ଧରାପଡ଼ିଲା ଡକାୟତ ସନ୍ତେରା ଗ୍ୟାଙ୍ଗ୍: ଖଣ୍ଡା, କଟୁରି, ଛୁରି ଜବତ – Utkal Mail
ଭୁବନେଶ୍ବର: ଦୀର୍ଘ ଦିନ ଧରି କମିସନରେଟ୍ ପୁଲିସ ଖୋଜୁଥିବା ଡକାୟତ ସନ୍ତେରା ଗ୍ୟାଙ୍ଗ୍ ଗତକାଲି ରାତିରେ ଧରାପଡ଼ିଛି। ୧୬ ନମ୍ବର ଜାତୀୟ ରାଜପଥରୁ ପୁଣି ଏକ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ନୂଆପଲ୍ଲୀ ଥାନା ପୁଲିସ ହାବୁଡ଼ରେ କୁଖ୍ୟାତ ସନ୍ତେରା ସମତେ ଏହି ଗ୍ୟାଙ୍ଗ୍ର ୪ ଜଣ ଧରାପଡ଼ିଛନ୍ତି। ସେମାନେ ହେଲେ ଗ୍ୟାଙ୍ଗ୍ ଲିଡର୍ ନୂଆପଲ୍ଲୀ ନୀଳକଣ୍ଠନଗର ଅଞ୍ଚଳରେ ରହୁଥିବା ଢେଙ୍କାନାଳର ସନ୍ତୋଷ କୁମାର ପଣ୍ଡା ଓରଫ୍ ସନ୍ତେରା(୨୬), ରାକେଶ ମୁଖୀ(୨୦), ମଣ୍ଟୁ ନାଏକ(୨୫) ଓ ଖଣ୍ଡଗିରି ଥାନା ମଶାଣି ବସ୍ତିର ପିଣ୍ଟନ ନାୟକ(୨୩)। ପୁଲିସ ସେମାନଙ୍କଠାରୁ ଛୁରି, କଟୁରି, ଖଣ୍ଡା, ଲାଠି ଆଦି ମାରଣାସ୍ତ୍ର ଜବତ କରିଛି।
ପୁଲିସ ସୂଚନା ମୁତାବକ ସନ୍ତେରା ଗ୍ୟାଙ୍ଗ୍କୁ ଧରିବା ପାଇଁ ଗତ କିଛି ଦିନ ହେଲା କମିସନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ୟାଙ୍ଗ୍ ଲିଡର ସନ୍ତେରା ଓ ତା’ର ୫ ସହଯୋଗୀ ୧୬ ନମ୍ବର ଜାତୀୟ ରାଜପଥରେ ସଶସ୍ତ୍ର ଡକାୟତି କରିବାକୁ ସିଆର୍ପିଏଫ୍ କ୍ୟାମ୍ପସ୍ ପାଚେରି ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଏକାଠି ହୋଇଥିଲେ। ଏନେଇ ରାତିରେ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍ ନିକଟରେ ଏକ ବିଶେଷସୂତ୍ରରୁ ଖବର ପହଞ୍ଚିଯାଇଥିଲା। ତେଣୁ ଆଇଆଇସି ବିଶ୍ବରଂଜନ ସାହୁଙ୍କ ନେତୃତ୍ବରେ ତୁରନ୍ତ ଦୁଇଟି ଟିମ୍ ସେଠାରେ ପହଞ୍ଚି ସେମାନଙ୍କୁ ଘେରିଯାଇଥିଲେ। ପୁଲିସ ୪ ଜଣଙ୍କୁ କାବୁ କରିଥିବା ବେଳେ ଜଣେ ଖସିଯିବାରେ ସକ୍ଷମ ହୋଇଥିଲା। ଏହି ଗ୍ୟାଙ୍ଗ୍ର ସଦସ୍ୟମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ପିଣ୍ଟନ ନାମରେ ନୂଆପଲ୍ଲୀ ଥାନାରେ ୨ଟି ମାମଲା ରହିଥିବା ବେଳେ ଖଣ୍ଡଗିରି ଥାନାରେ ଗୋଟିଏ ରହିଛି। ମଣ୍ଟୁ ନାମରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି। କିନ୍ତୁ ମୁଖିଆ ସନ୍ତେରା ନାମରେ ନୂଆପଲ୍ଲୀ ଥାନାରେ ୪ ଓ ତମାଣ୍ଡୋ ଥାନାରେ ଗୋଟିଏ ମାମଲା ରହିଛି। ରାକେଶ ନାମରେ ନୂଆପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଛି।