ଦେଶ ବିଦେଶ

ଆନ୍ନା ବିଶ୍ୱବିଦ୍ୟାଳୟ ଯୌନ ନିର୍ଯାତନା ମାମଲା: ନ୍ୟାୟ ଦାବିରେ ଆନ୍ନାମଲାଇ ନିଜକୁ ଚାବୁକ୍‌ ମାରିଲେ

ଚେନ୍ନାଇ: ତାମିଲନାଡ଼ୁରେ ଆନ୍ନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣାକୁ ବିରୋଧ କରି ବିରୋଧୀ ଦଳମାନେ ଆନ୍ଦୋଳନ ଜାରି ରଖିଛନ୍ତି। ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ ଆଜି ପୀଡ଼ିତାଙ୍କୁ ନ୍ୟାୟ ଦାବି କରି ଖୋଲା ଦେହରେ ନିଜକୁ ଚାବୁକ୍‌ ମାରିଛନ୍ତି। ଗତକାଲି ଆନ୍ନାମଲାଇ କହିଥିଲେ ଯେ ଡିଏମ୍‌କେ ସରକାର ହଟିବା ପର୍ଯ୍ୟନ୍ତ ସେ ଚପଲ ପିନ୍ଧିବେ ନାହିଁ ଏବଂ ଖାଲି ପାଦରେ ଚାଲିବେ। ଆଜି ନ୍ୟାୟ ଦାବି କରି ସେ ନିଜକୁ ଚାବୁକ୍‌ରେ ମାରିବା ଭିଡିଓ ଭାଇରାଲ୍‌ ହୋଇଛି। ନିଜ ବାସଭବନ ସମ୍ମୁଖରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ନିଜକୁ ୮ ଥର ଚାବୁକ୍‌ ମାରିଥିଲେ।

ଏହାପରେ ଦଳୀୟ ନେତାମାନେ ତାଙ୍କୁ ଚାବୁକ୍‌ ମାଡ଼ରୁ ଅଟକାଇଥିଲେ। ଆନ୍ନା ବିଶ୍ବବିଦ୍ୟାଳୟ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ଜଣେ ଡିଏମ୍‌କେ କର୍ମକର୍ତ୍ତା ବୋଲି ବିଜେପି କହିଛି। ତେବେ ଶାସକ ଦଳ ଏହାକୁ ଖଣ୍ଡନ କରିଛି। ସୂଚନାଯୋଗ୍ୟ, ଗତକାଲି ଆନ୍ନାମଲାଇ ଡିଏମ୍‌କେ ନେତାଙ୍କ ସହ ଅଭିଯୁକ୍ତର ଫଟୋ ଦେଖାଇ ସେ ଶାସକ ଦଳର ଛାତ୍ରଶାଖାର କର୍ମକର୍ତ୍ତା ବୋଲି ଅଭିଯୋଗ କରିଥିଲେ। ଶାସକ ଦଳ ସହ ସଂପୃକ୍ତି କାରଣରୁ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଥିବା ବିଜେପି ନେତା ଅଭିଯୋଗ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ୩୭ ବର୍ଷୀୟ ଅଭିଯୁକ୍ତ ପୂର୍ବରୁ ୧୦ଟି ଆପରାଧିକ ମାମଲାରେ ସମ୍ପୃକ୍ତ ରହିଛି। ଅଭିଯୁକ୍ତ ଜ୍ଞାନଶେଖରନ୍ ପୀଡ଼ିତାଙ୍କୁ ଧମକ ଦେବା ସହ ଲଗାତାର ନିର୍ଯାତନା ଦେଉଥିଲା।

ଅନ୍ୟପକ୍ଷରେ ଜାତୀୟ ମହିଳା କମିସନ (ଏନ୍‌ସିଡବ୍ଲୁ) ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ନିନ୍ଦା କରିଛି। କମିସନ ତାମିଲନାଡ଼ୁ ଡିଜିପି ଶଙ୍କର ଜିୱାଲଙ୍କୁ ଚିଠି ଲେଖି ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା, ୨୦୨୩ର ଧାରା ୭୧ ଲାଗୁ କରିବାକୁ କହିଛି। ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ଅତୀତରେ ସେ ସମାନ ଅପରାଧ କରିଛି ଏବଂ ସେ ଏଆଇଏଡିଏମକେର ଆଲୁମିନି ଶାଖାର ଉପ-ସଂଗଠକ। ଏହାବ୍ୟତୀତ ତା’ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ ତ୍ବରାନ୍ବିତ କରିବାକୁ ଏନ୍‌ସିଡବ୍ଲୁ ଆଜି ଡିଜିପିଙ୍କୁ କହିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button