ଦେଶ ବିଦେଶ

ଦକ୍ଷତା ବିକାଶ ଦୁର୍ନୀତି ମାମଲା: ଚନ୍ଦ୍ରବାବୁ ନାଇଡୁଙ୍କୁ ଅଦାଲତରେ ହାଜର କରାଇଲା ‘ସିଆଇଡି’ – Utkal Mail


ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଶନିବାର ଗିରଫ ହୋଇଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଟିଡିପି’ ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ‘ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ’ (ଏସିବି) ଅଦାଲତରେ ହାଜର କରାଯାଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।

‘ପିଟିଆଇ’ ପ୍ରକାଶ କରିଥିବା ରିପୋର୍ଟରେ ‌ଉଲ୍ଲେଖ ଅଛି ଯେ, ବାବୁଙ୍କର ପ୍ରତିନିଧିତ୍ବ କରୁଛନ୍ତି ସୁପ୍ରିମ୍‌ କୋର୍ଟ ଓକିଲ ସିଦ୍ଧାର୍ଥ ଲୁଥ୍ରା ଏବଂ ଦଳେ ଆଡ୍‌ଭୋକେଟ୍‌। ଅଦାଲତ ପରିସରରେ କେତେଜଣ ବରିଷ୍ଠ ‘ତେଲୁଗୁ ଦେଶମ୍‌ ପାର୍ଟି’ (ଟିଡିପି) ନେତା ବି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କୁଞ୍ଚନାପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ‘ସିଆଇଡି’ର ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ଦୀର୍ଘ ୧୦ ଘଣ୍ଟା ଜେରା କରିବା ପରେ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ରାତି ୩.୪୦ରେ ନାଇଡୁଙ୍କୁ ବିଜୟୱାଡ଼ାସ୍ଥିତ ‘ଗଭର୍ଣ୍ଣମେଣ୍ଟ୍‌ ଜେନେରାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଥିଲା।

Image Courtesy of Mint

ପ୍ରାୟ ୫୦ ମିନିଟ୍‌କାଳ ସ୍ବାସ୍ଥ୍ୟ ପରୀକ୍ଷା ପରେ ସିଧା ସ୍ଥାନୀୟ ଅଦାଲତକୁ ନେବା ପରି‌ବର୍ତ୍ତେ ନାଇଡୁଙ୍କୁ ପୁଣି ‘ଏସ୍‌ଆଇଟି’ ଅଫିସ୍‌କୁ ନିଆଯାଇଥିଲା।

ଗଣମାଧ୍ୟମକୁ ‘ଟିଡିପି’ ମୁଖପାତ୍ର ପତ୍ତାଭି ରାମ କୋମ୍ମାରରେଡ୍ଡୀ କହିଛନ୍ତି, ଆମେ ଭାବିଥିଲୁ ତାଙ୍କୁ ଅଦଲତକୁ ନିଆଯିବ। ସେମାନେ ତାଙ୍କୁ ‘ଏସ୍‌ଆଇଟି’ ଅଫିସ୍‌କୁ ନେଇ ଆସିଲେ। ତାଙ୍କ ପୁଅ ଲୋକେଶ ଓ ସ୍ତ୍ରୀ ଭୁବନେଶ୍ବରୀ ଅଦାଲତରେ ତାଙ୍କୁ ଅପେକ୍ଷା କରିଥିଲେ କିନ୍ତୁ, ହଠାତ୍‌ ତାଙ୍କୁ ନେଇ ଯାଉଥିବା ଗାଡ଼ି ସବୁ ‘ଏସ୍‌ଆଇଟି’ କାର୍ଯ୍ୟାଳୟ ଆଡ଼କୁ ଦିଗ ବଦଳାଇ ଦେଲା।

ଦକ୍ଷତା ବିକାଶ ଦୁର୍ନୀତି ଯୋଗୁଁ ରାଜ୍ୟ ରାଜକୋଷ ୩୦୦ କୋଟି ଟଙ୍କା ହରାଇଛି ବୋଲି ଅଭିଯୋଗ ହୋଇଛି। ଏହି ମାମଲାରେ ‘ଟିଡିପି’ ମୁଖ୍ୟଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ନାମିତ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button