ଜହ୍ନମାମୁ କଥା କହି ଚନ୍ଦ୍ରପୃଷ୍ଠରେ ଘୂରିବୁଲୁଥିବା ‘ରୋଭର୍’ର ସଦ୍ୟତମ ଭିଡିଓ ଜାରିକଲା ‘ଇସ୍ରୋ’ – Utkal Mail
ବେଙ୍ଗାଲୁରୁ: ପୁଅ ଜହ୍ନମାମୁ ଅଗଣାରେ ଆନନ୍ଦରେ ଧାଁଦୌଡ଼ କରୁଛି ଓ ମାଆ ସ୍ନେହଭରା ଦୃଷ୍ଟିରେ ଚାହିଁଛି ବୋଲି ଉଲ୍ଲେଖ କରି ଆଜି ‘ଇସ୍ରୋ’ ଚନ୍ଦ୍ରପୃଷ୍ଠରେ ଘୂରିବୁଲୁଥିବା ‘ପ୍ରଜ୍ଞାନ ରୋଭର୍’ର ସଦ୍ୟତମ ଭିଡିଓ ସେୟାର୍ କରିଛି।
ଚନ୍ଦ୍ରପୃଷ୍ଠରେ ସମ୍ମୁଖୀନ ହେଉଥିବା ଖାଲଖମା ଓ ପଥର ଆଦି ଏଡ଼ାଇବା ପାଇଁ ବେଙ୍ଗାଲୁରୁସ୍ଥିତ କମାଣ୍ଡ୍ ସେଣ୍ଟର୍ରୁ ରିମୋର୍ଟ କଣ୍ଟ୍ରୋଲ୍ଦ୍ବାରା ‘ପ୍ରଜ୍ଞାନ ରୋଭର୍’କୁ ନିୟନ୍ତ୍ରଣ କରାଯାଉଛି।
ଆସନ୍ତା ସପ୍ତାହରୁ ଚନ୍ଦ୍ରପୃଷ୍ଠରେ ରାତି ହେବାକୁ ଆଗରୁ ‘ରୋଭର୍ ପ୍ରଜ୍ଞାନ’ ଓ ‘ଲାଣ୍ଡର୍ ବିକ୍ରମ’ ତୁରନ୍ତ ପରୀକ୍ଷାନିରୀକ୍ଷା ଶେଷ କରିବାକୁ ଦ୍ରୁତ ବେଗରେ କାର୍ଯ୍ୟ ଚଳାଇଛନ୍ତି।

‘ଏକ୍ସ୍’ କରି ‘ଇସ୍ରୋ’ ଲେଖିଛି: ନିରାପଦ ମାର୍ଗ ଅନ୍ବେଷଣ କରିବାକୁ ରୋଭର୍ ମୋଡ଼ ପରିବର୍ତ୍ତନ କରିଛି। ଏହି ମୋଡ଼ ପରିବର୍ତ୍ତନ ଦୃଶ୍ୟର ଭିଡିଓ ଉତ୍ତୋଳନ କରିଛି ‘ଲାଣ୍ଡର୍ ଇମେଜର୍ କ୍ୟାମେରା’। ମନେହେଉଛି, ସତେ ଅବା ପୁଅ ଜହ୍ନମାମୁ ଅଗଣାରେ ଡିଆଁକୁଦା କରୁଛି ଆଉ ମାଆ ଶ୍ରଦ୍ଧାଭରେ ଚାହିଁ ରହିଛି…।
ଉଲ୍ଲେଖଯୋଗ୍ୟ, ପ୍ରଥମ କରି ‘ନେଭିଗେସନ୍ କ୍ୟାମେରା’ରେ ‘ବିକ୍ରମ’ର ଫଟୋ ଉଠାଇ ସେୟାର୍ କରିବାର ଦିନକ ପରେ ଏହା ହେଉଛି ଚନ୍ଦ୍ରପୃଷ୍ଠରୁ ଆସିଥିବା ସଦ୍ୟତମ ସୂଚନା।