ବାଣୀବିହାର ଛକରେ ହାଇଡ୍ରାମା: ଦହିବରା ବିକାଳିଙ୍କୁ ସ୍ବାମୀ କହି ପିଟିଲେ – Utkal Mail
ଭୁବନେଶ୍ବର: ଆଜି ପୂର୍ବାହ୍ନରେ ବାଣୀବିହାର ଛକରେ ଜଣେ ଯୁବତୀଙ୍କ ହାଇଡ୍ରାମା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ନିଶାରେ ଚୁର୍ ଯୁବତୀ ଜଣଙ୍କ ଜଣେ ଦହିବରା ବିକାଳିଙ୍କୁ ମାଡ଼ ମାରୁଥିବା ବେଳେ ଲୋକେ ତାଙ୍କୁ ପୁଲିସ ଜିମା ଦେଇଥିଲେ। ପ୍ରଥମେ ନିଜକୁ ଜଣେ ଛାତ୍ରୀ ବୋଲି ପରିଚୟ ଦେଇଥିବା ଯୁବତୀ ପରେ ଦହିବରା ବେପାରୀଙ୍କୁ ନିଜ ସ୍ବାମୀ ବୋଲି କହିବା ପରେ ଏକ ବିଚିତ୍ର ପରିସ୍ଥିତି ଉପୁଜିଥିଲା। ସହିଦନଗର ଥାନା ପୁଲିସ ଯୁବତୀଙ୍କୁ ଅଟକ ରଖିଛି।
ସ୍ଥାନୀୟ ବ୍ୟବସାୟୀମାନଙ୍କ ସୂଚନାନୁସାରେ ସବୁଦିନ ଭଳି ବାଣୀବିହାର ଗେଟ୍ ପାଖରେ ସୁବାସ ସାହୁ ଦହିବରା ବିକୁଥିଲେ। ଯୁବତୀଜଣଙ୍କ ଦହିବରା ଖାଇସାରିବା ପରେ ଟଙ୍କା ବାହାର କରିବାକୁ ପକେଟ୍ରେ ହାତ ପୂରାଇ ଖୋଜିଲେ। କିନ୍ତୁ ଟଙ୍କା ପାଇଲେ ନାହିଁ। ସେ ସାଙ୍ଗଠାରୁ ଟଙ୍କା ଆଣି ଦେବେ ବୋଲି କହି ସୁବାସଙ୍କୁ ମୋବାଇଲ ମାଗିଲେ। ସୁବାସ ତାଙ୍କୁ ମୋବାଇଲ୍ ଫୋନ୍ ବଢ଼ାଇଦେଲେ। କିନ୍ତୁ ସେ କଲ୍ କରିବେ କ’ଣ, ମୋବାଇଲ୍କୁ ପକେଟ୍ରେ ପୂରାଇ ସେଠାରୁ ଯିବାକୁ ବାହାରିଲେ। ବିସ୍ମିତ ହୋଇ ସୁବାସ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ଯୁବତୀଜଣଙ୍କ ଚିତ୍କାର କରିଥିଲେ। ସୁବାସଙ୍କ କଲର୍ ଧରି ଟଣାଓଟରା କରି ସାର୍ଟ ଚିରିଦେଲେ। ଏମିତିକି ସେ ଗୋଡ଼ରୁ ଚପଲ ବାହାର କରି ସୁବାସଙ୍କୁ ପିଟିଥିଲେ। ଯୁବତୀଙ୍କ ଏଭଳି ଉନ୍ମତ୍ତକାଣ୍ଡ ଆଖପାଖର ଲୋକେ ସେଠାକୁ ଧାଇଁ ଆସି ତାଙ୍କୁ ଘେରି ଯାଇଥିଲେ। ଲୋକଙ୍କୁ ଏକାଠି ହେବା ଦେଖି ଯୁବତୀ କହିଲେ ଯେ ଦହିବରା ପ୍ରବଳ ରାଗ ହୋଇଥିବାରୁ ସେ ଟଙ୍କା ଦେବେ ନାହିଁ। ଏହାପରେ ସେ ପୁଣି କଥା ବଦଳାଇ କହିଲେ ଯେ ସୁବାସ ତାଙ୍କ ସ୍ବାମୀ ଏବଂ ତା’ ପାଇଁ ତାଙ୍କ ଜୀବନ ବରବାଦ୍ ହୋଇଯାଇଛି। ସେ ଜଣେ ଭଲ ଛାତ୍ରୀ ଥିଲେ ଏବଂ ସୁବାସ ତାଙ୍କୁ ବାହାହୋଇ ଜୀବନ ନଷ୍ଟ କରିଛି ବୋଲି କହିଥିଲେ। ସେ ଆର୍ଟସ୍ ପଢ଼ୁଥିବା ବେଳେ ଫିଜିକ୍ସରେ ଭଲ କରୁଥିଲେ ବୋଲି କହିବାରୁ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚି ସୁବାସଙ୍କୁ ମୁକୁଳାଇବା ପରେ ଯୁବତୀଙ୍କୁ ଥାନାକୁ ନେଇଥିଲା।