ଏଥର ବଢ଼ିବ ମାଟ୍ରିକ୍ ପରୀକ୍ଷା ଫି’! କୋଭିଡ୍ ପରଠୁ ଫି’ ଆଦୌ ଆଦାୟ ହେଉନଥିଲା…

କଟକ, ୨୪/୦୯: ମାଟ୍ରିକ୍ ପରୀକ୍ଷାର୍ଥୀମାନଙ୍କୁ ଫର୍ମ ପୂରଣ ସମୟରେ ଏଥର ଦେୟ ଦେବାକୁ ପଡ଼ିବ । କୋଭିଡ୍ ସଂକ୍ରମଣ ବର୍ଷ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁନଥିଲା । ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଆଦାୟ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି ।
ଏହାଛଡ଼ା, ୨୦୧୬ରୁ ଧାର୍ଯ୍ୟ ହୋଇଥିବା ୪୨୦ ଟଙ୍କା ପରିବର୍ତ୍ତେ ଅଧିକ ଟଙ୍କା ଆଦାୟ ପାଇଁ ବି ବୋର୍ଡ ପକ୍ଷରୁ ଯୋଜନା ରହିଛି । ପାଖାପାଖି ୮ଶହ ଟଙ୍କା ପରୀକ୍ଷା ଫି’ ଏଥର ଆଦାୟ ହେବ ବୋଲି ଆକଳନ କରାଯାଇଛି ।
ବୋର୍ଡର ଜଣେ ଅଧିକାରୀଙ୍କ କହିବା ମୁତାବକ, ପ୍ରଶ୍ନପତ୍ର ଚୟନ, ପ୍ରଶ୍ନପତ୍ର ଛପା, ଆଡ୍ମିଟ୍ କାର୍ଡ ପ୍ରସ୍ତୁତି, ପରୀକ୍ଷା ଆୟୋଜନ, ସେଣ୍ଟର୍ରେ ପରୀକ୍ଷା ନିରୀକ୍ଷକ ନିୟୋଜନ, ପ୍ରଶ୍ନପତ୍ରଗୁଡ଼ିକୁ ନୋଡାଲ୍ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରକୁ ପଠାଇବା, ପର୍ଯ୍ୟବେକ୍ଷକ ଏବଂ ସ୍କ୍ୱାଡ୍ଙ୍କ ଗସ୍ତ ଖର୍ଚ୍ଚ, ଉତ୍ତର ଖାତା ମୂଲ୍ୟାୟନ, ଟାବୁଲେସନ୍, ସାର୍ଟିଫିକେଟ୍ ପ୍ରସ୍ତୁତି ଆଦି ପାଇଁ ପୂର୍ବ ଅପେକ୍ଷା ଖର୍ଚ୍ଚ ବହୁ ପରିମାଣରେ ବଢ଼ିଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରୀ କର୍ମଚାରୀମାନଙ୍କର ଡିଏ ଦିନକୁ ୧୪୦ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ଦିନକୁ ଡିଏ ବାବଦ ଖର୍ଚ୍ଚ ୩ଗୁଣା ବଢ଼ିଛି । ତେଣୁ ପରୀକ୍ଷା ଫି’ ଆଦାୟ କରିବାକୁ ବୋର୍ଡ ବାଧ୍ୟ ହେବ ।
ଏଯାଏ ଏହା ଚୂଡ଼ାନ୍ତ ହୋଇନାହିଁ । ଫି’ ବୃଦ୍ଧି ପାଇଁ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି । ସରକାର ନିର୍ଦ୍ଦେଶ ଦେଲା ପରେ ହିଁ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ୍ ପରୀକ୍ଷା ଫି’ ବୃଦ୍ଧି ନେଇ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ମାଟ୍ରିକ୍ ପରୀକ୍ଷା ଲାଗି ଆସନ୍ତା ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଫର୍ମ ପୂରଣ କରାଯିବ । ରାଜ୍ୟରେ ୯ ହଜାରରୁ ଅଧିକ ହାଇସ୍କୁଲ୍ର ପାଖାପାଖି ୬ ଲକ୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ । ପରୀକ୍ଷା ପାଇଁ ପ୍ରାୟ ୩ ହଜାର ୫ଶହ ସେଣ୍ଟର୍, ୩୫୦ ନୋଡାଲ୍ ସେଣ୍ଟର୍ ଚୟନ କରାଯିବାକୁ ଲକ୍ଷ୍ୟ ରଖିଛି ବୋର୍ଡ ।