ଦେଶ ବିଦେଶ

ଚର୍ଚ୍ଚାରେ ୱେବ୍‌ସିରିଜ୍‌ ‘ଆଇସି ୮୧୪-ଦ କାନ୍ଦାହାର ହାଇଜାକ୍‌’, ଅପହୃତ ବିମାନରେ ଥିଲେ ‘ର’ ଅଧିକାରି

ମୁମ୍ଵାଇ ୦୭।୦୯: ନିକଟରେ ନେଟ୍ଫ୍ଲିକ୍ସରେ ରିଲିଜ୍ ହୋଇଥିବା ଅନୁଭବ ସିହ୍ନାଙ୍କର ୱେବସିରିଜ୍ ‘ଆଇସି ୮୧୪- ଦ କାନ୍ଦାହାର ହାଇଜାକ୍’ ଏବେ ଚର୍ଚ୍ଚାରେ । ତାହା ୧୯୯୯ ମସିହାର ବିମାନ ଅପହରଣ ଘଟଣାର ସ୍ମୃତିକୁ ପୁଣି ଜୀବନ୍ତ କରିଦେଇଛି । ଅପହରଣ ଘଟଣା ସହ ଜଡ଼ିତ ଅନେକ ଅଜଣା କାହାଣୀ ଏବେ ସାମ୍ନାକୁ ଆସୁଛି । ସେ ଅନୁସାରେ, ଇଣ୍ଡିଆନ୍ ଏୟାରଲାଇନ୍ସର ସେହି ଅପହୃତ ବିମାନର ସିଟ୍ ନମ୍ବର ୧୬ସିରେ ଜଣେ ବ୍ୟକ୍ତି ଯାତ୍ରା କରୁଥିଲେ ।

ମିଡିଆ ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେହି ବିମାନରେ ଥିବା ଯାତ୍ରୀଙ୍କର ଯେଉଁ ତାଲିକା ଜାରି କରାଯାଇଥିଲା ସେଥିରେ କିନ୍ତୁ ତାଙ୍କର ନାମ ନଥିଲା । କାରଣ ସେ ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’ର ଜଣେ ଅଧିକାରୀ ଥିଲେ । ଯାତ୍ରୀଙ୍କ ନାଁ ଶଶି ଭୂଷଣ ସିଂହ ତୋମାର । ସେତେବେଳେ ସେ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସରେ ଫାଷ୍ଟ୍ ସେକ୍ରେଟେରୀ ଭାବେ କାର୍ଯ୍ୟରତ ଥିଲେ । ଭାରତୀୟ ଗୁଇନ୍ଦା ସଂସ୍ଥା ର’ର କାଠମାଣ୍ଡୁ ଷ୍ଟେସନ୍ ହେଡ୍ ଥିଲେ । ର’ର ତତ୍କାଳୀନ ପ୍ରମୁଖ ଏଏସ୍ ଦୁଲତ କହିଛନ୍ତି, ‘ବିଚରା ତୋମାର ୮ ଦିନ ଧରି ବିମାନରେ ଫସିଥିଲେ । ତାଙ୍କୁ କିଛି ବି ଜଣାନଥିଲା ।’ ପ୍ରକୃତରେ ଏହା ହିଁ ସମସ୍ୟା ଥିଲା । ର’ର ଷ୍ଟେସନ ହେଡ୍ ଭାବେ ତାଙ୍କୁ ଏଭଳି ଯୋଜନା ସଂପର୍କରେ ପୂର୍ବରୁ ଜାଣି ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେବାର ଥିଲା । ତା’ ବଦଳରେ ସେ ହିଁ ଭାରତର ଅନ୍ୟତମ ସବୁଠୁ ବଡ଼ ବିମାନ ଅପହରଣର ଶିକାର ହୋଇଥିଲେ ।

