ଦେଶ ବିଦେଶ

୭୫ ହଜାର ଛୁଇଁବ ସୁନା – Utkal Mail


୨୦୨୪ରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ୩ ଥର ହ୍ରାସ କରାଯିବ ବୋଲି ଚର୍ଚ୍ଚା ହେଉଛି। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ସୁଧ ହାର ହ୍ରାସ ଚର୍ଚ୍ଚା ସହିତ ଅନ୍ୟାନ୍ୟ କେତେକ କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ୁଛି। ଚଳିତ ଆର୍ଥିକବର୍ଷ ୨୦୨୩-୨୪ର ଶେଷଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ସୁନା ଦର ୧୦ ଗ୍ରାମ ପିଛା ୬୭,୮୦୦ ଟଙ୍କାରେ ବନ୍ଦ ହୋଇଛି।

ଆସନ୍ତାମାସରେ ପ୍ରଦାନ କରାଯିବାକୁ ଥିବା ସୁନା ଦର ଏହି ସ୍ତରରେ ପହଞ୍ଚିଛି। ୬୭,୮୦୦ ଟଙ୍କାରେ ପହଞ୍ଚିବା ଫଳରେ ସୁନା ମୂଲ୍ୟ ଏମ୍‌ସିଏକ୍ସରେ ଗତ ୬ ମାସ ମଧ୍ୟରେ ୧୦ ଗ୍ରାମ୍‌ ପିଛା ପ୍ରାୟ ୧୧ ହଜାର ଟଙ୍କା ବଢ଼ିଛି। ସେହିଭଳି ସ୍ପଟ ସୁନା ମୂଲ୍ୟ ଆଉନ୍ସ ପିଛା ୨୦୨୩-୨୪ ଆର୍ଥିକ ବର୍ଷର ଶେଷଦିନରେ ୨୨୫୪ ଡଲାର ରହିଛି। କମୋଡିଟି ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ୨୦୨୪-୨୫ରେ ମଧ୍ୟ ସୁନା ଦର ବୃଦ୍ଧି ଜାରି ରହିବ।

ଏପରିକି ଏମ୍‌ସିଏକ୍ସରେ ସୁନା ଦାମ୍‌ ୧୦ ଗ୍ରାମ ପିଛା ୭୫ ହଜାର ଟଙ୍କାରେ ପହଞ୍ଚିପାରେ। ଏସ୍‌ଏସ୍‌ ୱେଲଥ୍‌ଷ୍ଟ୍ରିଟ୍‌ର ପ୍ରତିଷ୍ଠାତା ସୁଗନ୍ଧା ସଚ୍ଚଦେବାଙ୍କ କହିବାନୁଯାୟୀ, ସୁନା ଦାମ୍‌ ଚଳିତ ଆର୍ଥିକବର୍ଷର ଶେଷ ଦୁଇ ତ୍ରୟମାସରେ ୧୧ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର କମୋଡିଟି ଏବଂ କରେନ୍ସି ମୁଖ୍ୟ ଅନୁଜ ଗୁପ୍ତାଙ୍କ କହିବାନୁଯାୟୀ, ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆସନ୍ତାବର୍ଷ ହେବାକୁ ଥିବା ସୁଧ ହାର ହ୍ରାସ ଆଶାରେ ସୁନା ଓ ରୁପା ମୂଲ୍ୟ ବଢ଼ୁଛି। ତାଙ୍କ ମତରେ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୬ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଲୋକମାନେ ଉକ୍ତ ସୁଧ ହାର ହ୍ରାସକୁ ଦୃଷ୍ଟିରେ ରଖି ସୁନା ଓ ରୁପାରେ ନିବେଶ ନେଇ ଯୋଜନା କରିବା ଆବଶ୍ୟକ। ଯଦି ଫେଡେରାଲ ରିଜର୍ଭ ଆଗାମୀ ଦିନରେ ସୁଧ ହାର ହ୍ରାସ ପରେ ତା’ହେଲେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୩୫୦ ଡଲାର ଛୁଇଁପାରେ ବୋଲି ସେ କହିଛନ୍ତି। ସଚ୍ଚଦେବାଙ୍କ କହିବାନୁଯାୟୀ, ସୁନା ମୂଲ୍ୟ ଆଉନ୍ସ ପିଛା ୨୪୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button