ଓଡିଶା

ବାପା ହତ୍ୟା ପାଇଁ ଝିଅ ରଚିଥିଲା ବ୍ଲୁ ପ୍ରିଣ୍ଟ, ରାତି ଅଧରେ ପକାଇଥିଲା ଏସିଡ୍‌

ବାପା ହତ୍ୟା ପାଇଁ ଝିଅ ରଚିଥିଲା ବ୍ଲୁ ପ୍ରିଣ୍ଟ । କାରଣ ଝିଅର ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିଲା ବାପା । ତେଣୁ ରାସ୍ତାରୁ କଣ୍ଟା ସଫା କରିବାକୁ ପ୍ରେମିକ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲା ଝିଅ। ଆଉ ଶେଷରେ ନିର୍ଦ୍ଦୟ ଝିଅ ବାପା ସମେତ ଛୋଟ ଭାଇ ଉପରେ ପକାଇଥିଲା ଏସିଡ । ଏସିଡ ମାଡ଼ରେ ଗୁରୁତର ବାପପୁଅ ଏବେ ମେଡିକାଲ ବେଡରେ ଛଟପଟ ହେଉଥିବା ବେଳେ ଝିଅ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ୍।

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଢ଼ା କୁନ୍ଦେଲି ଗାଁରେ ଘଟିଥିବା ଏସିଡ୍ ମାଡ଼ ଘଟଣାରେ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ୍। ଏହି ଘଟଣାରେ ପୁଲିସ ତଦନ୍ତ କରି ମୋହନ ପନ୍ଦରଙ୍କ ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାଙ୍କ ପ୍ରେମିକ ବିଜୟ ମାଝୀକୁ ଗିରଫ କରି ଜେଲ ପଠାଇଛି ।

ପୁଷ୍ପାଞ୍ଜଳି ପନ୍ଦର ହେଉଛନ୍ତି ମୋହନ ପନ୍ଦରଙ୍କ ପ୍ରଥମ ପତ୍ନୀଙ୍କ ଝିଅ। ସେ ବିଜୟ ମାଝୀଙ୍କୁ ଭଲ ପାଉଥିଲେ। ଝିଅର ଏହି ପ୍ରେମ ସମ୍ପର୍କକୁ ମୋହନ ପନ୍ଦର ବିରୋଧ କରି ଆସୁଥିଲେ । ଯାହାକୁ ନେଇ ଝିଅ ଓ ବାପାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅସନ୍ତୋଷ ଲାଗି ରହିଥିଲା ।

କିଛି ଦିନ ପୂର୍ବରୁ ବିଜୟ ମାଝୀଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା । ମା’ଙ୍କ ମୃତ୍ୟୁ ପଛରେ ମୋହନ ପନ୍ଦର ଗୁଣି ଗାରେଡି କରିଥିବା ନେଇ ବିଜୟ ସନ୍ଦେହ କରି ଆସୁଥିଲେ । ଉଭୟ ପ୍ରେମିକା ଓ ପ୍ରେମିକ ମିଶି ମୋହନ ପନ୍ଦରଙ୍କ ଉପରେ ଏସିଡ୍ ଢ଼ାଳି ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ପ୍ରେମିକ ସୁଦୂର କଲିକତାରୁ ଏସିଡ୍ ଆଣି ନିଜ ପ୍ରେମିକାକୁ ଦେଇଥିଲେ ।

ଆଉ ପୂର୍ବ ଯୋଜନା ମୁତାବକ, ରାତିରେ ଘର ବାହାରେ ଶୋଇଥିବା ବାପା ମୋହନ ଓ ତାଙ୍କ ପୁଅ ଉପରେ ଝିଅ ପୁଷ୍ପାଞ୍ଜଳି ଏସିଡ୍ ଢ଼ାଳି ଦେଇଥିଲେ ।

ଏହି ଘଟଣାରେ ପୁଲିସ ତଦନ୍ତ କରିବା ପରେ ପ୍ରକୃତ କାରଣ ଜଣା ପଡିବା ସହ ନିଜ ଝିଅ ଓ ତାର ପ୍ରେମିକା ହିଁ ଏଭଳି କାଣ୍ଡ ଭିଆଇଥିବା ବାଲିଗୁଡା ଏସଡ଼ିପିଓ କହିଛନ୍ତି। ପ୍ରେମିକ ନିକଟରୁ ବଳକା ଏସିଡକୁ ପୁଲିସ ଜବତ କରିଛି।

ତୁମୁଡିବନ୍ଧ ଥାନା ଅଞ୍ଚଳର ବଡ଼ କେନ୍ଦୁଲି ଗାଁର ମୋହନ ପନ୍ଦର ଓ ତାଙ୍କର ନାବାଳକ ପୁଅ ଅନୁଜ ପନ୍ଦର ଗତ ୧୮ ତାରିଖ ରାତିରେ ଘର ବାହାରେ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ଉଭୟଙ୍କ ଉପରେ ଏସିଡ୍ ଢ଼ାଳି ଦେଇ ଆକ୍ରମଣ କରିଥିବା ନେଇ ପରିବାର ଲୋକେ ତୁମୁଡିବନ୍ଧ ଥାନାରେ ଅଭିଯୋଗ କରିଥିଲେ । ଉଭୟ ବାପା ଓ ନାବାଳକ ପୁଅଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତୁମୁଡିବନ୍ଧ ଓ ପରେ ବାଲିଗୁଡା ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button