ରାଜନୀତି

ରାଜ୍ୟପାଳ ବିଶ୍ବଭୂଷଣଙ୍କୁ ସସ୍ମିତଙ୍କ ସମାଲୋଚନା, ଅନଭିଜ୍ଞ କହି ଶାଣିତ ଜବାବ ଦେଲେ ପୃଥ୍ବୀରାଜ – Utkal Mail


ଭୁବନେଶ୍ୱର: ଶ୍ରୀମନ୍ଦିରରେ ଚାରିଦ୍ବାର ଖୋଲିବା ନେଇ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ରାଜ୍ୟପାଳ ଏକ ଆଲେଖ୍ୟ ଜରିଆରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଏବେ ଏହାକୁ ନେଇ ରାଜ୍ୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

ଗତକାଲି ବିଜେଡି ନେତା ସସ୍ମିତ ପାତ୍ର ପ୍ରେସମିଟ୍ କରି ରାଜ୍ଯପାଳଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିବା ସହିତ କଡା ସମାଲୋଚନା କରିଥିଲେ। ଆଉ ଆଜି ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି ରାଜ୍ୟପାଳଙ୍କ ପୁଅ ତଥା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ।

ସେ କହିଛନ୍ତି, ଅଳ୍ପ ବିଦ୍ୟା ଭୟଙ୍କରୀ। ଯେଉଁମାନଙ୍କର ସମ୍ବିଧାନ ବିଷୟରେ ଜ୍ଞାନ ନାହିଁ, ଅନଭିଜ୍ଞ ଏବଂ ମୂର୍ଖ। ଆଇନର ବ୍ୟବସ୍ତା ଉପରେ ଅଜ୍ଞ। ସେଭଳି ଲୋକ ହାକିମ ନିର୍ଦ୍ଦେଶରେ ଗଣମାଧ୍ୟମ ଆଗରେ କହିଲେ, ଭୁଲ ହୁଏ। ରାଜ୍ୟପାଳଙ୍କ କ୍ଷମତା ଉପରେ ଯଦି ଜଣା ନାହିଁ, ଆଇନ ବିଶାରଦଙ୍କ ସହିତ ଚର୍ଚ୍ଚା ଆଲୋଚନା କରି କହିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ।

ସେ କହିଛନ୍ତି, ମୋର ରାଜନୈତିକ କ୍ୟାରିଅରକୁ ନେଇ ପୂର୍ବରୁ ପ୍ରଶ୍ନ କରି କହିଥିଲେ, ଏବେ ପୁଣି କହୁଛନ୍ତି କିନ୍ତୁ ମୋର ରାଜନୈତିକ ସ୍ଥିତିକୁ ସେମାନେ ବନ୍ଦ କରି ପାରିବେ ନାହିଁ କି ମୋ ପାଟିକୁ ବନ୍ଦ କରି ପାରିବେ ନାହିଁ ସରକାରଙ୍କ ଭୁଲ ତ୍ରୁଟିକୁ ସମାଲୋଚନା କରିବାକୁ।

ଗୋଟେ କଥା ମନେ ପକେଇ ଦେବାକୁ ଚାହୁଁଛି, ତାଙ୍କ ନେତାଙ୍କ ବାପା ବିଜୁ ପଟ୍ଟନାୟକ ମୋତେ ରାଜନୀତିକୁ ଆଣିଥିଲେ। ମୁଁ ରାଜନୀତି କଣ, କେମିତି କରାଯାଏ, ନିଜ ରାଷ୍ଟ୍ର ପାଇଁ କେମିତି କରାଯାଏ ସେ କଥା ଜାଣିଛି। ତୋଷମାଦି କରି ଉପଲବ୍ଧି ପାଇବାର ପ୍ରକ୍ରିୟା ମୋତେ ବିଜୁ ବାବୁ ଶିଖାଇ ନଥିଲେ। ମୋତେ ଉପଦେଶ ଦେବାର ବିଜେଡି ନେତାଙ୍କ ଆବଶ୍ୟକତା ନାହିଁ।

ଗତକାଲି ବିଜେଡି ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ରାଜ୍ୟପାଳ ଭାବେ ରାଜନୈତିକ ବୟାନବାଜି କରିବା ଠିକ୍ ନୁହେଁ। ବିଶ୍ବଭୂଷଣ ହରିଚନ୍ଦନ ଯାହା କହୁଛନ୍ତି ତାହା ତାଙ୍କର ପୁଅର ରାଜନୈତିକ ଭବିଷ୍ୟତକୁ ଦେଖି କହୁଛନ୍ତି।

ଭାରତୀୟ ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି । ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଇଛି । ରାଜ୍ୟପାଳମାନେ ଅଣରାଜନୈତିକ ପଦବୀରେ ଅଧିଷ୍ଠିତ ହେଉଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସମ୍ପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ । ସେମାନେ ଏପରି କୌଣସି ବୟାନ କିମ୍ବା ମନ୍ତବ୍ୟ ନ ଦେଇ ରାଜ୍ୟପାଳ ପଦର ମର୍ଯ୍ୟାଦା ବଜାୟ ରଖିବେ ବୋଲି ଆଶା କରାଯାଉଛି ଯାହା ସେମାନଙ୍କ ପଦବୀର ମର୍ଯ୍ୟାଦା ଏବଂ ସମ୍ମାନକୁ ହ୍ରାସ କରିପାରେ ବୋଲି ସସ୍ମିତ ପାତ୍ର କହିଛନ୍ତି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button