ଅଶୋଧିତ ତେଲ ୧୦୦ ଡଲାର ମୁହାଁ: ମହଙ୍ଗା ହେଲାଣି ନାଇଜେରିଆ, ମାଲେସିଆ ତେଲ – Utkal Mail
ନୂଆଦିଲ୍ଲୀ: କିଛି ମାସ ପରେ ଶୀତ ଋତୁ ଆସିବାକୁ ଥିବା ବେଳେ ଏବେଠାରୁ ଅଶୋଧିତ ତୈଳ ଦରରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ଆଡ଼କୁ ଅଗ୍ରସର ହେଉଛି। କିଛି ଦେଶରେ ୧୦୦ ଡଲାରରୁ ଅଧିକ ଦାମ୍ରେ ତେଲ ବିକ୍ରି ଆରମ୍ଭ ହେଲାଣି। ନାଇଜେରିଆ ଓ ମାଲେସିଆରେ ଉତ୍ପାଦିତ ଅଶୋଧିତ ତେଲ ଦାମ୍ ୧୦୦ ଡଲାରରେ ବିକ୍ରି ହେଉଛି। ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦାମ୍ ୯୪.୮୯ ଡଲାର ରହିଛି। ବିଶ୍ବର ଦୁଇ ପ୍ରମୁଖ ତେଲ ଉତ୍ପାଦନକାରୀ ରାଷ୍ଟ୍ର ରୁଷ୍ ଓ ସାଉଦି ଆରବ ଉତ୍ପାଦନ କମ୍ କରିବା ଘୋଷଣା କରିଥିବାରୁ ବଜାରରେ ତେଲର ଅଭାବ ଦେଖାଦେଇଛି। କମ୍ ତେଲ ଥିବା ବେଳେ ତାହାକୁ କିଣିବା ଲାଗି ଚାହିଦା ଅଧିକ ରହିଥିବାରୁ ଅଧିକ ଦାମ୍ରେ ତାହା ବିକ୍ରି ହେଉଛି। ତେଲ ଦାମ୍ ଏବେ ଚଳିତ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ବର୍ଷ ଆରମ୍ଭ ବେଳକୁ ଦାମ୍ ୮୨ ଡଲାର ପାଖାପାଖି ଥିଲା। ଜୁଲାଇ ସୁଦ୍ଧା ତେଲ ଦାମ୍ ୭୦ ଡଲାରକୁ ଖସିଆସିବା ପରେ ଏବେ ପୁଣି ଥରେ ୯୪ ଡଲାର ହୋଇଯାଇଛି। ତେଲ ବଜାର ଏବେ ରୁଷ୍ ଓ ସାଉଦି ଆରବର ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। କିଛି ଦିନ ଭିତରେ ବ୍ରେଣ୍ଟ୍ କ୍ରୁଡ୍ର ମୂଲ୍ୟ ୧୦୦ ଡଲାର ହୋଇଯିବ ବୋଲି ଆକଳନ କରାଯାଇଛି।
ପାରମ୍ପରିକ ଭାବେ ଭାରତ ଇରାକ ଓ ସାଉଦି ଆରବରୁ ଅଧିକ ତେଲ କିଣୁଥିଲା। ମାତ୍ର ଗତବର୍ଷ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରେ ରୁଷ୍ରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ରିହାତି ଦାମ୍ରେ ତେଲ ବିକ୍ରି କରି ସଙ୍କଟ ଏଡ଼ାଇବା ଲାଗି ରୁଷ୍ ଉଦ୍ୟମ କରିଥିଲେ। ଶସ୍ତାରେ ମିଳୁଥିବା ସେହି ତେଲକୁ ଭାରତ ବିପୁଳ ମାତ୍ରାରେ କିଣିଥିଲା। ମାତ୍ର ୟୁରୋପୀୟ ସଂଘ ପକ୍ଷରୁ ରୁଷ୍ ତେଲର ମୂଲ୍ୟ ୬୦ ଡଲାରରୁ କମ୍ ହେବ ନାହିଁ ବୋଲି ଘୋଷଣା କରାଯିବା ପରେ ପୂର୍ବରୁ ଯେଉଁ ରିହାତିରେ ରୁଷ୍ ତେଲ ଭାରତକୁ ମିଳୁଥିଲା ତାହା ଏବେ ମିଳୁନାହିଁ। ତଥାପି ରୁଷ୍ରୁ ତେଲ କିଣା କମ୍ ହୋଇନାହିଁ। କାରଣ ଅନ୍ୟ ଯେକୌଣସି ତେଲ ତୁଳନାରେ ରୁଷ୍ ତେଲ ଏବେବି ଭାରତ ପାଇଁ ଶସ୍ତା ରହିଛି। ଭାରତ ଏହାର ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଛି। ତେଲ କିଣିବା ଲାଗି ଡଲାରରେ ପେମେଣ୍ଟ୍ କରିବାକୁ ହୁଏ। ତେଲ ମହଙ୍ଗା ହେଲେ ଭାରତୀୟ ଅର୍ଥନୀତି ପାଇଁ ବହୁ ସମସ୍ୟା ଦେଖାଦେବ। ଗୋଟିଏ ପଟେ ଅଶୋଧିତ ତେଲକୁ ବିଶୋଧନ କରି ଉତ୍ପାଦନ କରାଯାଉଥିବା ପେଟ୍ରୋଲ, ଡିଜେଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହେବ। ଅନ୍ୟ ପକ୍ଷରେ ତେଲ କିଣିବା ଲାଗି ଅଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିବ ଯାହା ପ୍ରଭାବରେ ବୈଦେଶିକ ମୁଦ୍ରା ଭଣ୍ଡାର ସଙ୍କୁଚିତ ହୋଇ ଟଙ୍କାର ମୂଲ୍ୟକୁ ଡଲାର ତୁଳନାରେ ଆହୁରି ଦୁର୍ବଳ କରିବ।