ଅନନ୍ତନାଗ ଏନ୍କାଉଣ୍ଟର୍: ସହିଦ ହେଲେ ଆହତ ଯବାନ, ସହିଦ ଯବାନଙ୍କ ସଂଖ୍ୟା ୪କୁ ବୃଦ୍ଧି – Utkal Mail
ଅନନ୍ତନାଗ: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହିତ ଚାଲିଥିବା ଗୁଳିବିନିମୟରେ ଆହତ ହୋଇ ଆଜି ଆଉ ଜଣେ ଯବାନ ସହିଦ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଏହାକୁ ମିଶାଇ ବୁଧବାରଠାରୁ ଏହି ଗୁଳି ବିନିମୟରେ ସମୁଦାୟ ୪ଜଣ ଯବାନ ସହିଦ ହେଲେଣି। ସମ୍ପୃକ୍ତ ଅଞ୍ଚଳକୁ ‘କର୍ଡନ୍’ କରାଯାଇ ତଲାସ ଅଭିଯାନ ଚାଲୁ ରଖାଯାଇଛି ବୋଲି ଜଣେ ସେନା ଅଧିକାରୀ କହିଛନ୍ତି।

ବୁଧବାର ଦିନ ଅନନ୍ତନାଗର କୋକେର୍ନାଗ ଅଞ୍ଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କ ସହିତ ଗୁଳିବିନିମୟ କରି ସେନାର ଜଣେ ‘ରାଷ୍ଟ୍ରୀୟ ରାଇଫଲ୍’ ୟୁନିଟ୍ କର୍ଣ୍ଣେଲ୍, ଜଣେ ମେଜର୍ ଓ ଜଣେ ଜମ୍ମୁ ଓ କଶ୍ମୀର ପୁଲିସ ‘ଡିଏସ୍ପି’ ସହିଦ ହୋଇଥିଲେ। ସେମାନେ ହେଉଛନ୍ତି, କର୍ଣ୍ଣେଲ୍ ମନପ୍ରୀତ୍ ସିଂହ, ମେଜର୍ ଆଶିଷ ଓ ‘ଡିଏସ୍ପି’ ହୁମାୟୁନ୍ ଭଟ୍ଟ।
କିନ୍ତୁ, ଆଜି ସହିଦ ହୋଇଥିବା ୪ର୍ଥ ଯବାନଙ୍କ ପରିଚୟ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।
ଆତ୍ମଗୋପନକାରୀ ଆତଙ୍କବାଦୀମାନେ ‘ଲଶ୍କର୍’ର ସହଯୋଗୀ ‘ଦି ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ସଦସ୍ୟ ବୋଲି ଅନୁମାନ କରାଯାଉଛି। ସେ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଲୁଚିଥିବା କଥା ନିରାପତ୍ତା ବଳ ସନ୍ଦେହ କରୁଛି। ତଲାସ ଅଭିଯାନରେ ସହଯୋଗ କରିବା ପାଇଁ ସେ ଅଞ୍ଚଳରେ ‘ହେରନ୍ ଡ୍ରୋନ୍’ ଓ ‘କ୍ବାଡ୍କପ୍ଟର୍’ ମୁତୟନ କରାଯାଇଛି।