ଛିଡ଼ିଗଲା ତବଲାର ତାନ: ଉସ୍ତାଦ୍ ଜାକିର ହୁସେନଙ୍କ ପରଲୋକ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତର କିଂବଦନ୍ତି ପୁରୁଷ ଉସ୍ତାଦ୍ ଜାକିର ହୁସେନଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ସେ କେବଳ ଜଣେ ବିଖ୍ୟାତ ତବଲା ବାଦକ ନଥିଲେ, ସେ ଥିଲେ ଭାରତୀୟ ସଙ୍ଗୀତର ଆତ୍ମା। ତାଙ୍କ ତବଲା ବାଦନର ଟିପା ଧ୍ବନି ଥିଲା ଭାରତୀୟ ସଙ୍ଗୀତର ହୃତ୍ସ୍ପନ୍ଦନ। ତାଙ୍କ ତବଲାର ସ୍ବରରେ ଆମେରିକାରୁ ନେଇ ଅଷ୍ଟ୍ରେଲିଆ ଏବଂ ଲଣ୍ଡନରୁ ନେଇ ଜର୍ମାନୀ ପର୍ଯ୍ୟନ୍ତ ସବୁଠି ଭାରତର ସଙ୍ଗୀତ ଝଙ୍କୃତ ହେଉଥିଲା। ସାଧନା, ନିଷ୍ଠା ଓ ଅଧ୍ୟବସାୟ ବଳରେ ଜଣେ ସାଧାରଣ ମଣିଷ କିଭଳି ଅସାଧାରଣ ଉଚ୍ଚତାରେ ପହଞ୍ଚି ପାରନ୍ତି ତା’ର ଜ୍ବଳନ୍ତ ଉଦାହରଣ ଥିଲେ ପଦ୍ମବିଭୂଷଣ ଜାକିର ହୁସେନ। ପ୍ରବୀଣ ତବଲା ବାଦକ ଜାକିରଙ୍କର ପରଲୋକ ଆମେରିକାର ସାନ୍ଫ୍ରାନ୍ସିସ୍କୋସ୍ଥିତ ଏକ ଡାକ୍ତରଖାନାରେ ଭାରତୀୟ ସମୟ ସୋମବାର ଭୋର ୫ଟା ୩୦ରେ ହୋଇଛି। ୭୩ ବର୍ଷ ବୟସରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଇଡିଓପାଥିକ୍ ପଲମୋନାରି ଫାଇବ୍ରୋସିସ୍ ନାମକ ଏକ ଫୁସ୍ଫୁସ୍ ରୋଗରେ ଜାକିର ପୀଡ଼ିତ ଥିଲେ। ପ୍ରାୟ ୨ ସପ୍ତାହ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। ଏକଦା ତବଲାକୁ ତାଙ୍କର ବନ୍ଧୁ, ଭାଇ ଓ ସାଥୀ ବୋଲି କହୁଥିବା ଜାକିରଙ୍କର ମୃତ୍ୟୁରେ ତାଙ୍କ ୬ ଦଶନ୍ଧି ତବଲା ବାଦନ ଜୀବନରେ ପୂର୍ଣ୍ଣଛେଦ ପଡ଼ିଛି। ସ୍ବତନ୍ତ୍ର ତବଲା ବାଦନ ଶୈଳୀ ପାଇଁ ପରିଚିତ ଜାକିର ଭାରତର ଶାସ୍ତ୍ରୀୟ ସଙ୍ଗୀତ ଏବଂ ପାଶ୍ଚାତ୍ୟ ସଙ୍ଗୀତ ମଧ୍ୟରେ ସଂପର୍କ ସ୍ଥାପନର ଏକ ସେତୁ ଥିଲେ। ତାଙ୍କ ପିଢ଼ିର ସର୍ବଶ୍ରେଷ୍ଠ ତବଲା ବାଦକ ଭାବେ ପରିଚିତ ଜାକିରଙ୍କର ପତ୍ନୀ ଆଣ୍ଟୋନିଆ ମିନେକୋଲା ଏବଂ ଦୁଇ ଝିଅ ଅନିଷା କ୍ୟୁରେସି ଓ ଇସାବେଲା କ୍ୟୁରେସି ଅଛନ୍ତି। ତବଲା ଓ ସଙ୍ଗୀତପ୍ରେମୀମାନଙ୍କ ହୃଦୟରେ ଜାକିର ଏକ ଅଭୁଲା ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଅଗଣିତ ପ୍ରଶଂସକ ଗଭୀର ଶୋକବ୍ୟକ୍ତ କରିଛନ୍ତି।
୧୯୫୧ ମାର୍ଚ୍ଚ ୯ ତାରିଖରେ ମୁମ୍ବାଇ (ତତ୍କାଳୀନ ବମ୍ବେ)ରେ ଜାକିର ଜନ୍ମ ହୋଇଥିଲେ। ତାଙ୍କ ବାପା ଆଲ୍ଲା ରଖା କ୍ୟୁରେସି ଜଣେ ମହାନ ତବଲା ବାଦକ ଥିଲେ। ଏକଦା ଜାକିର କହିଥିଲେ ଯେ ସେ ଯେତେବେଳେ ଜନ୍ମ ହେଲେ ତାଙ୍କ ବାପା ତାଙ୍କ କାନରେ ପ୍ରାର୍ଥନା ପରିବର୍ତ୍ତେ ‘ତବଲାର ତାଳ’ ଶୁଣାଇଥିଲେ। ଜୀବନକାଳ ମଧ୍ୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଭାରତ ସରକାର ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମଭୂଷଣ ଏବଂ ୨୦୨୩ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। ୧୯୯୦ ଦଶକରେ ସେ ସଙ୍ଗୀତ ନାଟକ ଏକାଡେମି ସମ୍ମାନ ପାଇଥିଲେ। ଜାକିରଙ୍କୁ ୪ଟି ଗ୍ରାମି ପୁରସ୍କାର ମିଳିଛି। ସେଥିରୁ ତିନିଟି ପୁରସ୍କାର ସେ ଚଳିତବର୍ଷ ପାଇଛନ୍ତି।
ଜାକିର ମୁମ୍ବାଇର ମାହିମରେ ଥିବା ସେଣ୍ଟ ମାଇକେଲ ସ୍କୁଲରେ ପାଠ ପଢ଼ିଥିଲେ। ଏହାବ୍ୟତୀତ ସେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେ ମାତ୍ର ୧୧ ବର୍ଷ ବୟସରେ ଆମେରିକାରେ ନିଜର ପ୍ରଥମ କନସର୍ଟ କରିଥିଲେ। ୧୯୭୩ ମସିହାରେ ସେ ତାଙ୍କର ପ୍ରଥମ ଆଲବମ୍ ‘ଲିଭିଂ ଇନ୍ ଦି ମ୍ୟାଟେରିଆଲ୍ ୱାର୍ଲ୍ଡ’ ଆରମ୍ଭ କରିଥିଲେ। ଜାକିର ହୁସେନଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେ ତାଙ୍କ ବାପାଙ୍କ ସହ ଏକ କନସର୍ଟକୁ ଯାଇଥିଲେ। ଏହି ସମାରୋହରେ ପଣ୍ଡିତ ରବିଶଙ୍କର, ଉସ୍ତାଦ ଅଲି ଆକବର ଖାନ୍, ବିସମିଲ୍ଲା ଖାନ୍, ପଣ୍ଡିତ ଶାନ୍ତା ପ୍ରସାଦ ଓ ପଣ୍ଡିତ କିଷନ ମହାରାଜଙ୍କ ଭଳି ସଙ୍ଗୀତ ଶିଳ୍ପୀମାନେ ଯୋଗ ଦେଇଥିଲେ। ଜାକିରଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ରାଜନୀତି, ସିନେମା ଏବଂ ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଭାରତ ଓ ପାଶ୍ଚାତ୍ୟ ସଙ୍ଗୀତ ମଧ୍ୟରେ ସେ ଏକ ସେତୁ ଥିଲେ। ତାଙ୍କୁ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିବାର ସୌଭାଗ୍ୟ ମୁଁ ଲାଭ କରିଥିଲି। ତାଙ୍କ ପରିବାର ସଦସ୍ୟ ଏବଂ ଅଗଣିତ ପ୍ରଶଂସକମାନଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି ବୋଲି ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜାକିର ତବଲାକୁ ବିଶ୍ବ ମଞ୍ଚକୁ ନେଇଥିଲେ। ସେ ତାଙ୍କ ତବଲାର ଅତୁଳନୀୟ ତାଳରେ କୋଟି କୋଟି ଲୋକଙ୍କୁ ବାନ୍ଧି ରଖି ପାରିଥିଲେ। ଭାରତର ଶାସ୍ତ୍ରୀୟ ସଙ୍ଗୀତକୁ ସେ ବିଶ୍ବ ସଙ୍ଗୀତ ସହିତ ମିଶାଇ ପାରିଥିଲେ। ଏଥିପାଇଁ ସେ ସାଂସ୍କୃତିକ ଏକତାର ପାଲଟିଥିଲେ। ତାଙ୍କ କିଂବଦନ୍ତି ପ୍ରଦର୍ଶନ ଏବଂ ଆତ୍ମାକୁ ଛୁଇଁଲା ଭଳି ସଙ୍ଗୀତ ହିଁ ସଙ୍ଗୀତଜ୍ଞ ଓ ସଙ୍ଗୀତପ୍ରେମୀଙ୍କୁ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ। ତାଙ୍କ ପରିବାର, ବନ୍ଧୁ ଏବଂ ବିଶ୍ବ ସଙ୍ଗୀତ ସମୁଦାୟକୁ ପ୍ରଧାନମନ୍ତ୍ରୀ ଏଥିପାଇଁ ଗଭୀର ସମବେଦନା ଜଣାଇଛନ୍ତି।