ଦେଶ ବିଦେଶ

ଚୋକ୍‌ସିଙ୍କ ଗିରଫଦାରୀକୁ ହ୍ୱିସିଲବ୍ଲୋଅରଙ୍କ ସ୍ବାଗତ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ବେଲଜିୟମରେ ଗିରଫ କରାଯିବାକୁ ସ୍ୱାଗତ କରିଛନ୍ତି ଗୀତାଞ୍ଜଳି ଜେମ୍ସର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ଶ୍ରୀବାସ୍ତବ, ଯିଏ ନିଜ ଜୀବନକୁ ବିପଦରେ ପକାଇ ହ୍ବିସିଲବ୍ଲୋଅର ଭାବେ ଚୋକ୍‌ସିକୁ ଧରା ପକାଇବାରେ ସାହାଯ୍ୟ କରିଥିଲେ। ଚୋକ୍‌ସିଙ୍କ ଶୀଘ୍ର ପ୍ରତ୍ୟର୍ପଣକୁ ସୁନିଶ୍ଚିତ କରିବା ସହ ଠକେଇ ହୋଇଥିବା ପାଣ୍ଠିକୁ ସମ୍ପୂର୍ଣ୍ଣ ପୁନରୁଦ୍ଧାର କରିବାକୁ ସେ ସୋମବାର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏହା ଏକ ଭଲ ଖବର ଯେ ମେହୁଲ ଚୋକ୍‌ସି ବେଲଜିୟମରେ ଗିରଫ ହୋଇଛନ୍ତି। ମୁଁ ଆଶା କରୁଛି ସରକାର ତାଙ୍କୁ ଯଥାଶୀଘ୍ର ଦେଶକୁ ଫେରାଇ ଆଣିବେ। ଏଥିରେ ସମ୍ପୃକ୍ତ ଅର୍ଥର ପ୍ରତିଟି ଅଂଶ ଆଦାୟ ହେବା ଦରକାର ବୋଲି ଶ୍ରୀବାସ୍ତବ କହିଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଶରେ ଚୋକ୍‌ସିଙ୍କ ଉପସ୍ଥିତି ନିଶ୍ଚିତ କରିବା ପରେ ଶନିବାର ତାଙ୍କୁ ବେଲଜିୟମରୁ ଗିରଫ କରାଯାଇଥିଲା। ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସୂତ୍ରରୁ ପ୍ରକାଶ। ତେବେ ଚୋକ୍‌ସି ପ୍ରତ୍ୟର୍ପଣକୁ ରୋକିବାକୁ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କ ଓକିଲ ବିଜୟ ଅଗ୍ରୱାଲ ସୋମବାର କହିଛନ୍ତି ଯେ ବ୍ୟବସାୟୀଙ୍କ ଅସୁସ୍ଥତା ଏବଂ କର୍କଟ ରୋଗର ଚିକିତ୍ସା ଚାଲିଥିବାରୁ ତାଙ୍କୁ ହାଜତରୁ ମୁକ୍ତ କରିବା ପାଇଁ ସେମାନେ ଆବେଦନ କରିବେ। ୨୦୧୮ ଜାନୁଆରି ୨ ତାରିଖରେ ଭାରତ ଛାଡ଼ିଥିବା ୬୫ ବର୍ଷୀୟ ପଳାତକ ହୀରା ବ୍ୟବସାୟୀ ପିଏନ୍‌ବିରୁ ୧୩,୮୫୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରୁଛନ୍ତି। ତାଙ୍କ ସହ ଭଣଜା ନୀରବ ମୋଦୀ ମଧ୍ୟ ଏହି ଠକେଇରେ ସମ୍ପୃକ୍ତ ଥିଲେ, ଯିଏ ଏବେ ଗିରଫ ହୋଇ ବ୍ରିଟେନରେ ଅଛନ୍ତି। ଗିରଫ ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ଅଧିକାରୀ ହରିପ୍ରସାଦ ଏସ୍‌ଭି କହିଛନ୍ତି ଯେ ଚୋକ୍‌ସିଙ୍କୁ ସ୍ୱଦେଶ ଫେରାଇ ଆଣିବା ଭାରତ ପାଇଁ ଅତ୍ୟନ୍ତ କଷ୍ଟକର ହେବ କାରଣ ସେ ଏହି ପ୍ରକ୍ରିୟାକୁ ଏଡ଼ାଇବା ପାଇଁ ୟୁରୋପର ଶ୍ରେଷ୍ଠ ଓକିଲମାନଙ୍କୁ ନିୟୋଜିତ କରିବେ। ଚୋକ୍‌ସି ଡୋମିନିକାରେ ଧରାପଡ଼ିବା ପରେ ଏହି ପ୍ରକ୍ରିୟାକୁ ଏଡ଼ାଇବାରେ ସଫଳ ହୋଇଥିଲେ। ମେହୁଲ୍‌ ଚୋକ୍‌ସି ଗିରଫ ହେବା ଘଟଣା ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ନିକଟରେ ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାର ମା‌ଷ୍ଟରମାଇଣ୍ଡ୍‌ ତହବୁର ରାଣାକୁ ଆମେରିକାରୁ ଭାରତ ପ୍ରତ୍ୟର୍ପଣ କରି ଅଣାଯାଇଥିବାରୁ ମେହୁଲକୁ ମଧ୍ୟ ବେଲଜିୟମରୁ ଅଣାଯିବା ଆଶା ରହିଛି।

