୪ ବର୍ଷ ପରେ ପାକିସ୍ତାନ ଫେରିଲେ ନଓ୍ବାଜ ସରିଫ୍ – Utkal Mail
ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ୪ ବର୍ଷ ପରେ ନିଜ ଦେଶ ପାକିସ୍ତାନକୁ ଫେରିଛନ୍ତି । ନିଜ ଦଳ ପାକିସ୍ତାନ ମୁସଲିମ ଲିଗ (ନଓ୍ବାଜ)କୁ ନେତୃତ୍ୱ ନେବା ଏବଂ ଜାନୁଆରିରେ ହେବାକୁ ଥିବା ସମ୍ଭାବ୍ୟ ସାଧାରଣ ନିର୍ବାଚନରେ ରେକର୍ଡ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବା ପାଇଁ ସେ ଫେରିଛନ୍ତି । ବ୍ରିଟେନରେ ୪ ବର୍ଷ ଆତ୍ମନିର୍ବାସିତ ରହିବା ପରେ ସେ ଶନିବାର ଏକ ସ୍ୱତନ୍ତ୍ର ବିମାନଯୋଗେ ଦୁବାଇରୁ ସ୍ୱଦେଶ ଫେରିଛନ୍ତି।
୭୩ ବର୍ଷୀୟ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍ (ପିଏମ୍ଏଲ୍-ଏନ୍) ସୁପ୍ରିମୋ ଦୁବାଇରୁ ଏକ ସ୍ବତନ୍ତ୍ର ବିମାନ ‘ଆଶା-ଏ-ପାକିସ୍ତାନ’ରେ ଇସଲାମାବାଦରେ ପହଞ୍ଚିଛନ୍ତି। ତାଙ୍କ ସହ ତାଙ୍କ ପରିବାର ସଦସ୍ୟ, ଦଳର ବରିଷ୍ଠ ନେତା ଓ ବନ୍ଧୁମାନେ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଦୁବାଇ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସରିଫ୍ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ତାଙ୍କ ଭାଷାରେ କହିବାକୁ ଗଲେ ଦେଶର ସ୍ଥିତି ୨୦୧୭ ତୁଳନାରେ ବହୁତ ଖରାପ ଥିଲା ଯେତେବେଳେ ସୁପ୍ରିମ୍ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ପରେ ଦୁଇଟି ଦୁର୍ନୀତି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ଏକ ପାକିସ୍ତାନୀ ଟିଭି ଚ୍ୟାନେଲକୁ ସେ କହିଛନ୍ତି, ୨୦୧୭ ତୁଳନାରେ ସ୍ଥିତି ଭଲ ନୁହେଁ। ଏବଂ ଏସବୁ ଦେଖି ମୁଁ ଦୁଃଖିତ ଯେ ଆମ ଦେଶ ଆଗକୁ ବଢ଼ିବା ପରିବର୍ତ୍ତେ ପଛକୁ ଚାଲିଯାଇଛି । ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଖରାପ ଏବଂ ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ନଓ୍ଵାଜ କହିଛନ୍ତି।