କର୍କଟ ପୀଡ଼ିତ ମା’ କେଶକୁ ଦେଖି ମନ ଦୁଃଖ କରିବ ବୋଲି ଲଣ୍ଡା ହେଲେ ପରିବାରର ସମସ୍ତ ସଦସ୍ୟ – Utkal Mail
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କର୍କଟ ପୀଡ଼ିତା ମା’ଙ୍କ ପାଇଁ ପରିବାରର ସମସ୍ତ ସଦସ୍ୟ କେଶ କାଟି ଦେଉଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଜଣେ ମା’ ଚୌକିରେ ବସି କାନ୍ଦୁଛନ୍ତି। କାରଣ ସେ କର୍କଟରେ ପୀଡିତ ହେବାପରେ ତାଙ୍କର ସମସ୍ତ କେଶ କଟାଯାଉଛି। ଏହି ସମୟରେ ତାଙ୍କ ପରିବାର ସଦସ୍ୟ ବି ଜଣକ ପରେ ଜଣେ କେଶକାଟି ଚାଲୁଥିବା ଦେଖିବାକୁ ମିଳୁଛି।
କାରଣ କର୍କଟ ପୀଡିତ ମା’ ତାଙ୍କ ମସ୍ତକରେ କେଶ ନଥିବା ଦେଖି କାଳେ ମନ ଦୁଃଖ କରିବେ। ସେଥିପାଇଁ ପରିବାରଲୋକ ବି ସ୍ଥିର କରିଥିଲେ ମା’ଙ୍କ ସହିତ ସେମାନେ ବି ଲଣ୍ଡା ହୋଇଯିବେ। ଯେପର୍ଯ୍ୟନ୍ତ ମା’ଙ୍କ ମୁଣ୍ଡରେ କେଶ ନାହିଁ ସେମାନେ ବି ତାଙ୍କ ମସ୍ତକରେ କେଶ ରଖିବେ ନାହିଁ। ତେବେ ମା’ ବି ତାଙ୍କ ପରିବାର ସଦସ୍ୟଙ୍କୁ କେଶ କାଟୁଥିବା ଦେଖି ମନା କରିଥିଲେ। ଦୟାକରି ଏପରି କର ନାହିଁ ବୋଲି ବି ଗୁହାରି କରିଥିଲେ। କିନ୍ତୁ ସେମାନେ ମା’ଙ୍କ କୌଣସି କଥା ଶୁଣି ନଥିଲେ।
ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଗୁଡ଼ ନ୍ୟୁଜ ମୁଭମେଣ୍ଟ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଆକାଉଣ୍ଟରୁ ନିକଟରେ ବି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଯେଉଁଥିରେ ଜଣେ ମହିଳା ଏକ ଚୌକିରେ ବସିଛନ୍ତି। ଏତିକି ବେଳେ ତାଙ୍କ ସ୍ବାମୀ ଆସି କର୍କଟ ପୀଡ଼ିତ ସ୍ତ୍ରୀଙ୍କ ମୁଣ୍ଡରୁ କେଶ କାଟି ଦେଉଛନ୍ତି। ମୁଣ୍ଡରୁ ସ୍ବାମୀ କେଶ କାଟୁଥିବା ବେଳେ ସ୍ତ୍ରୀ ଭୋଭୋ ହୋଇ କାନ୍ଦୁଛନ୍ତି। ସ୍ତ୍ରୀଙ୍କୁ ଆଶ୍ବସନା ଦେବାକୁ ଯାଇ ସ୍ବାମୀ ବି ତାଙ୍କ କେଶ କାଟି ଦେଉଥିବା ଦେଖିବାକୁ ମିଳୁଛି।