ଦେଶ ବିଦେଶ

ସିନ୍ଦେଙ୍କୁ କାମ୍‌ରାଙ୍କ ପରିହାସ: ମହାରାଷ୍ଟ୍ର ରାଜନୀତି ସରଗରମ, କ୍ଷମା ମାଗିବାକୁ ନାରାଜ କାମ୍‌ରା

ନୂଆଦିଲ୍ଲୀ: ହାସ୍ୟ କଳାକାର କୁନାଲ କାମ୍‌ରାଙ୍କ ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ମୁମ୍ବାଇରେ ଏକ ସୋ’ ଚାଲିଥିବା ସମୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ସେ ଦେଇଥିବା ଟିପ୍ପଣୀକୁ ନେଇ ବିବାଦ ହୋଇଛି। ତାଙ୍କ ଟିପ୍ପଣୀରେ ଶିବସେନା କର୍ମୀମାନେ କ୍ରୋଧିତ ହୋଇ ସେ ସୋ କରୁ୍‌ଥିବା ସ୍ଥାନରେ ଭଙ୍ଗାରୁଜା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କାମ୍‌ରା ଲୋକପ୍ରିୟ ହିନ୍ଦୀ ଗୀତ ‘ଦିଲ୍‌ ତୋ ପାଗଲ୍‌ ହେ’କୁ ଆଧାର କରି ସି‌ନ୍ଦେଙ୍କୁ ବିଶ୍ବାସଘାତକ ଏବଂ ‘ଗଦ୍ଦର’ କହି ବ୍ୟଙ୍ଗ କରିଥିଲେ। ମହାରାଷ୍ଟ୍ରରେ ନିକଟରେ ହୋଇଥିବା ରାଜନୈତିକ ସ୍ଥିତି ଏବଂ ଶିବସେନା ଓ ଏନ୍‌ସିପିରେ ହୋଇଥିବା ଫାଟ ସଂକ୍ରାନ୍ତରେ ସେ ମଜା କରିଥିଲେ। ସେ କହିଥିଲେ, ‘ ମେରି ନଜର ସେ ତୁମ୍‌ ଦେଖୋ ତୋ ଗଦ୍ଦର ନଜର ୱ ଆୟେ’। କାମ୍‌ରା କହିଛନ୍ତି, ଶିବସେନା ପ୍ରଥମେ ବିଜେପିରୁ ବାହାରି ଆସିଲା ଏବଂ ପରେ ଶିବସେନାରୁ ବାହାରି ଆସିଲା। ଏନ୍‌ସିପିରୁ ବି ଏନ୍‌ସିପି ବାହାରି ଆସିଲା। ସେମାନେ ଜଣେ ଭୋଟରଙ୍କୁ ୯ଟି ବଟନ୍‌ ଦେଲେ। ଏହାଦ୍ବାରା ଭୋଟରମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

କାମ୍‌ରାଙ୍କ ଏଭଳି ଟିପ୍ପଣୀ ପାଇଁ ଶିବସେନା କର୍ମୀମାନେ କ୍ରୋଧିତ ହୋଇ ସେ ସୋ କରୁଥିବା ମୁମ୍ବାଇର ଖାର୍‌ ଅଞ୍ଚଳ ସ୍ଥିତ ୟୁନିକଣ୍ଟିନେଣ୍ଟାଲ୍‌ ହୋଟେଲ୍‌ ପରିସରରେ ଥିବା ହାବିଟାଟ୍‌ ଷ୍ଟୁଡିଓରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଶିବସେନା ବିଧାୟକ ମୁରଜି ପଟେଲ କାମ୍‌ରାଙ୍କ ବିରୋଧରେ ଏକ ଏତଲା ରୁଜୁ କରିଛନ୍ତି। କୁନାଲ୍‌ କାମ୍‌ରାଙ୍କୁ କ୍ଷମା ମାଗିବାପାଇଁ ପଟେଲ୍‌ ୨ ଦିନ ସମୟ ଦେଇଛନ୍ତି। ପଟେଲ ମଧ୍ୟ କାମ୍‌ରାଙ୍କୁ ମୁମ୍ବାଇରେ ବାହାରେ ନବୁଲିବାପାଇଁ ଧମକ ଦେଇଛନ୍ତି। ପଟେଲ କହିଛନ୍ତି, ଯଦି ତାଙ୍କୁ ସର୍ବସାଧାରଣରେ କେଉଁଠାରେ ଦେଖିବାକୁ ମିଳେ ତେବେ ତାଙ୍କ ମୁହଁରେ ଆମେ କଳା ବୋଳିବୁ। ଅନ୍ୟପକ୍ଷେ କାମ୍‌ରାଙ୍କ କମେଡି ସେଟ୍‌ ଭଙ୍ଗାରୁଜା କରିଥିବାରୁ ଶବିସେନା ଯୁବ ସେନା ସା‌ଧାରଣ ସମ୍ପାଦକ ରାହୁଲ କାନଲ ଏବଂ ଅନ୍ୟ ୧୯ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଭଙ୍ଗାରୁଜା କରିଥିବା ଶିବସେନା କର୍ମୀ ରାହୁଲ କାନଲ ଓ ଅନ୍ୟ ୧୧ ଜଣଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି।

