ସିସୋଦିଆଙ୍କ ବିରୋଧରେ ପ୍ରମାଣ କାହିଁ? ସିବିଆଇ, ଇଡିକୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ୨ଟି ପୃଥକ୍ ଜାମିନ ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଆଜି ଦୁଇ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡିକୁ କଡ଼ା ପ୍ରଶ୍ନ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏବଂ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଆଜି ସୁପ୍ରିମକୋର୍ଟ ମାମଲାର ପ୍ରମାଣକୁ ନେଇ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ କହିଛନ୍ତି, ତଦନ୍ତକାରୀ ସଂସ୍ଥା ଉକ୍ତ ମାମଲାରେ ରଖିଥିବା ପ୍ରମାଣରେ ଏକ ଶୃଙ୍ଖଳା ରଖିବାକୁ ପଡ଼ିବ। ଖଣ୍ଡପୀଠ କହିଛନ୍ତି, ଆମେ ମାନୁଛୁ ଯେ ସବୁକିଛି ଅତ୍ୟନ୍ତ ଗୋପନୀୟ ଭାବେ ହୋଇଥିବାରୁ ପ୍ରମାଣରେ ଶୃଙ୍ଖଳା ବଜାୟ ରଖିବା କଷ୍ଟଦାୟକ। କିନ୍ତୁ ଏଠାରେ ହିଁ ଆପଣଙ୍କ ଦକ୍ଷତା କଥା ଉଠୁଛି।
ଖଣ୍ଡପୀଠ କହିଛନ୍ତି, ତଦନ୍ତକାରୀ ସଂସ୍ଥା ଅନୁଯାୟୀ ସିସୋଦିଆ ତଥାକଥିତ ଲିକର ଗ୍ରୁପ୍ଠାରୁ ଟଙ୍କା ନେଇଛନ୍ତି। ତଦନ୍ତକାରୀ ସଂସ୍ଥା ୨ଟି ସଂଖ୍ୟା ରଖିଛନ୍ତି। ଗୋଟିଏ ହେଉଛି ୧୦୦ କୋଟି ଏବଂ ଅନ୍ୟଟି ୩୦ କୋଟି। ତେବେ ଅଭିଯୁକ୍ତଙ୍କୁ ଟଙ୍କା ଦେଲା କିଏ ? ଏକାଧିକ ଲୋକ ଏହି ଟଙ୍କା ଦେଇଥାଇପାରନ୍ତି। ଏ ବାବଦରେ ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରମାଣ କ’ଣ? ବ୍ୟବସାୟୀ ଦିନେଶ ଆରୋରା ମାମଲାରେ ନିଜେ ଜଣେ ଅଭିଯୁକ୍ତ ଏବଂ ଏହି ବ୍ୟକ୍ତିଙ୍କ ଟିପ୍ପଣୀ ବାଦ୍ ସିସୋଦିଆଙ୍କ ବିରୋଧରେ ଅନ୍ୟ କିଛି ପ୍ରମାଣ ଅଛି କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କୋର୍ଟ କହିଛନ୍ତି, ସିସୋଦିଆ ସାଉଥ୍ ଗ୍ରୁପ୍ ଏବଂ ଲିକର ଲବିର କଥାବାର୍ତ୍ତାରେ ସମ୍ପୃକ୍ତ ନାହାନ୍ତି। ତେଣୁ ତଦନ୍ତକାରୀ ସଂସ୍ଥା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଅଭିଯୁକ୍ତ ଦର୍ଶାଇଲେ କେମିତି ? କୋର୍ଟ କହିଛନ୍ତି, ଟଙ୍କା ମନୀଷଙ୍କ ପାଖକୁ ଯାଇନି। ତେଣୁ ତଦନ୍ତକାରୀ ସଂସ୍ଥା ମନି ଲଣ୍ଡରିଂ ଆଇନ ଅଧୀନରେ ତାଙ୍କୁ ଆଣିଲେ କେମିତି।
ଅନ୍ୟପକ୍ଷେ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ କହିଛନ୍ତି, ସିସୋଦିଆ ଏକ ପ୍ରକ୍ରିୟାରେ ସମ୍ପୃକ୍ତ ଯାହା କି ଅପରାଧର ବିଚାରଣ ସହ ଜଡ଼ିତ। ଅନ୍ୟପକ୍ଷେ କୋର୍ଟ ଆଜି ସିସୋଦିଆଙ୍କ ଜାମିନ ମଂଜୁର କରିନାହାନ୍ତି। ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣିକୁ କୋର୍ଟ ଅକ୍ଟୋବର ୧୨ ତାରିଖରେ ରଖିଛନ୍ତି।