ବରିଷ୍ଠ ସାମ୍ବାଦିକ ପ୍ରବୀଣ ସ୍ୱାମୀ ୨୦୦୦ ମସିହାରେ ନିଜ ରିପୋର୍ଟରେ ଲେଖିଥିଲେ ‘ତୋମାର ସେତେବେଳେ ହସ୍ପିଟାଲରେ ଭର୍ତ୍ତି ଥିବା ପତ୍ନୀ ସୋନିଆଙ୍କୁ ଦେଖିବା ଲାଗି ଦିଲ୍ଲୀ ଆସୁଥିଲେ । ସୋନିଆ ବେଶ୍ ପ୍ରଭାବଶାଳୀ ପରିବାରର ଥିଲେ । ସେ ପିଏମ୍ଓର ସବୁଠୁ କ୍ଷମତାଶାଳୀ ବ୍ୟୁରୋକ୍ରାଟ୍ ଏନ୍କେ ସିଂହଙ୍କର ସାନ ଭଉଣୀ ଥିଲେ । ସିଂହ ୧୯୯୮-୨୦୦୧ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସଚିବ ଭାବେ କାର୍ଯ୍ୟ କରିଥିଲେ । ସେହିପରି ସୋନିଆଙ୍କର ବଡ଼ ଭଉଣୀ ଶ୍ୟାମା ଏନ୍ଏସଜିର ପୂର୍ବତନ ନିର୍ଦ୍ଦେଶକ ନିଖିଲ କୁମାରଙ୍କୁ ବିବାହ କରିଥିଲେ ।’ ଶଶି ଭୂଷଣଙ୍କୁ କାଠମାଣ୍ଡୁରୁ କୌଣସି ଭାରତୀୟ ବିମାନକୁ ଅପହରଣ କରାଯାଇପାରେ ବୋଲି ସୂଚନା ମିଳିଥିଲା । ସେ କିନ୍ତୁ ସୂଚନାକୁ ସମ୍ପୂର୍ଣ୍ଣ ନଜରଅନ୍ଦାଜ୍ କରିଥିଲେ । ଯେଉଁ ର’ ଅଧିକାରୀ ଏହି ସୂଚନା ଦେଇଥିଲେ ଶଶି ଭୂଷଣ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ । ଦୁର୍ଭାଗ୍ୟକୁ ସେ ସେହି ଅପହରଣର ଶିକାର ହେଲେ । ପୂର୍ବତନ ର’ ଅଧିକାରୀ ଆର୍ କେ ଯାଦବ ୨୦୧୪ରେ ପ୍ରକାଶିତ ନିଜର ପୁସ୍ତକ ‘ମିଶନ୍ ର’ରେ ଲେଖିଛନ୍ତି, ଜୁନିଅର ର’ ଅଧିକାରୀ ୟୁଭି ସିଂହ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସରେ ସେକେଣ୍ଡ୍ ସେକ୍ରେଟେରୀ ପଦରେ ମୁତୟନ ଥିଲେ । ସେ ନିଜର ବରିଷ୍ଠ ଶଶି ଭୂଷଣଙ୍କୁ ପାକିସ୍ତାନୀ ଆତଙ୍କୀ କୌଣସି ଭାରତୀୟ ବିମାନକୁ ଅପହରଣ କରିପାରନ୍ତି ବୋଲି ସୂଚନା ଦେଇଥିଲେ । ତୋମାର ତାଙ୍କୁ ଏହାର ସୂତ୍ର ପଚାରିବାରୁ ୟୁଭି ସିଂହ ବିମାନବନ୍ଦରରେ ମୁତୟନ ଜଣେ ଦାୟିତ୍ୱବାନ ଅଧିକାରୀଙ୍କ ନିକଟରୁ ଏହି ସୂଚନା ମିଳିଥିବା ଦର୍ଶାଇଥିଲେ । ସେତେବେଳେ ତୋମାର ତାଙ୍କ କଥାକୁ ଗୁରୁତ୍ୱ ନ ଦେଇ ତାଙ୍କୁ ଗାଳି ଦେବା ସହ ଗୁଜବ ପ୍ରସାର ନ କରିବାକୁ କହିଥିଲେ ।

ଏହି ରିପୋର୍ଟ ର’ର ମୁଖ୍ୟାଳୟକୁ କେବେହେଲେ ପଠାଯାଇନଥିଲା । ବିନା ଯାଞ୍ଚରେ ହିଁ ରିପୋର୍ଟକୁ ଦବାଇ ଦିଆଯାଇଥିଲା । ଏଭଳିସ୍ଥଳରେ ତୋମାର ନିଶ୍ଚିତ ଭାବେ ସେହି ୮ ଦିନ ଗଭୀର ମାନସିକ ଯନ୍ତ୍ରଣା ଦେଇ ଯାଇଥିବେ । ଯଦି ତାଙ୍କର ପରିଚୟ ଅପହର୍ତ୍ତାମାନଙ୍କୁ ଜଣାଥାନ୍ତା ତେବେ ଆତଙ୍କୀମାନେ ଅନ୍ୟ ଯାତ୍ରୀଙ୍କୁ ଭୟଭୀତ କରିବା ଲାଗି ହୁଏତ ତାଙ୍କୁ ହତ୍ୟା କରିଥାନ୍ତେ ।’ ଯାଦବ ଆହୁରି ଲେଖିଛନ୍ତି ‘ପରବର୍ତ୍ତୀ ସମୟରେ ର’ ପକ୍ଷରୁ ଏହି ଗୁରୁତର ତ୍ରୁଟି ଲାଗି ତୋମାରଙ୍କୁ କିନ୍ତୁ କୌଣସି ଦଣ୍ଡ ମିଳିନଥିଲା । ପିଏମ୍ଓରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କ ଘନିଷ୍ଠ ସଂପର୍କୀୟ ହୋଇଥିବାରୁ ଦାୟିତ୍ୱହୀନତା ଲାଗି ତାଙ୍କୁ ଦଣ୍ଡ ବଦଳରେ ଆମେରିକାରେ ଏକ ଆକର୍ଷକ ପୋଷ୍ଟିଂ ଦ୍ୱାରା ପୁରସ୍କୃତ କରାଯାଇଥିଲା ।’ ଅବଶ୍ୟ ଘଟଣାର ଦୀର୍ଘ ବର୍ଷ ପରେ ଏକ ସାକ୍ଷାତକାରରେ ତତ୍କାଳୀନ ର’ ମୁଖ୍ୟ ଦୁଲତ କହିଥିଲେ, ଆଇସି ୮୧୪କୁ ଅପହରଣ କରାଯିବା ଦିନ ଅର୍ଥାତ୍ ଡିସେମ୍ବର ୨୪ରେ ତୋମାର ସେହି ବିମାନରେ ଥିବା ଜଣାନଥିଲା । ପରେ ଏକଥା ସାମ୍ନାକୁ ଆସିଥିଲା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button