ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ – Utkal Mail
ଆଜି ଜାତୀୟ କ୍ଷୁଦ୍ର ଶିଳ୍ପ ଦିବସ। ଏହା ଦେଶର ଛୋଟ ଛୋଟ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ସହ ବେକାରମାନଙ୍କୁ ଚାକିରି ସୁଯୋଗ ପ୍ରଦାନ ପାଇଁ ଉତ୍ସର୍ଗୀକୃତ। ବିଶେଷ କରି କ୍ଷୁଦ୍ର ଶିଳ୍ପଗୁଡ଼ିକର ସାମଗ୍ରିକ ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ଲାଗି ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି। ୨୦୦୦ ମସିହା ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଦେଶର କ୍ଷୁଦ୍ର ସଂସ୍ଥାଗୁଡ଼ିକୁ ବିଶେଷ ସହାୟତା ଯୋଗାଇବା ପାଇଁ ଏକ ବିଶେଷ ପ୍ରୋତ୍ସାହନ ନୀତି ଆରମ୍ଭ ହୋଇଥିଲା। ସେହିବର୍ଷ ଅଗଷ୍ଟ ୩୦ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଏକ କ୍ଷୁଦ୍ର ଶିଳ୍ପ ସମ୍ମିଳନୀ ଆୟୋଜିତ ହୋଇଥିଲା ଯେଉଁଥିରେ ସର୍ବୋତ୍ତମ ଶିଳ୍ପଗୁଡ଼ିକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେବେଠାରୁ ସମଗ୍ର ଭାରତରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାର ବିଶେଷ ପ୍ରୟାସ କରୁଛନ୍ତି। କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଉଦ୍ୟୋଗଗୁଡ଼ିକୁ ସନ୍ତୁଳିତ ସହାୟତା ଯୋଗାଇବା, ନୂତନ ଶିଳ୍ପ ପ୍ରତିଷ୍ଠା ଓ ଦେଶର ଆର୍ଥିକ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ଲାଗି ନିଆଯାଇଥିବା ପଦକ୍ଷେପକୁ ସ୍ମରଣ କରିବା ପାଇଁ କ୍ଷୁଦ୍ର ଶିଳ୍ପ ଦିବସକୁ ମନୋନୀତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତରେ ସମ୍ପ୍ରତି ୬.୩ କୋଟିରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରହିଛି ଯାହାର ରପ୍ତାନିରେ ଯୋଗଦାନ ହେଉଛି ୪୫ ପ୍ରତିଶତ। ଏହି ଦିବସ ପାଳନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବ୍ୟକ୍ତିବିଶେଷଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଗୁରୁତ୍ବକୁ ଚିହ୍ନିତ କରିଥାଏ। ଏଥି ସହିତ ନୂତନ ଶିଳ୍ପ ପ୍ରତିଷ୍ଠା ତଥା ଦେଶର ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ମଧ୍ୟ ତାହା ସହାୟକ ହୋଇଥାଏ।