ଗିରଫକୁ ବିରୋଧର ଆଧାର ବଖାଣିଲେ ମେହୁଲଙ୍କ ଓକିଲ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାରେ ଗିରଫ ୬୫ ବର୍ଷୀୟ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ବେଲଜିୟମ୍ ପୁଲିସ ଗିରଫ କରିବାର ଦୁଇ ଦିନ ପରେ ତାଙ୍କ ଓକିଲ ସୋମବାର କହିଛନ୍ତି ଯେ ସେମାନେ ବେଲଜିୟମ୍‌ରେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିବେ। ଚୋକ୍‌ସିଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ, ସେମାନେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିବେ ଏବଂ ଭାରତର ପ୍ରତ୍ୟର୍ପଣ ଅନୁରୋଧକୁ ବିରୋଧ କରିବେ। ମୋ କ୍ଲାଏଣ୍ଟ ଅତ୍ୟନ୍ତ ଅସୁସ୍ଥ ଏବଂ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ଅଗ୍ରୱାଲ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଏହା ଏକ ରାଜନୈତିକ ମାମଲା ବୋଲି ଆମେ ବିଶ୍ୱାସ କରୁଛୁ।

ପିଏନ୍‌ବି ଠକେଇ ମାମଲାରେ ମେହୁଲ ଚୋକ୍‌ସିଙ୍କ ଭୂମିକା ସମ୍ପର୍କରେ ସବିଶେଷ ତଥ୍ୟ ସାର୍ବଜନୀନ ହେବାର କିଛି ସପ୍ତାହ ପୂର୍ବରୁ ସେ ଭାରତ ଛାଡ଼ି ପଳାଇଯାଇଥିଲେ। ମେହୁଲ ଚୋକ୍‌ସି, ନିରବ ମୋଦୀ ଓ ତାଙ୍କ ଫାର୍ମ ଗୀତାଞ୍ଜଳି ଜେମ୍ସର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନେକ ସଂସ୍ଥା ବିରୋଧରେ ବ୍ୟାଙ୍କ ଆପରାଧିକ ଅଭିଯୋଗ କରିଥିଲା। ସେମାନେ ମୁମ୍ବାଇସ୍ଥିତ ବ୍ୟାଙ୍କର ବ୍ରାଡି ହାଉସ୍ ଶାଖାର ଅଧିକାରୀଙ୍କୁ ଲାଞ୍ଚ ଦେଇ ଲେଟର ଅଫ୍ ଅଣ୍ଡରଟେକିଂ (ଏଲ୍‌ଓୟୁ) ଓ ବିଦେଶୀ ଲେଟର ଅଫ୍ କ୍ରେଡିଟ୍ (ଏଫ୍ଏଲ୍‌ସି) ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଚୋକ୍‌ସି ଆଣ୍ଟିଗୁଆ ଓ ବାରବୁଡା ଯାଇ ନିବେଶ କାର୍ଯ୍ୟକ୍ରମ ମାଧ୍ୟମରେ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ।

