ଓଡିଶା

ଲୋକାର୍ପଣର ୬ବର୍ଷ ପରେ ବି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ମିଳୁନି ସେବା

କୋରାପୁଟ: ଜିଲ୍ଲାରେ ୨ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ରହିଛି। ଗୋଟିଏ ୨୬ ନମ୍ବର ଜାତୀୟ ରାଜପଥ ଡୁମୁରିପୁଟ ଓ ଅନ୍ୟଟି ନନ୍ଦପୁରରୁ ପାଡ଼ୁଆ ରାସ୍ତାର ହାଣ୍ଡିପୁଟ ଠାରେ। ଉଭୟ କେନ୍ଦ୍ରରେ କେବଳ ଶୌଚାଳୟ ବ୍ୟବସ୍ଥାକୁ ଛାଡିଦେଲେ କୌଣସି ସୁବିଧା ମିଳୁନାହିଁ। ତତ୍କାଳୀନ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଏହି ପରିକଳ୍ପନା କରିଥିଲେ, ତାହା ଏଯାଏ ସାଧିତ ହୋଇ ପାରିନାହିଁ।

ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି।

ହାତଗଣତି କେତେକ କର୍ମଚାରୀ ଏଠାରେ ରହୁଛନ୍ତି। ଏହାକୁ ପରିଚାଳନା କରୁଥିବା ସଂସ୍ଥା କିଛି ବୁଝୁନଥିବା ଅଭିଯୋଗ ହୋଇଛି। ରାଜପଥ ଦେଇ ଯାତାୟତ କରୁଥିବା ଟ୍ରକ୍, ଯାତ୍ରୀବାହୀ ବସଗୁଡ଼ିକର ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାସ୍ତାକଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରିଛନ୍ତି। ସ୍ଥାନୀୟ ପ୍ରଶାସନ ମାଗଣାରେ ଜାଗା ଯୋଗାଇ ଦେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ସୁବିଧା କେନ୍ଦ୍ର ନିର୍ମାଣ ହୋଇଛି। ପ୍ରତି କେନ୍ଦ୍ର ପାଇଁ ୧.୧୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଇଛି।

୨୦୧୮ ଅଗଷ୍ଟରେ ରାଜ୍ୟର ଏଭଳି କେନ୍ଦ୍ରସବୁ ଲୋକାର୍ପିତ ହୋଇଥିଲା। ୨୦୧୮ ସେପ୍ଟେମ୍ବରରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ସରକାର ଘୋଷଣା କରିଥିଲେ। ମାତ୍ର ତାହା ସମ୍ଭବପର ହେଲାନାହିଁ। ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ବିଭାଗକୁ ଏସବୁ କେନ୍ଦ୍ରକୁ ହସ୍ତାନ୍ତର କରଗଲା। ପର୍ଯ୍ୟଟନ ବିଭାଗ ପିପିପି ମୋଡରେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ନେଲା। ହେଲେ ଆନ୍ତରିକତା ଅଭାବରୁ ତାହା ସଫଳ ହୋଇ ନଥିଲା। ପରେ ଏକ ଘୋରେଇ ସଂସ୍ଥା ଏହାର ପରିଚାଳନା କରୁଛି। ଏହି କେନ୍ଦ୍ରରେ ରେଷ୍ଟରୁମ୍, କାଫେ, ରାତିରେ ରହିବା ପାଇଁ ରୁମ୍, ରିଟେଲ ସପ୍, ଗାଡ଼ି ପାର୍କିଂ ଓ ଏଟିଏମ୍ ଆଦି କରିବା ଯୋଜନା ରହିଥିଲା। ବର୍ତ୍ତମାନ କେବଳ ଶୌଚାଳୟ ସୁବିଧା ଛାଡିଦେଲେ ଆଉ କୌଣସି ସୁବିଧା ଏଠାରେ ଉପଲବ୍ଧ ନାହିଁ । ଉପରାକ୍ତ ୨ କେନ୍ଦ୍ରରେ ୪ ଜଣ ହାଉସ କିଫି ଓ ୨ ଜଣ ମାଳି କାର୍ଯ୍ୟ କରୁଛନ୍ତି। କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟନ ଜିଲ୍ଲା ଭାବେ ବିବେଚିତ କରାଯାଉଛି।

ଏହି ଜିଲ୍ଲାକୁ ବର୍ଷକୁ ଲକ୍ଷାଧିକ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ କେନ୍ଦ୍ର ଗୁଡିକ ସେମାନଙ୍କୁ କୌଣସି ସେବା ସୁବିଧା ଯୋଗାଇ ପାରୁ ନାହିଁ। ସମ୍ବଲପୁରରୁ ଆସିଥିବା ପର୍ଯ୍ୟଟକ ମିହିର ମେହର କହିଛନ୍ତି ଯେ, କୋରାପୁଟରୁ ଦେଓମାଳି ଯିବା ରାସ୍ତାରେ ଡୁମୁରିପୁଟ କେନ୍ଦ୍ରକୁ ଯାଇଥିଲେ। ହେଲେ ସେଠାରେ କେବଳ ଶୌଚାଳୟ ଛଡ଼ା କୌଣସି ସୁବିଧା ଉପଲବ୍ଧ ନାହିଁ। ତାଙ୍କ ସହିତ ଆସିଥିବା ଅନ୍ୟ ପର୍ଯ୍ୟଟକମାନେ ଖରାପ ଅନୁଭୂତି ନେଇ ଏଠାରୁ ଫେରି ଥିଲେ। ଏଠାକୁ ଆସୁଥିବା ଅନ୍ୟଜଣେ ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକ ସଂଜୟ ସାହା ମଧ୍ୟ ଅନୁରୂପ ଅଭିଯୋଗ କରି କହିଛନ୍ତି ଯେ, ଏଠାରେ କିଛି ଖାଇବା ପିଇବା ବ୍ୟବସ୍ଥା ନାହିଁ। ଯେଉଁ ଉଦ୍ଦେଶ୍ୟରେ ଏହା ପରିକଳ୍ପନା ହୋଇଥିଲା ତାହା ସାଧିତ ହୋଇପାରି ନାହିଁ ବୋଲି କହିଛନ୍ତି।

ହାଣ୍ଡିପୁଟର ଅବସ୍ଥା ମଧ୍ୟ ସମାନ। ଏଠାରେ ପାଇଖାନାଗୁଡ଼ିକ ଠିକ୍ ଭାବେ କାମ କରୁନି। ବିଶୁଦ୍ଧ ପାନୀୟଜଳ ପାଇଁ ଲଗାଯାଇଥିବା ଫିଲଟର ମଧ୍ୟ ଅଚଳ ହୋଇପଡ଼ିଛି। ଅଧିକାରୀଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି କରାଯାଇ ନଥିବା ଜଣାପଡ଼ିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button