ତେବେ କାମ୍‌ରାଙ୍କ ଟିପ୍ପଣୀକୁ ଶିବସେନା(ୟୁବିଟି) ସମର୍ଥନ କରିବା ସହ ଆକ୍ରମଣକୁ ନିନ୍ଦା କରିଛନ୍ତି। ଆଦିତ୍ୟ ଠାକ୍‌ରେ ଭଙ୍ଗାରୁଜାକୁ ଭୀରୁତା ବୋଲି କହିଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ କାମ୍‌ରାଙ୍କ ଗଦ୍ଦର ଟିପ୍ପଣୀକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଗଦ୍ଦରକୁ ଗଦ୍ଦର କହିବା କାହା ଉପରେ ଆକ୍ରମଣ ନୁହେଁ। କାମ୍‌ରାଙ୍କ ପୂରା ଗୀତ ଶୁଣିବା ସହ ଅନ୍ୟମାନଙ୍କୁ ଶୁଣାଇବାକୁ ସେ ଅନୁରୋଧ କରିଛନ୍ତି।

କ୍ଷମା ମାଗିବାକୁ ନାରାଜ କାମ୍‌ରା

ମୁମ୍ବାଇ: ହାସ୍ୟ କଳାକାର କୁନାଲ କାମ୍‌ରା ପୁଲିସକୁ କହିଛନ୍ତି, ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉଦ୍ଦେଶ୍ୟରେ ଦେଇଥିବା ‘ଗଦ୍ଦର’ ଟିପ୍ପଣୀ ପାଇଁ ଆଦୌ ପଶ୍ଚାତାପ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କାମ୍‌ରାଙ୍କ ଗଦ୍ଦର ଟିପ୍ପଣୀ ପାଇଁ ତାଙ୍କୁ କ୍ଷମା ମାଗିବାପାଇଁ ଦାବି କରିଥିବା‌ବେଳେ କାମ୍‌ରା ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ସେ କହିଛନ୍ତି, କେବଳ କୋର୍ଟ କହିଲେ ହିଁ ସେ ‌କ୍ଷମା ମାଗିବେ। ତେବେ ମିଳିଥିବା ସୂଚନାନୁଯାୟୀ କୁନାଲ୍‌ କାମ୍‌ରା ପୁଲିସ ଅଧିକାରୀଙ୍କୁ କହିଛନ୍ତି ଯେ ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ। କିନ୍ତୁ ଏବେ ସେ ମୁମ୍ବାଇରେ ନାହାନ୍ତି। ଅନ୍ୟପକ୍ଷେ ମୁମ୍ବାଇ ପୁଲିସ ମଧ୍ୟ କାମ୍‌ରାଙ୍କୁ ହାଜର ହେବାପାଇଁ କୌଣସି ତାରିଖ ଧାର୍ଯ୍ୟ କରିନି। ଉଲ୍ଲେଖଯୋଗ୍ୟ ହାସ୍ୟ କଳାକାର କାମ୍‌ରା ଶିବସେନା ନେତା ଏକନାଥ ସି‌ନ୍ଦେ ତତ୍କାଳୀନ ଶିବସେନା ଦଳ ଛାଡ଼ି ବିଜେପି ସହଯୋଗାରେ ସରକାର ଗଠନ କରିବାକୁୁ ନେଇ ତାଙ୍କର ମଜାକ୍‌ ଉଡ଼ାଇଥିଲେ।

ହାବିଟାଟ୍‌ ଷ୍ଟୁଡିଓ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ: ମୁମ୍ବାଇର ଖାର୍‌ ଅଞ୍ଚଳ ସ୍ଥିତ ୟୁନିକଣ୍ଟିନେଣ୍ଟାଲ୍‌ ହୋଟେଲ୍‌ରେ ଥିବା ହାବିଟାଟ୍‌ ଷ୍ଟୁଡିଓକୁ ବିଏମ୍‌ସି ଆଜି ଭାଙ୍ଗି ଦେଇଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରିହାସ କରି କୁନାଲ କାମ୍‌ରା ଏହିଠାରେ ଏକ ଭିଡିଓ ରେକର୍ଡ କରିଥିଲେ। ଏହାକୁ ନେଇ ବଡ଼ଧରଣର ବିବାଦ ହେବାପରେ ଆଜି ବିଏମ୍‌ସି ଏଠାରେ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି। ବିଏମ୍‌ସିର ଏକ ଟିମ୍‌ ଏଠାରେ ପଶି ଷ୍ଟୁଡିଓ ଭାଙ୍ଗି ଦେଇଛନ୍ତି। ଆଜି ସକାଳେ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ବିଏମ୍‌ସି କମିସନରଙ୍କୁ ଏନେଇ ନିର୍ଦ୍ଦେଶ ଦେବାପରେ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଲ୍ଳେଖଯୋଗ୍ୟ ଯେ ରବିବାର ରାତିରେ କୁନାଲ କାମ୍‌ରା ସିନ୍ଦେଙ୍କୁ ବିଶ୍ବାସଘାତ କହିବାପରେ ଅନେକ ଶିବସେନା କର୍ମୀ ଷ୍ଟୁଡିଓ ଭିତରକୁ ପଶି ଷ୍ଟୁଡିଓ ଏବଂ ହୋଟେଲ ଭଙ୍ଗାରୁଜା କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ କହିଛନ୍ତି ଯେ କାମ୍‌ରାଙ୍କ ଟିପ୍ପଣୀ ନିନ୍ଦନୀୟ ଏବଂ ଏଥିପାଇଁ ସେ କ୍ଷମା ମାଗିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button