ଉସ୍ତାଦ୍ ଜାକିର ହୁସେନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତର କିଂବଦନ୍ତି ପୁରୁଷ ଉସ୍ତାଦ ଜାକିର ହୁସେନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ଆମେରିକାର ସାନ୍ ଫାନ୍ସିସ୍କୋସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ହୃଦ୍ଜନିତ ରୋଗ ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ଜାକିର ୧୯୫୧ ମସିହା ମାର୍ଚ୍ଚ ୯ ତାରିଖରେ ବମ୍ବେରେ ଜନ୍ମ ହୋଇଥିଲେ। ୫ ବର୍ଷ ବୟସରେ ସେ ତବଲା ଶିଖିବା ଆରମ୍ଭ କରିଥିଲେ। ଭାରତୀୟ ସଙ୍ଗୀତ ଏବଂ ବିଶ୍ବ ସଙ୍ଗୀତକୁ ଜାକିରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତବଲା ବଜାଇବାର ଅଦ୍ବିତୀୟ ଦକ୍ଷତା ତାଙ୍କ ନିକଟରେ ରହିଛି। ସେ ତବଲା ବାଦନରେ ଦର୍ଶକଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖି ପାରନ୍ତି। ୪ ଦଶନ୍ଧି ପୂର୍ବେ ସେ ତାଙ୍କ ପରିବାର ସହିତ ଆମେରିକାର ସାନ୍ ଫ୍ରାନ୍ସିସ୍କୋକୁ ଯାଇ ସେଠାରେ ବସବାସ କରୁଛନ୍ତି। ସେଠାରେ ରହି ସେ ବିଶ୍ବ ସଙ୍ଗୀତ ଦୁନିଆକୁ ପରିପୁଷ୍ଟ କରିଛନ୍ତି। ଭଉଣୀ ଖୁର୍ସିଦ ଅଉଲିଆ ଜାକିରଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି।
ତାଙ୍କ ତବଲା ବାଦନ କ୍ୟାରିୟର ମଧ୍ୟରେ ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଭାରତ ସରକାର ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମଭୂଷଣ ଏବଂ ୨୦୨୩ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି। ୧୯୯୦ ଦଶକରେ ସେ ସଙ୍ଗୀତ କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନଭାବେ ସ୍ବୀକୃତ ସଙ୍ଗୀତ ନାଟକ ଏକାଡେମି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଜାକିରଙ୍କୁ ଏକାଧିକ ଗ୍ରାମି ପୁରସ୍କାର ମିଳିଛି। ତାଙ୍କ ପିତାଙ୍କ ନାମ ଉସ୍ତାଦ ଆଲ୍ଲା ରାଖା ଖାନ୍ ଓ ମାତାଙ୍କ ନାମ ବିବି ବେଗମ। ଜାକିରଙ୍କ ପିତା ଆଲ୍ଲା ରାଖା ମଧ୍ୟ ଜଣେ ଖ୍ୟାତନାମା ତବଲା ବାଦକ। ଜାକିର ମୁମ୍ବାଇର ମାହିମରେ ଥିବା ସେଣ୍ଟ ମାଇକେଲ ସ୍କୁଲରେ ପାଠ ପଢ଼ିଛନ୍ତି। ଏହାବ୍ୟତୀତ ସେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ସେ ମାତ୍ର ୧୧ ବର୍ଷ ବୟସରେ ଆମେରିକାରେ ନିଜର ପ୍ରଥମ କନସର୍ଟ କରିଥିଲେ। ୧୯୭୩ ମସିହାରେ ସେ ତାଙ୍କର ପ୍ରଥମ ଆଲବମ୍ ‘ଲିଭିଂ ଇନ୍ ଦି ମ୍ୟାଟେରିଆଲ୍ ୱାର୍ଲ୍ଡ’ ଆରମ୍ଭ କରିଥିଲେ। ଜାକିର ହୁସେନଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେ ତାଙ୍କ ବାପାଙ୍କ ସହ ଏକ କନସର୍ଟକୁ ଯାଇଥିଲେ। ଏହି ସମାରୋହରେ ପଣ୍ଡିତ ରବିଶଙ୍କର, ଉସ୍ତାଦ ଅଲି ଆକବର ଖାନ୍, ବିସମିଲ୍ଲା ଖାନ୍, ପଣ୍ଡିତ ଶାନ୍ତା ପ୍ରସାଦ ଓ ପଣ୍ଡିତ କିଷନ ମହାରାଜଙ୍କ ଭଳି ସଙ୍ଗୀତ ଶିଳ୍ପୀମାନେ ଯୋଗ ଦେଇଥିଲେ। ପ୍ରଦର୍ଶନ ସରିବା ପରେ ଜାକିରଙ୍କୁ ୫ ଟଙ୍କା ମିଳିଥିଲା। ଏକ ସାକ୍ଷାତ୍କାରରେ ସେ ଏହା ଉଲ୍ଲେଖ କରି କହିଥିଲେ, ‘‘ମୁଁ ମୋ ଜୀବନରେ ବହୁତ ଟଙ୍କା ରୋଜଗାର କରିଛି, କିନ୍ତୁ ସେହି ୫ ଟଙ୍କା ସବୁଠାରୁ ମୂଲ୍ୟବାନ ଥିଲା।’’
ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଦେଶ ଆମେରିକା ମଧ୍ୟ ଜାକିର ହୁସେନଙ୍କୁ ସମ୍ମାନ ଦେଇଥିଲା। ୨୦୧୬ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ତାଙ୍କୁ ଅଲ୍ ଷ୍ଟାର ଗ୍ଲୋବାଲ କନସର୍ଟରେ ଯୋଗ ଦେବା ପାଇଁ ହ୍ୱାଇଟ୍ ହାଉସ୍କୁ ନିମନ୍ତ୍ରଣ କରିଥିଲେ। ଜାକିର ହୁସେନ୍ ହେଉଛନ୍ତି ପ୍ରଥମ ଭାରତୀୟ ସଙ୍ଗୀତଜ୍ଞ ଯିଏ କି ଏହି ନିମନ୍ତ୍ରଣ ଗ୍ରହଣ କରିଥିଲେ। ଜାକିର ହୁସେନ ଶଶି କପୁରଙ୍କ ସହ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ୧୯୮୩ ମସିହାରେ ବ୍ରିଟିସ ଚଳଚ୍ଚିତ୍ର ‘ହିଟ୍ ଆଣ୍ଡ ଡଷ୍ଟ’ରେ ଡେବ୍ୟୁ କରିଥିଲେ। ଶଶି କପୁର ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଥିଲେ। ଜାକିର ହୁସେନଙ୍କୁ ମୋଗଲ-ଏ-ଆଜମ (୧୯୬୦) ଚଳଚ୍ଚିତ୍ରରେ ସଲିମଙ୍କ ସାନ ଭାଇ ଭୂମିକା ପାଇଁ ଅଫର ମଧ୍ୟ ଦିଆଯାଇଥିଲା, କିନ୍ତୁ ତାଙ୍କ ପିତା ସେତେବେଳେ ଏହାକୁ ଗ୍ରହଣ କରି ନ ଥିଲେ। ସେ ଚାହୁଥିଲେ ଯେ ତାଙ୍କ ପୁଅ ସଙ୍ଗୀତ ଉପରେ ଧ୍ୟାନ ଦିଅନ୍ତୁ।