ତାଙ୍କ ଉପରେ ଭାରତର ଭରସା ଅଛି: ମଣିପୁର ମାମଲାରେ ମୋଦୀଙ୍କୁ ସମର୍ଥନ କଲେ ଆମେରିକୀୟ ଗାୟିକା – Utkal Mail
ନୂଆଦିଲ୍ଲୀ: ଭାରତର ନେତାଙ୍କ ଉପରେ ଦେଶର ଭରସା ଅଛି ବୋଲି ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରି ଆମେରିକୀୟ ଗାୟିକା ମେରି ମିଲ୍ବେନ୍ କହିଛନ୍ତି।
‘ଏକ୍ସ’ (ଟୁଇଟ୍) କରି ମିଲ୍ବେନ୍ ମିଲ୍ବେନ୍ ବିରୋଧୀ ଦଳକୁ ସମାଲୋଚନା କରି କହିଛନ୍ତି ଯେ, ବିଦେଶରେ ବିରୋଧୀ ଦଳ ଭାରତର ସମ୍ମାନହାନୀ କରିଛି।
ସେ ଆହୁରି ମଧ୍ୟ କହିଛନ୍ତି, ସତ କଥା ହେଲା: ତା’ର ନେତାଙ୍କ ଉପରେ ଭାରତର ଭରସା ଅଛି। ମଣିପୁରର ମାଆ, ଝିଅ ଓ ମହିଳା ଏବଂ ଭାରତ ପ୍ରତି ନ୍ୟାୟ ବିଚାର ହେବ। ପ୍ରଧାନମନ୍ତ୍ରୀ ମୋଦୀ ଆପଣମାନଙ୍କ ସ୍ବାଧୀନତା ପାଇଁ ସଂଗ୍ରାମ କରିବେ।
ଅକାରଣରେ ବିରୋଧୀମାନେ ଚିତ୍କାର କରୁଛନ୍ତି। କିନ୍ତୁ ସତ୍ୟ, ସତ୍ୟ ହିଁ ସଦାସର୍ବଦା ଜନତାକୁ ମୁକ୍ତ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଡକ୍ଟର୍ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିୟର୍ଙ୍କ ଭାଷାରେ, ଭାରତ, ସ୍ବାଧୀନତା ଗୁଞ୍ଜରଣ କର। ମୋ ସ୍ନେହର ଭାରତ, ସତ୍ୟ ଶ୍ରଦ୍ଧାଶୀଳ ହେଉ। ପ୍ରଧାନମନ୍ତ୍ରୀ ମୋଦୀ, ମୋର ଭରସା ଅଛି। ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି।
ଚଳିତ ବର୍ଷ ଜୁନ୍ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତିକ ଗାୟିକା ମିଲ୍ବେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ଭାରତର ଜାତୀୟ ସଙ୍ଗୀତ ‘ଜନଗଣ ମନ’ ଗାୟନ କରି ସାରିବା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚରଣ ସ୍ପର୍ଶ ମଧ୍ୟ କରିଥିଲେ।
ଉଲ୍ଲେଖଯୋଗ୍ୟ, ସଂସଦରେ କଂଗ୍ରେସ ନେତା ଗୌରବ ଗୋଗୋଇଙ୍କଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କର ପ୍ରତ୍ୟୁତ୍ତର ଦେଇ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ମଣିପୁର ହିଂସା ଘଟଣା ଉତ୍ଥାପନ କରି ସେ ପ୍ରତିଶ୍ରୁତି ଦେଇ କହିଲେ ଯେ, ମଣିପୁର ତାଙ୍କର ଅତ୍ୟନ୍ତ ପ୍ରିୟ। ଖୁବ୍ ଶୀଘ୍ର ସେ ରାଜ୍ୟକୁ ଶାନ୍ତି ଫେରି ଆସିବ।
ବିରୋଧୀ ଦଳ କକ୍ଷତ୍ୟାଗ କରିବାରୁ ସରକାର ଏହି ଅନାସ୍ଥା ପ୍ରସ୍ତାବରେ ବିଜୟୀ ହୋଇଥିଲେ।