ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା ଶେଷ ଭିଡିଓ କଲ୍ର ଡିଜେ କିଏ? – Utkal Mail
୧୨ ଜଣଙ୍କୁ ଫୋନ୍ କଲ୍ ୮ଜଣଙ୍କୁ ଭିଡିଓ କଲ୍, ଦ୍ବିତୀୟ ପୁରୁଷବନ୍ଧୁ ମୋବାଇଲ୍ ଜବତ
ଭୁବନେଶ୍ବର: ହୋଟେଲ୍ ଦୀପାଳିରେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଏବେ ବି ରହସ୍ୟ ହୋଇ ରହିଛି। ତାଙ୍କ ମୃତ୍ୟୁ ପଛର କାରଣ ନେଇ ଭିନ୍ନ ଭିନ୍ନ କଥା ପଦାକୁ ଆସୁଥିବା ବେଳେ କେତେବେଳେ ପୁରୁଷବନ୍ଧୁଙ୍କ ଆଡ଼କୁ ନଜର ଯାଉଛି ତ କେତେବେଳେ ସମ୍ପର୍କୀୟ ଅଙ୍କଲଙ୍କ ଆଡ଼କୁ। ପୁଣି କେତେବେଳେ ହୋଟେଲ୍ କର୍ମଚାରୀ। ଘଟଣାର ଏକ ସପ୍ତାହ ପରେ ମଧ୍ୟ ପୁଲିସ ମୃତ୍ୟୁ ପଛର ପ୍ରକୃତ କାରଣ ପଦାକୁ ଆଣି ପାରୁନାହିଁ। ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଦ୍ବିତୀୟ ପୁରୁଷବନ୍ଧୁଙ୍କ ମୋବାଇଲ୍ ଜବତ କରି ତଥ୍ୟ ଯାଞ୍ଚ କରିବା ସହ ତଥାକଥିତ ‘ଅଙ୍କଲ’ଙ୍କ ବାର୍ କାରବାରର ପୁରୁଣା ଇତିହାସର ଖୋଳତାଡ଼ ଆରମ୍ଭ କରିଛି।
ତେବେ ଏହା ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଶୁଭଲକ୍ଷ୍ମୀ ଶେଷଥର ପାଇଁ ଜଣେ ଡିଜେଙ୍କ ସହ ଭିଡିଓ କଲ୍ରେ କଥା ହୋଇଥିଲେ। ତେବେ ସେ ଡିଜେ କିଏ? ତାଙ୍କୁ ସେ କାହିଁକି ଭିଡିଓ କଲ୍ କରିଥିଲେ। ଏମିତି କ’ଣ ହୋଇଥିଲା ଯେ ତାଙ୍କୁ ଭିଡିଓ କଲ୍ କରିଥିଲେ? ଭିଡିଓ କଲ୍ରେ ତାଙ୍କୁ କ’ଣ କହିବାକୁ ବା ଦେଖାଇବାକୁ ଚାହିଁଥିଲେ? ଏଭଳି ନୂଆ ପ୍ରଶ୍ନ ଏବେ ତଦନ୍ତକାରୀଙ୍କ ଆଗରେ ଉଭା ହୋଇଛି। ଉକ୍ତ ଡିଜେଙ୍କୁ ଜେରା ପରେ ଏସବୁର ଗୁମର ଖୋଲିବ ବୋଲି ଆଶା କରା ଯାଉଛି। କେବଳ ଡିଜେ ନୁହନ୍ତି, ସେ ତାଙ୍କ ଦୁଇଟି ମୋବାଇଲ୍ ଫୋନ୍ରେ ଥିବା ଦୁଇଟି ଇନ୍ଷ୍ଟା ଆକାଉଣ୍ଟ, ଗୋଟିଏ ସ୍ନାପ ଚାର୍ଟ ଓ ହ୍ବାଟ୍ସଆପ୍ରୁ ୮ଜଣଙ୍କୁ ଏକାଧିକ ଥର ଭିଡିଓ କଲ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯେହେତୁ ତାଙ୍କ ମୋବାଇଲ୍ ପାସ୍ୱାର୍ଡ ଯୋଗୁଁ ଖୋଲିବା ସମ୍ଭବ ହେଉନାହିଁ, ତେଣୁ ଅଧିକ ତଥ୍ୟ ପାଇଁ ହ୍ବାଟସ୍ଆପ୍ ସମେତ ଅନ୍ୟ ସମସ୍ତ ସୋସିଆଲ୍ ମିଡିଆ କର୍ତ୍ତୃପକ୍ଷଙ୍କୁ ତଥ୍ୟ ମଗାଯାଇଛି। ସେହିପରି ମୋବାଇଲ୍କୁ ଏସ୍ଏଫ୍ଏସ୍ଏଲ୍ ପଠାଇ ଯଥା ସମ୍ଭବ ତଥ୍ୟ ହାତେଇବାକୁ ପୁଲିସ ଚେଷ୍ଟା ଚଳାଇଛି।
ସିଡିଆର ରିପୋର୍ଟ ମୁତାବକ ଘଟଣାଦିନ ସନ୍ଧ୍ୟା ୬ଟାରୁ ରାତି ୧ଟା ୧୦ ମଧ୍ୟରେ ଶୁଭଲକ୍ଷ୍ମୀ ୧୨ଜଣଙ୍କୁ କଲ୍ କରିଥିଲେ। କାହା ସହ ୧୦ ସେକେଣ୍ଡ ତ କାହାସହ ୨୦ ସେକେଣ୍ଡ କଥା ହୋଇଥିଲେ। ହେଲେ ଶେଷଥର ପାଇଁ ରାତି ୧ଟା ୧୦ରେ ୪୦ ସେକେଣ୍ଡ ପାଇଁ କଥା ହୋଇଥିଲେ। ଆଉ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ତାଙ୍କ ନମ୍ବରକୁ ୧୨ଥର ମିସ୍ଡକଲ୍ ଆସିଥିଲା। ସମସ୍ତ ନମ୍ବର ପୁଲିସ ନଜରରେ ଥିବା ବେଳେ ଶେଷ କଲ ଏବଂ ଗୋଟିଏ ନମ୍ବରରୁ ୧୨ଥର ମିସ୍ଡକଲ୍ ଆସିବା ପୁଲିସର ସନ୍ଦେହକୁ ଆହୁରି ବଢ଼ାଇଛି। ଏତେ ରାତିରେ ଜଣେ ଯୁବତୀ ହୋଟେଲ୍ରେ ଥିବାବେଳେ ଏତେ ଲୋକଙ୍କୁ କଲ୍ କରିବା ଏବଂ ତାଙ୍କୁ ଅନ୍ୟମାନେ ମଧ୍ୟ ତାଙ୍କୁ କଲ୍କରିବା ଘଟଣାକୁ ଭିନ୍ନ ମୋଡ଼ ଆଡ଼କୁ ଟାଣିଛି। ଏ ସମସ୍ତ ନମ୍ବରର ସବିଶେଷ ଯାଞ୍ଚ କରୁଛି ପୁଲିସ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ଜେରା ମଧ୍ୟ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।