‘ଆପ୍ କାହିଁକି ଅଭିଯୁକ୍ତ ନୁହେଁ’ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍)କୁ କାହିଁକି ଅଭିଯୁକ୍ତ କରାଗଲା ନାହିଁ, ତାହା ସ୍ପଷ୍ଟ କରିବାକୁ ସୁପ୍ରିମ୍କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହାର ଉଦ୍ଦେଶ୍ୟ କାହାକୁ ଫସାଇବା ନୁହେଁ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସ୍ଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ମନିଲଣ୍ଡରିଂ ନିବାରଣ ଆଇନ ପରିପ୍ରେକ୍ଷୀରେ ଏକ ଆଇନଗତ ପ୍ରଶ୍ନ ଭାବରେ ସ୍ପଷ୍ଟୀକରଣ ମଗାଯାଇଛି।
ଆମେ ସ୍ପଷ୍ଟ କରିବାକୁ ଚାହୁଛୁ ଯେ ଆମର ପ୍ରଶ୍ନ କାହାକୁ ଫସାଇବା ପାଇଁ ଉଦ୍ଦିଷ୍ଟ ନୁହେଁ। ଧରନ୍ତୁ, ଯଦି ପ୍ରସିକ୍ୟୁସନ୍ ଅନୁଯାୟୀ ହିତାଧିକାରୀ ‘ଏ’ ଅଟନ୍ତି ଏବଂ ଯଦି ‘ଏ’ ବିରୋଧରେ ମାମଲା ରୁଜୁ ହେଉନାହିଁ, ତେବେ ‘ବି’ କିମ୍ବା ‘ସି’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି? ଏହି ପରିପ୍ରେକ୍ଷୀରେ ଏପରି ପ୍ରଶ୍ନ ଉଠୁଛି ବୋଲି ଆପ୍ ନେତା ମନିଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍ ଖାନ୍ନା କହିଛନ୍ତି। ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭି ଅଦାଲତଙ୍କୁ କହିଥିଲେ ଯେ, ଏହି ପ୍ରଶ୍ନକୁ ଗଣମାଧ୍ୟମ ବିକୃତ କରୁଛି। ଆପ୍କୁ ଏକ ପକ୍ଷ କରିବା ପାଇଁ ଅଦାଲତଙ୍କ ପ୍ରଶ୍ନକୁ ଆଧାର କରାଯାଉଛି। ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ କହିଛନ୍ତି, ମୁଁ କେବଳ ଗଣମାଧ୍ୟମକୁ କହିଥିଲି ଯେ, ଦୋଷୀଙ୍କୁ ଛଡ଼ାଯିବ ନାହିଁ ଏବଂ କୌଣସି ନିର୍ଦ୍ଦୋଷଙ୍କୁ ହଇରାଣ କରାଯିବ ନାହିଁ। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ଅନ୍ୟମାନେ ଯେଉଁ ମାମଲାରେ ବିଚାରର ସମ୍ମୁଖୀନ ହେଉଛନ୍ତି, ସେହି ମାମଲାରେ ଆପ୍କୁ କାହିଁକି ଅଭିଯୁକ୍ତ କରାଗଲା ନାହିଁ, ତାହା ସ୍ପଷ୍ଟ କରିବାକୁ ସୁପ୍ରିମ୍କୋର୍ଟ ବୁଧବାର ଫେଡେରାଲ ଆଣ୍ଟି ମନିଲଣ୍ଡରିଂ ଏଜେନ୍ସିକୁ କହିଥିଲେ। ଏଜେନ୍ସି ଅନୁଯାୟୀ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ହୋଇଥିବା ଅନିୟମିତତାର ମୁଖ୍ୟ ଫାଇଦା ଆପ୍କୁ ମିଳିଛି।