ଓଡିଶା

ଶୂନ୍ୟ ମୃତ୍ୟୁ ସପ୍ତାହ: ‘ଆଇନ ଅମାନ୍ୟକାରୀଙ୍କ ଉପରେ କଠୋର ହୁଅ’ – Utkal Mail


ଭବାନୀପାଟଣା: ଆଜି (ଗୁରୁବାର) କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପରିବହନ ବିଭାଗରେ କର୍ମକର୍ତ୍ତା, ସଡ଼କ ସୁରକ୍ଷା ସମିତି ସଭ୍ୟ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସୂଚନା ଅନୁସାରେ, ଗତ ଅକ୍ଟୋବର ମାସରେ ରାଜସ୍ୱ ଆଦାୟ ୩ କୋଟି ୫୦ ଲକ୍ଷ ୪୮ ହଜାର ୫ ସହ ୬୬ ଟଙ୍କା ପରିବହନ ରାଜସ୍ୱ ଆଦାୟ କରିଛି । ଯାହାକି ଧାର୍ଯ୍ୟ ରାଜସ୍ଵର ଶତକଡା ୮୯ ଭାଗ ଅଟେ ।

ଗତ ଅକ୍ଟୋବର ମାସରେ ଜିଲ୍ଲାରେ ୩୪ ଟି ଦୁର୍ଘଟଣାରେ ୧୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ ୨୦୨୩ ମସିହା ଅକ୍ଟୋବର ସୁଦ୍ଧା ରାସ୍ତା ଦୁର୍ଘଟଣା ରେ ମୋଟ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି । ଗତ ଅକ୍ଟୋବର ମାସରେ ହେଲମେଟ ନ ପିନ୍ଧିଥିବା ୪୬୮ ଜଣଙ୍କୁ, ଅତ୍ୟଧିକ ବେଗରେ ଯାନ ଚଳାଉଥିବା ୬୯୮ ଜଣ, ଗାଡ଼ି ଚଳାଇବା ସମୟରେ ଫୋନ ବ୍ୟବହାର କରୁଥିବା ୪୭ ଜଣ ଏବଂ ୬୯ ଜଣଙ୍କୁ ମଦ୍ୟପାନ କରିଥିବା ଅପରାଧରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା ଏବଂ ୧୪୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରାଯାଇଥିଲା ।

ଏହି ବୈଠକରେ ରାଜ୍ୟ ସରକାରଙ୍କ ନର୍ଦ୍ଦେଶକ୍ରମେ ଆସନ୍ତା ଡ଼ିସେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ସପ୍ତାହ ମଧ୍ୟରେ ବିନା ହେଲମେଟ ଗାଡି ଚାଳନ, ଅତ୍ୟଧିକ ବେଗରେ ଗାଡି ଚଳାଇବା, କମ୍ ବୟସର ପିଲାମାନଙ୍କ ଦ୍ବାରା ଗାଡ଼ି ଚଳାଇବା, ଗାଡି ଚାଳନ ସମୟରେ ମୋବାଇଲ ବ୍ୟବହାର କରିବା, ମଦ୍ୟପାନ କରି ଗାଡି ଚଳାଇବା ଓ ଧାର୍ଯ୍ୟ କ୍ଷମତାରୁ ଅଧିକ ମାଲ ବୋହିବା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଆଇନ ଅମାନ୍ୟକାରୀଙ୍କୁ ଦଣ୍ଡିତ କରିବା ପାଇଁ ଜିଲ୍ଲାପାଳ ପୋଲିସ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସପ୍ତାହ ମଧ୍ୟରେ ପୋଲିସ ଦ୍ବାରା ଦୈନନ୍ଦିନ ଚେକିଂ କରିବା ପାଇଁ ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ । ସମସ୍ତ ବିଭାଗ ସ୍ବାସ୍ଥ୍ୟ, ପୋଲିସ, ଶିକ୍ଷା, ଅବକାରୀ, ଜାତୀୟ ରାଜପଥ, ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ପୌର ପରିଷଦ, ଏନଏସି, ସୂଚନା ଓ ଲୋକସମ୍ପର୍କ ଓ ଏସଆରଟିସି ସହଯୋଗରେ ଏହି ସପ୍ତାହରେ ଯେପରି ସଡକ ଦୁର୍ଘଟଣା ନ ଘଟେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏନେଇ ପରିବହନ ବିଭାଗ ଦ୍ଵାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।


Related Articles

Leave a Reply

Your email address will not be published. Required fields are marked *

Back to top button