ଦେଶ ବିଦେଶ

ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ, ୨ୟ ସ୍ଥାନରେ ଭୂପେଶ ବଘେଲ୍ : ସର୍ଭେ – Utkal Mail


ଇଣ୍ଡିଆ ଟୁଡେ-ସି ଭୋଟର ମୁଡ୍ ଅଫ ଦି ନେସନ୍ ସର୍ଭେ

ନୂଆଦିଲ୍ଲୀ: ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ ଦି ନେସନ ସର୍ଭେରୁ ଏହା ଜଣାପଡ଼ିଛି । ୨୦୨୩ ଜୁଲାଇ ୧୫ରୁ ୨୦୨୩ ଅଗଷ୍ଟ ୧୪ ମଧ୍ୟରେ କରାଯାଇଥିବା ଜନମତ ସର୍ଭେରୁ ଏହି ଫଳାଫଳ ଆସିଛି।

ଏହି ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବା ବେଳେ ତାଙ୍କ ପ୍ରତି ରାଜ୍ୟର ୬୧.୩ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି। ତେବେ ଅଗଷ୍ଟ ୨୦୨୨ରେ ହୋଇଥିବା ମୁଡ ଅଫ ନେସନ ସର୍ଭେରେ ୭୮.୧ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଥିଲେ । ଏହାପରେ ୨୦୨୩ ଜାନୁଆରୀରେ ତାଙ୍କୁ ୭୩.୨ ପ୍ରତିଶତ ଭୋଟ୍ ମିଳିଥିଲା। ଏବେ ଏହି ସଂଖ୍ୟା ଆହୁରି ହ୍ରାସ ପାଇଛି। ତେବେ ଏହା ପରେ ମଧ୍ୟ ସେ ହେଉଛନ୍ତି ନିଜ ରାଜ୍ୟରେ ସବୁଠାରୁ ପସନ୍ଦର ମୁଖ୍ୟମନ୍ତ୍ରୀ ବିକଳ୍ପ ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ତାଙ୍କ ରାଜ୍ୟର ୫୯.୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ବର୍ଷକ ତଳେ ତାଙ୍କୁ ୫୩.୩ ପ୍ରତିଶତ ଓ ୨୦୨୩ ଜାନୁଆରିରେ ୫୫.୭ ପ୍ରତିଶତ ଭୋଟ ମିଳିଥିଲା। ଅର୍ଥାତ୍ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଲୋକପ୍ରିୟତାର ଗ୍ରାଫ୍ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଚଳିତ ବର୍ଷ ଛତିଶଗଡ଼ ବିଧାନସଭା ନିର୍ବାଚନ ହେଉଥିବା ବେଳେ କଂଗ୍ରେସ ପାଇଁ ଏହା ଖୁସି ଖବର ।

ଏହି ବର୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କୁ ଦିଲ୍ଲୀର ୫୭.୭ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ୪ର୍ଥ ସ୍ଥାନରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ୫ମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button