଠାନରେ ପରିବେଶଣ ହେଉଥିବା ଅଶ୍ଳୀଳତା ସେତିକି ପ୍ରସଙ୍ଗ ତିଆରି କରୁଛି । ଯାହା ମଞ୍ଚନାଟକ ପରମ୍ପରା ଉପରେ ପ୍ରହାର କରୁଛି । ଅବଶ୍ୟ ହାତଗଣତି କିଛି ବର୍ଷିଆନ୍ କଳାକାର ଏବଂ ବୁଦ୍ଧିଜୀବୀଙ୍କ ନିରନ୍ତର ପ୍ରୟାସ ଯୋଗୁ ମଞ୍ଚନାଟକର ମୌଳିକତା ଏପର୍ଯ୍ୟନ୍ତ ବଞ୍ଚି ରହିଛି ନିଶ୍ଚୟ ।