 ଘଟଣାକ୍ରମ

    ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ୨୦୧୮ରେ ପ୍ରଥମେ ଭାରତରୁ ଆମେରିକା ପଳାଇଥିଲେ। ପରେ ସେଠାରୁ ସେ ଯାଇ ଆଣ୍ଟିଗୁଆରେ ରହିଥିଲେ। ତେବେ ଏହାର ବର୍ଷକ ପୂର୍ବରୁ ଅର୍ଥାତ୍ ୨୦୧୭ରେ ସେ ଆଣ୍ଟିଗୁଆର ନାଗରିକତା ହାସଲ କରିଥିଲେ।
    ୨୦୧୯ ମେ’ରେ ଚୋକ୍‌ସିଙ୍କ ଭଣଜା ନିରବ ମୋଦୀଙ୍କୁ ଲଣ୍ଡନର ମେଟ୍ରୋପଲିଟାନ୍ ପୁଲିସ ଗିରଫ କରିଥିଲା। ଯଦିଓ ତାଙ୍କ ପ୍ରତ୍ୟର୍ପଣ ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି, ତଥାପି ସେ ଏବେ ବ୍ରିଟେନରେ ଅଛନ୍ତି।
    ୨୦୨୧‌ରେ  ମେହୁଲ ଆଣ୍ଟିଗୁଆରୁ ନିଖୋଜ ହୋଇ ଯାଇଥିଲେ। ପରେ ତାଙ୍କୁ ଡୋମିନିକାରେ ଠାବ କରାଯାଇଥିଲା। ସେଠାରେ କିଛିଦିନ ସେ ବିଚାର ବିଭାଗୀୟ ହେପାଜତରେ ରହିଥିଲେ।
    ମାର୍ଚ୍ଚ ୨୦୨୩ରେ ଇଣ୍ଟରପୋଲ ମେହୁଲ ଚୋକସିଙ୍କ ବିରୋଧରେ ଥିବା ରେଡ୍ କର୍ଣ୍ଣର ନୋଟିସ୍‌କୁ ପ୍ରତ୍ୟାହାର କରିନେଇଥିଲା। ୨୦୨୪ରେ ଚୋକ୍‌ସି ଓ ତାଙ୍କ ପତ୍ନୀ ଆଣ୍ଟିଗୁଆରୁ ବେଲଜିଅମ୍‌କୁ ଚାଲି ଆସିଥିଲେ। ଆଣ୍ଟିଗୁଆ ଗଣମାଧ୍ୟମ ଅନୁଯାୟୀ ମେହୁଲ ଓ ପ୍ରୀତି ଚୋକ୍‌ସି ଜେନେଭାରେ ବସବାସ କରିବାକୁ ବିଚାର କରୁଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଚୋକ୍‌ସିଙ୍କ ଆଇନଜୀବୀ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତକୁ ଜଣାଇଥିଲେ ଯେ ସେ ବର୍ତ୍ତମାନ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବେଲଜିୟମ୍‌ର ଆଣ୍ଟୱର୍ପରେ ଚିକିତ୍ସିତ ହେଉଛନ୍ତି।
    ଦୁଇ ସପ୍ତାହ ତଳେ ମେହୁଲ ଚୋକ୍‌ସି ଓ ତାଙ୍କ ପତ୍ନୀ ପ୍ରୀତି ବେଲଜିୟମ୍‌ରେ ଏଫ୍-ରେସିଡେନ୍ସି କାର୍ଡ ହାସଲ କରିଥିଲେ। ବେଲଜିୟମ୍ ନାଗରିକ ପ୍ରୀତିଙ୍କର ଦେଶରେ ପାରିବାରିକ ସମ୍ପର୍କ ରହିଛି ଏବଂ ଚୋକ୍‌ସିଙ୍କର ମଧ୍ୟ ସମ୍ପ୍ରସାରିତ ପରିବାର ଏଠାରେ ଅଛନ୍ତି।
    ଚୋକ୍‌ସିଙ୍କୁ ଚଳିତମାସ ୧୨ ତାରିଖରେ ବେଲଜିଅମ୍‌ରୁ ଗିରଫ କରାଯାଇଛି। ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।  ଚୋକ୍‌ସି ଏବେ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ପ୍ରତ୍ୟର୍ପଣକୁ ବିରୋଧ କରାଯିବ ଏବଂ ଜାମିନ ଆବେଦନ କରାଯିବ ବୋଲି ଜଣାପଡ଼ିଛି। ପ୍ରତ୍ୟର୍ପଣ ଅନୁରୋଧକୁ ଚ୍ୟାଲେଞ୍ଜ କରିବା ପାଇଁ ଚୋକ୍‌ସିଙ୍କ ନିକଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଅନ୍ୟାନ୍ୟ କାରଣ ରହିଛି ବୋଲି ଆଇନଜୀବୀ ଦଳ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button