ଦେଶ ବିଦେଶ

ଏଲ୍‌ଓସିରେ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ: ରାଜୌରୀ ସେକ୍ଟରରେ ଶତାଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅଖନୁର ଜିଲ୍ଲାରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ନିୟନ୍ତ୍ରଣ ରେଖା ନିକଟ ଅଖନୁର ସେକ୍ଟରରେ ହୋଇଥିବା ଶକ୍ତିଶାଳୀ ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣ ଯବାନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବୋଲି  ସେନା କହିଛି।   ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖାରେ  ପାଟ୍ରୋଲିଂରେ ଯବାନମାନେ ମୁତୟନ ଥିବା ବେଳେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ।   ସଂପୃକ୍ତ ଅଞ୍ଚଳରେ ଏବେ ବିଶାଳ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ସୀମାବର୍ତ୍ତୀ କେତେକ ଗ୍ରାମରେ ମଧ୍ୟ ଘରକୁ ଘର ତଲାସୀ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁର ଖୌର ଥାନା ଅନ୍ତର୍ଗତ କେରି ବଟଲ୍‌ ଅଞ୍ଚଳରେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଆକ୍ରମଣ ହୋଇଥିଲା। ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂ କରୁଥିବା ୩ ଜଣ ଯବାନ ଆଇଇଡି ବିସ୍ଫୋରଣର ଶିକାର ହୋଇଥିବା ସେନା ଅଧିକାରୀ କହିଛନ୍ତି।   ସଂପୃକ୍ତ ଅଂଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି। ନାଗରୋଟା ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଆକ୍ରମଣ ସଂପର୍କରେ ସୂଚନା ପ୍ରଦାନ କରିଛି।

ହ୍ୱାଇଟ୍ ନାଇଟ୍ କର୍ପସ୍‌ର ଜେନେରାଲ  କମାଣ୍ଡିଂ ଅଫିସର ଏବଂ ଲେଫ୍ଟନାଣ୍ଟ ଜେନେରାଲ ନବୀନ ସଚଦେବ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି।  ରାଜୌରୀ ଜିଲ୍ଲାର କେରି ସେକ୍ଟରରେ ଆତଙ୍କବାଦୀଙ୍କ ଗୁଳିଚାଳନାର ଦୁଇ ଦିନ ପରେ ଏହି ଘଟଣା ଘଟିଛି। ସେହିପରି ରାଜୌରୀ ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ପ୍ରାୟ ୧୦୦ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ଏଜେନ୍ସିମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପାକିସ୍ତାନ ଏହି ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟସ୍ଥ ବିଭିନ୍ନ ଲଞ୍ଚପ୍ୟାଡ୍‌କୁ ସ୍ଥାନାନ୍ତର କରିଛି। ସେମାନଙ୍କୁ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରାଇ ଆତଙ୍କବାଦୀ ଆକ୍ରମଣ କରାଇବା ନି‌ମନନ୍ତେ ପାକ୍‌ ସେନା ଓ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅହରହ ପ୍ରୟାସ ଚଳାଇଛି। ପାକିସ୍ତାନୀ ଆତଙ୍କବାଦୀମାନେ ନିୟମିତ ଭାବେ ଏହି ଅଞ୍ଚଳରେ ଆଇଇଡି ଆକ୍ରମଣ ଯୋଜନା କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button