ପ୍ରେମିକ ଦୁଆରେ ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ: ପ୍ରତାରକ ଫେରାର୍ – Utkal Mail
ଭୁବନେଶ୍ବର: ଗତ ୧୦ ତାରିଖରୁ ମଞ୍ଚେଶ୍ବର ଥାନାରେ ହୋଇଥିବା ଏକ ପ୍ରେମ, ପ୍ରତାରଣା ମାମଲା ଆଜି ରାଜଧାନୀର ଆଲୋଡନ ସୃଷ୍ଟି କରିଛି। ପ୍ରତାରଣାର ଶିକାର ହୋଇଥିବା ସ୍ବାମୀ ପରିତ୍ୟକ୍ତା ଶିକ୍ଷୟିତ୍ରୀ ପ୍ରେମିକର ସତ୍ୟବିହାରସ୍ଥିତ ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ୧୦ ତାରିଖରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ପ୍ରତାରିତା ଶିକ୍ଷୟିତ୍ରୀ ବାଧ୍ୟ ହୋଇ ଆଜି ଏଭଳି ପଦକ୍ଷେପ ନେଇଛନ୍ତି। ଅଭିଯୁକ୍ତ ପ୍ରେମିକ ଜଣେ ୟୁଟ୍ୟୁବର୍ ଓ ତାଙ୍କର ସହିଦନଗରରେ ଏକ ଔଷଧ ଦୋକାନ ଥିବା ଜଣାପଡ଼ିଛି।
ଶିକ୍ଷୟିତ୍ରୀଙ୍କ ଘର କଟକ ଜଗତପୁର ଅଞ୍ଚଳରେ। ସେ ବିବାହିତା ଏବଂ ତାଙ୍କର ଛାଡ଼ପତ୍ର ହୋଇ ସାରିଛି। ଏକମାତ୍ର କନ୍ୟା ସନ୍ତାନକୁ ପାଖରେ ରଖି ସେ ଭୁବନେଶ୍ବରର ଏକ ଘରୋଇ ସ୍କୁଲ୍ରେ ଗଣିତ ଶିକ୍ଷକଭାବେ କାମ କରୁଛନ୍ତି। ସେ ସତ୍ୟବିହାର ଅଞ୍ଚଳରେ ଘର ଭଡ଼ା ନେଇ ରୁହନ୍ତି। ତାଙ୍କ ପାଖକୁ ଟ୍ୟୁସନ୍ ଆସୁଥିବା ପିଲାଙ୍କ ପାଇଁ ଜାଗା ଅଭାବ ହେଉଥିବାରୁ ସେ ଅନ୍ୟ ଏକ ଭଡ଼ା ଘର ଅନ୍ବେଷଣରେ ଥିଲେ। ଏହା ଭିତରେ ଶିକ୍ଷୟିତ୍ରୀଜଣଙ୍କ ଜିମ୍ ଯିବା ଭିତରେ ଅଭିଯୁକ୍ତ ଯୁବକଙ୍କ ସହ ପରିଚିତ ହୋଇଥିଲେ। ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଭଡ଼ା ଘରଟିଏ ବୁଝିଦେବା ପାଇଁ ଶିକ୍ଷୟିତ୍ରୀ କହିବା ପରେ ଯୁବକ ଘର ବୁଝିବାକୁ କହି ତାଙ୍କଠାରୁ ୯ ହଜାର ଟଙ୍କା ନେଇଥିଲେ। କିନ୍ତୁ ଘର ଠିକ୍ କରିନଥିଲେ।
ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲେ। ଶିକ୍ଷୟିତ୍ରୀଙ୍କ କହିବା କଥା ଅଗଷ୍ଟ ୯ ତାରିଖ ରାତିରେ ତାଙ୍କୁ ଜ୍ବର ହୋଇଥିଲା। ମେଡିସିନ୍ ଆଣିବା ପାଇଁ ସେ ଯୁବକଙ୍କୁ କହିଥିଲେ। ଦୋକାନ ବନ୍ଦ କରି ଯୁବକଜଣଙ୍କ ମେଡିସିନ୍ ଧରି ରାତି ପ୍ରାୟ ସାଢ଼େ ୧୦ଟାରେ ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚିଥିଲେ। ଔଷଧ ସେବନ କରିବାର କିଛି ସମୟ ପରେ ଶିକ୍ଷୟିତ୍ରୀ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ। ଏହି ମଉକାରେ ଯୁବକ ତାଙ୍କ ସହ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଶିକ୍ଷୟିତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି। ଏହାପରଠୁ ସେମାନଙ୍କ ମଧ୍ୟରେ ନିୟମିତ ଶାରୀରିକ ସମ୍ପର୍କ ରହିଥିବା ସେ ପୁଲିସକୁ କହିଛନ୍ତି। ବିବାହର ପ୍ରଲୋଭନ ଦେଖାଇ ଯୁବକଜଣଙ୍କ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା କହିଛନ୍ତି। ସେହିଭଳି ବିଭିନ୍ନ ସମୟରେ ବାପାମା’, ଭଉଣୀଙ୍କ ଦେହ ଖରାପ କଥା କହି ସେ ତାଙ୍କଠାରୁ ଟଙ୍କା ମଧ୍ୟ ନେଇଛନ୍ତି।