କ୍ରାଇମ

ଆର୍‌ଟିଓ ଡ୍ରାଇଭରଙ୍କୁ ଗାଡ଼ି ମଡ଼ାଇଦେଲେ: ଗଞ୍ଜେଇ ମାଫିଆ ଗାଡ଼ି ଚଢ଼ାଇଥିବା ସନ୍ଦେହ – Utkal Mail


କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ନବରଙ୍ଗପୁର: ଜାତୀୟ ରାଜପଥରେ ଦ୍ରୁତଗାମୀ କାର୍‌ ଧକ୍କାରେ ନବରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ଡ୍ରାଇଭର ଦିଲ୍ଲୀପ କୁମାର ନାୟକଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତି ପ୍ରାୟ ୧୧ଟା ୪୦ମିନିଟ୍‌ରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା। ଅନ୍ୟପକ୍ଷରେ ଏହି ‘ହିଟ୍‌ ଆଣ୍ଡ୍‌ ରନ୍‌’ ଘଟଣା ସଂପର୍କରେ ନବରଙ୍ଗପୁର ଏଆର୍‌ଟିଓ ଦେବାଶିଷ ମଲ୍ଲିକ ଆଜି ସକାଳେ ଥାନାରେ ଏତଲା ଦେଇଛନ୍ତି। ଧରାପଡ଼ିବା ଭୟରେ ଗଞ୍ଜେଇ ମାଫିଆ ଗାଡ଼ି ଚଢ଼ାଇ ଦିଲ୍ଲୀପଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଚିକିଲି ଛକରେ ଗାଡ଼ି ଯାଞ୍ଚ ହୋଇଥିଲା। ଗୋଟିଏ ଗାଡ଼ିକୁ ଜବତ କରି ରାତି ପ୍ରାୟ ସାଢ଼େ ୧୧ଟାରେ ଜାତୀୟ ରାଜପଥ ପାର୍ଶ୍ବରେ ରହିଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଆଣିଥିଲେ। ଏହି ସମୟରେ ଗୋଟିଏ ଧଳା ରଙ୍ଗର କାର ଦ୍ରୁତଗତିରେ ସେହି ରାସ୍ତା ଅତିକ୍ରମ କରୁଥିଲା। ଠିକ୍‌ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ କାର ଡ୍ରାଇଭର ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଦିଲ୍ଲୀପଙ୍କୁ ଧକ୍କା ଦେଇ ଆଖି ସେଠାରୁ ଚାଲି ଯାଇଥିଲା। ଧକ୍କା ଖାଇ ଦିଲ୍ଲୀପ ରାସ୍ତା କଡ଼ରେ କଚାଡ଼ି ହୋଇ ପଡ଼ିବା ସହ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଆର୍‌ଟିଓ ଗାଡ଼ିରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତର ମୃତ ଘୋଷଣା କରିଥିଲେ।

କାରରେ କୌଣସି ଅବକାରୀ ସାମଗ୍ରୀ ରହିଥିବା ଆର୍‌ଟିଓ ଜିତେନ୍ଦ୍ର ଭୋଇ ସନ୍ଦେହ କରିଛନ୍ତି। ଆଜି ସକାଳେ ନବରଙ୍ଗପୁର ପରିବହନ ବିଭାଗ ପକ୍ଷରୁ ନବରଙ୍ଗପୁର ଥାନାରେ ଏଆର୍‌ଟିଓ ଦେବାଶିଷ ମଲ୍ଲିକ ଏତଲା ଦେଇଛନ୍ତି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରୁ ସିସିଟିଭି କ୍ୟାମେରା ଫୁଟେଜ୍‌ ସଂଗ୍ରହ କରିଛି। ତେବେ ଏହି ଘଟଣା ପରେ ଓଡ଼ିଶା ମୋଟର ଚାଳକ ସଂଘ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଥିଲା। ଦିଲ୍ଲୀପଙ୍କ ମରଶରୀର ବ୍ୟବଚ୍ଛେଦ ପରେ ମାଝିଗୁଡ଼ା ଆଣି ରାସ୍ତାରୋକ କରିଥିଲା। ତୁରନ୍ତ ପରିବାରକୁ କ୍ଷତିପୂରଣ ସହ ପରିବାରରୁ ଜଣଙ୍କୁ ଥାଇଥାନ କରିବାକୁ ଦାବି ହୋଇଥିଲା। ଉତ୍ତେଜନା ବଢ଼ି ଚାଲିଥିବା ବେଳେ ଆର୍‌ଟିଓଙ୍କୁ ଡାକି ସାଂସଦ ରମେଶ ଚନ୍ଦ୍ର ମାଝୀ ଆଲୋଚନା କରିଥିଲେ।

କିଛି ସମୟ ପରେ ଧାରଣାସ୍ଥଳରେ ଆର୍‌ଟିଓ, ତହସିଲଦାର ଆଶୁତୋଷ ପାତ୍ର ଏବଂ ଥାନା ଅଧିକାରୀ ସମ୍ବିତ କୁମାର ବେହେରା ପ୍ରମୁଖ ପହଞ୍ଚିଥିଲେ। ଦିଲ୍ଲୀପଙ୍କ ପରିବାର ସଦସ୍ୟ ଏବଂ ଓଡ଼ିଶା ମୋଟର ଚାଳକ ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସରକାର ନିର୍ଦ୍ଧାରିତ କରିଥିବା କ୍ଷତିପୂରଣ ୧୦ଦିନ ମଧ୍ୟରେ ପ୍ରଦାନ କରାଯିବ। ସେହିପରି ପରିବାରରୁ ଜଣଙ୍କୁ ଥଇଥାନ କରାଯିବ। ଏଥିପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ବୋଲି ଆର୍‌ଟିଓ ପ୍ରତିଶ୍ରୁତି ଦେଇଥିଲେ। ଭରସାଯୋଗ୍ୟ ପ୍ରତିଶ୍ରୁତି ମିଳିବାରୁ ସଂଧ୍ୟା ୫ଟାରେ ରାସ୍ତାରୋକ ହଟିବା ସହ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଏହାପରେ ଦିଲ୍ଲୀପଙ୍କ ମରଶରୀର ଜନ୍ମମାଟି ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳକୁ ପଠାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button