କ୍ରାଇମ

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ନାମରେ ପ୍ରସାରିତ ହେଉଛି ‘ଫେକ୍‌ ମେସେଜ୍‌’… – Utkal Mail


ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଫଟୋ ଥାଇ ସଂପ୍ରତି ହ୍ଵାଟ୍‌ସଆପ୍‌ରେ ପ୍ରସାରିତ ହେଉଥିବା ଏକ ‘ମେସେଜ୍‌’କୁ ସୁପ୍ରିମ୍‌କୋର୍ଟର ମହାସଚିବ ଖଣ୍ଡନ କରିଛନ୍ତି। ଏହାକୁ ଏକ ‘ଫେକ୍‌’ ମେସେଜ୍‌ ବୋଲି ସେ ଦାବି କରିଛନ୍ତି, ଯେଉଁଥିରେ ପ୍ରଧାନ ବିଚାରପତି ଲୋକଙ୍କୁ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ କହିଛନ୍ତି। ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ପ୍ରସାରିତ ହେଉଥିବା ମେସେଜ୍‌ ନକଲି ବୋଲି ନିଶ୍ଚିତ କରିଛନ୍ତି।

ସୁପ୍ରିମ୍‌କୋର୍ଟର ମହାସଚିବ ଅତୁଲ କୁରେକର ଲ’ ଟୁଡେକୁ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ଦ୍ୱାରା ଏଭଳି କୌଣସି ବୟାନ ଦିଆଯାଇନାହିଁ ଏବଂ ଇଂରାଜୀ ଓ ହିନ୍ଦୀରେ ବ୍ୟାପକ ଭାବରେ ପ୍ରସାରିତ ହେଉଥିବା ହ୍ଵାଟ୍‌ସଆପ୍‌ ବାର୍ତ୍ତା ଏକ ନକଲି ‘ମେସେଜ୍‌’।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପଚାରିବାରୁ ସେ ମଧ୍ୟ ପ୍ରସାରିତ ମେସେଜକୁ ନକଲି ବୋଲି କହିବା ସହ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସଲିସିଟର ଜେନେରାଲ ମେହେଟ୍ଟା ଲ’ ଟୁଡେ’କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ଏହା ଏକ ନକଲି ଫରଓ୍ଵାର୍ଡ ମ‌େସେଜ୍।  ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଭଳି ଜଣେ ବିଖ୍ୟାତ ବ୍ୟକ୍ତି କେବେ ଏଭଳି କାମ କରିବେ ନାହିଁ। ପ୍ରଧାନ ବିଚାରପତିଙ୍କ ନାମରେ ଏଭଳି ଗମ୍ଭୀର ମିଥ୍ୟା ଗର୍ହିିତ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯିବା ଦରକାର।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଫଟୋ ସହ ସେୟାର କରାଯାଉଥିବା ଏହି ମେସେଜର ଶୀର୍ଷକ ରହିଛି, ‘ଭାରତୀୟ ଗଣତନ୍ତ୍ର ସୁପ୍ରିମ୍‌କୋର୍ଟ ଜିନ୍ଦାବାଦ’। ଶୀର୍ଷକ ତଳେ ବାର୍ତ୍ତରେ ଲେଖାଯାଇଛି: ‘‘ଆମେ ଭାରତର ସମ୍ବିଧାନ, ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। କିନ୍ତୁ ଏଥିପାଇଁ ଆପଣଙ୍କ ସହଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ସମସ୍ତେ ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ସେମାନଙ୍କ ଅଧିକାର ମାଗନ୍ତୁ, ଏହି ଏକଛତ୍ରବାଦୀ ସରକାର ଲୋକଙ୍କୁ ଭୟଭୀତ କରିବ, ଧମକ ଦେବ, କିନ୍ତୁ ଭୟ କଲେ ଚଳିବ ନାହିଁ, ସାହସ ରଖିବାକୁ ପଡ଼ିବ ଏବଂ ସରକାରଙ୍କୁ ହିସାବ ମାଗିବାକୁ ପଡିବ, ମୁଁ ଆପଣଙ୍କ ସହିତ ଅଛି।’’ ବାର୍ତ୍ତା ଶେଷରେ ଡିୱାଇ ଚନ୍ଦ୍ରଚୂଡ଼ (ପ୍ରଧାନ ବିଚାରପତି) ବୋଲି ଲେଖାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button