ନୀତି

ଟ୍ରେନ୍‌ ଭିତରେ କୁସ୍ତି : ପେସାଦାର ଯୋଦ୍ଧାଙ୍କର କଳାକୌଶଳ ଉପଭୋଗ କଲେ ଯାତ୍ରୀ – Utkal Mail


ଜାପାନର ଏକ ବୁଲେଟ୍‌ ଟ୍ରେନ୍‌ ଭିତରେ ଦୁଇ ଜଣ ପେସାଦାର କୁସ୍ତିଯୋଦ୍ଧାଙ୍କର କୁସ୍ତି ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି। ଗତ ସପ୍ତାହରେ ଜାପାନର ଟୋକିଓରୁ ନାଗୋୟା ଯାଉଥିବା ସିଂକାଂସେନ୍‌ ବୁଲେଟ୍‌ ଟ୍ରେନ୍‌ର ଏକ ବଗି ଭିତରେ ୭୫ ଜଣ ଯାତ୍ରୀଙ୍କ ଉପସ୍ଥିତିରେ ସେମାନଙ୍କର ଏହି କାରନାମା ରୋଚକ ମନୋରଞ୍ଜନର ବିଷୟ ହୋଇଥିଲା। ଟୋକିଓ ସ୍ଥିତ ଡିଡିଟି-ପ୍ରୋ ରେସଲିଂ ସଂଗଠନ ଦ୍ବାରା ଆୟୋଜିତ ଏହି ପ୍ରତିଦ୍ବନ୍ଦ୍ବିତାର ଟିକେଟ୍‌ ୩୦ ମିନିଟ୍‌ ଭିତରେ ବିକ୍ରି ହୋଇଯାଇଥିଲା। ଯାତ୍ରୀମାନଙ୍କୁ ମୁଗ୍ଧ କରିବା ପାଇଁ କୁସ୍ତିଯୋଦ୍ଧା ମିନୋରୋ ସୁଜୁକି ଓ ସାଂସିରୋ ତାକିଗୋଙ୍କ ମଧ୍ୟରେ ହୋଇଥିବା ଏହି ପ୍ରତିଯୋଗିତାରେ ଉଭୟ ‘ପାଇଲ୍‌ଡ୍ରାଇଭର’ ପରି କୁସ୍ତି କଳା ପ୍ରଦର୍ଶନ କରିଥିଲେ।

ଦୀର୍ଘ ଅଧ ଘଣ୍ଟା ଧରି ଚାଲିଥିବା ଏହି ପ୍ରତିଦ୍ବନ୍ଦ୍ବିତାରେ ସୁଜୁକି ବିଜେତା ଘୋଷିତ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀମାନେ ନିଜ ନିଜ ଫୋନ୍‌ ବା କ୍ୟାମେରାରେ ଉକ୍ତ ବିରଳ ଦୃଶ୍ୟକୁ ସାଇତି ରଖିବାକୁ ଭୁଲିନଥିଲେ। ଏହି କୁସ୍ତି ପ୍ରତିଯୋଗିତାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, ପେସାଦାର କୁସ୍ତି ଲଢ଼େଇ ଜାପାନର ଅନ୍ୟତମ ଲୋକପ୍ରିୟ କ୍ରୀଡ଼ାର ମାନ୍ୟତା ବହନ କରେ। ସେହିପରି ସେଠାକାର ବିଶେଷ କରି ସୁମୋ ଯୋଦ୍ଧାଙ୍କ ମଧ୍ୟରେ କୁସ୍ତି ଲଢ଼େଇ ଦେଖିବା ଲାଗି ବହିରାଗତ ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିଥାଏ। ଡିଡିଟି-ପ୍ରୋ ରେସଲିଂ ସଂଗଠନ ଟ୍ରେନ୍‌ ବଗି ସମେତ ପୁସ୍ତକ ଭଣ୍ଡାର, ଶିବିରସ୍ଥଳ ଭଳି ଅସ୍ବାଭାବିକ ସ୍ଥାନମାନଙ୍କରେ କୁସ୍ତି ଲଢ଼େଇ ଆୟୋଜନ କରି ଆସୁଛି। ଗତ ମାସରେ ଏକ ରେସ୍ତୋରାଁରେ ପର୍ଯ୍ୟଟକମାନଙ୍କ ମନୋରଂଜନ ପାଇଁ ଦୁଇ ସୁମୋ ଯୋଦ୍ଧାଙ୍କ ମଧ୍ୟରେ ଲଢ଼େଇ ଅନୁଷ୍ଠିତ ହୋଇଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button