ସାରେଗାମାପା ରିୟଲିଟି ସୋ’ରେ ପ୍ରତିଯୋଗୀ ବଖାଣିଲେ ପରଦା ପଛର କାହାଣୀ – Utkal Mail
ନୂଆଦିଲ୍ଲୀ: ସାରେଗାମାପା ରିୟଲିଟି ସୋ’ରେ ୨୦୦୫ ମସିହାରେ ପ୍ରତିଯୋଗୀ ଭାବେ ହିମାନୀ କପୁର ଖୁବ ଚର୍ଚ୍ଚାରେ ଥିଲେ। ସୋ’ ଚାଲିଥିବା ସମୟରେ ହିଁ ହିମାନୀଙ୍କ ପାଖକୁ ବଲିଉଡରୁ ଅନେକ ଗୀତ ଗାଇବାର ଅଫର ଆସିଥିଲା। ଦୀର୍ଘବର୍ଷ ହେବ ସଙ୍ଗୀତ ଦୁନିଆରୁ ଦୂରେଇ ଯାଇଥିବା ହିମାନୀ କିଛିବର୍ଷ ହେବ ପୁଣି ସଙ୍ଗୀତ ଦୁନିଆକୁ ଫେରିଛନ୍ତି।
ହିମାନୀଙ୍କୁ ନେଇ ହୋଇଥିବା ଏକ ସାକ୍ଷାତକାରେ ସେ କହିଛନ୍ତି, ‘ ୨୦୦୫ ମସିହାରେ ମୁଁ ସାରେଗାମାପା ଜରିଆରେ ସଙ୍ଗୀତ ଜୀବନ ଆରମ୍ଭ କରିଥିଲି। ରିୟଲିଟି ସୋ’ ସହିତ ଜଡ଼ିତ ସମସ୍ତ ସ୍ମୃତି ମୋର ଆଜି ବି ମନେ ଅଛି। ସାରେଗାମାପା ଜରିଆରେ ମୋତେ ଆସିଥିବା ସଙ୍ଗୀତ ଅଫରରେ ମୁଁ ଶୁସ୍ମିତା ସେନଙ୍କ ସିନେମା ‘ଚିଙ୍ଗାରୀ’ରେ କଣ୍ଠଦାନ କରିଛି।
ତେବେ ଆଜିକାଲି ଯେଉଁ ରିୟଲିଟି ସୋ’ ଚାଲିଛି ସେଥିରେ କୌଣସି ବାସ୍ତବତା ରହୁନାହିଁ। ମୋତେ ଲାଗେ ସେଥିରେ ୮୦ରୁ ୯୦ ପ୍ରତିଶତ କେବଳ ଲୋକ ଦେଖାଣିଆ ପାଇଁ କରାଯାଉଥିବା ବେଳେ ବାକି ୧୦ପ୍ରତିଶତ ବାସ୍ତବତା ଥାଏ। ଯେଉଁ ପ୍ରତିଯୋଗୀ କଣ୍ଠଶିଳ୍ପୀମାନେ ବି ଆସିଥାଆନ୍ତି ତାଙ୍କ ସ୍ବରକୁ ଅଟୋ ଟ୍ୟୁନ ଜରିଆରେ ଟ୍ୟୁନ କରି ଦିଆଯାଇଥାଏ।
ମୋର କହିବା କଥା ରିୟଲିଟି ସୋ’ରେ ଏସବୁ ଏଡିଟିଂ କ’ଣ ପାଇଁ। ଯାହା ବାସ୍ତବ ତାକୁ କାହିଁକି ଦର୍ଶକଙ୍କୁ ଦେଖାଯାଉନାହିଁ।
ରିୟଲିଟି ସୋ’ରେ ଯେଉଁ ଜଜଙ୍କୁ ଯେଉଁ ପ୍ରତିଯୋଗୀ ପସନ୍ଦ ସେମାନେ ତାଙ୍କୁ ହିଁ ସମର୍ଥନ କରନ୍ତି। ଆମ ସିଜିନ ସମୟରେ ଦେବୋଜିତକୁ ଜଜମାନେ ଖୁବ ସମର୍ଥନ କରୁଥିଲେ। ସୋ’ ଅଧାରୁ ହିଁ ଜଣାପଡ଼ି ଯାଇଥିଲା କି ଦେବୋଜିତ ହିଁ ଉଇନର ହେବ।ଶେଷର ସେୟା ହିଁ ହେଲା।’



