ବିଚାର

କୁମାର ପୂର୍ଣ୍ଣିମା, ଏହି ଦିନରେ ‘ଚାନ୍ଦପୂଜା’ର ରହିଛି ବିଶେଷ ମହତ୍ତ୍ୱ

ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଗାଁ ଠୁ ନେଇ ସହର ପର୍ଯ୍ୟନ୍ତ ସବୁଠି ବେଶ ଜାକଜକମରେ ପାଳିତ ହେଉଛି କୁମାର ପୂର୍ଣ୍ଣିମା । ଏହି ଦିନର ବିଶେଷତ୍ଵ ହେଉଛି ଆଜିର ଦିନରେ କୁମାର କାର୍ତିକେୟଙ୍କର ଜନ୍ମ ହୋଇଥିଲା । ଆଶ୍ଵିନ ମାସର ପୂର୍ଣ୍ଣିମା ତଥା କାର୍ତ୍ତିକ ମାସ ଆରମ୍ଭରେ ଏହି ପୂଜା ପାଳନ କରାଯାଇଥାଏ । ତେବେ ଏହା କୁମାରୀମାନଙ୍କର ଏକ ବିଶେଷ ପର୍ବ ବୋଲି ମଧ୍ୟ ବିବେଚନା କରାଯାଇଥାଏ ।

ଆଶ୍ଵିନ ମାସ ପୂର୍ଣ୍ଣିମା ଦିନ ବଡ଼ି ଭୋରରୁ ଉଠି କୁମାରୀମାନେ ଶୁଦ୍ଧ ପୂତ ଭାବରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଧାନ ଲଗା ଖଇ ବା ଲିଆକୁ ଅର୍ପଣ କରିଥାନ୍ତି । ସାତ ଆଞ୍ଜୁଳା ଖଇରେ ନଡ଼ିଆ ଗୁଆ କଦଳୀ ଆଖୁ ଜହ୍ନି ଅଦା ଆଦି ଦେଇ ଆଞ୍ଜୁଳା ଟେକିଥାନ୍ତି । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଗାଁରେ କୁମାରୀମାନେ ଆଜି ସକାଳୁ କୁମାର ପୂର୍ଣ୍ଣିମା ପାଳନ କରିଛନ୍ତି । ସକାଳୁ ପୂଜା କରାଯାଇଥିବା ଖଇ ବା ଲିଆକୁ ଛେନା, କଦଳୀ, ନଡ଼ିଆ, ଦହି ଆଦି ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ ।

ଏହାକୁ ସଂଧ୍ୟାରେ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଚଉରା ମୂଳେ ଜହ୍ନି ପତ୍ରରେ ଚନ୍ଦ୍ରର ଆକାର ଦେଇ ଚନ୍ଦ୍ରକୁ ପୂଜା କରାଯାଇଥାଏ । କୁମାର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ ଗୀତ ଗାଇଥାନ୍ତି କୁମାରୀମାନେ । ଠିଆ ପୁଚି ସାଙ୍ଗକୁ ବସିଲା ପୁଚି ମଧ୍ୟ ଖେଳିଥାନ୍ତି । ପୂଜା ସମୟରେ ଚନ୍ଦ୍ର ଦେବତାଙ୍କୁ କାର୍ତିକେୟଙ୍କ ପରି ସୁନ୍ଦର ବର ମାଗିଥାନ୍ତି ।

ଶେଷରେ ପୋଖରୀ କୂଳକୁ ଯାଇ କୁମାରୀମାନେ ଭୋଗକୁ ଅର୍ପଣ କରିବା ପରେ ବଳକା ଭୋଗକୁ ପରସ୍ପର ମଧ୍ୟରେ ଜଣେ ଅନ୍ୟ ଜଣକୁ ଖୁଆଇ ଦେଇ ସାରା ଜୀବନ ନାଁ ଧରା ଧରି ନ ହୋଇ ପରସ୍ପରକୁ ଚାନ୍ଦ ନାମରେ ଉଚ୍ଚାରଣ କରିଥାନ୍ତି । ଗାଁ ଗହଳିରେ ଦେଖା ଯାଉଥିବା ଏହି କୁମାର ପୂର୍ଣ୍ଣିମା ସହରର ଝିଲମିଲ ଆଲୁଅରେ ହଜି ଯାଇଥିଲେ ମଧ୍ୟ ଏବେ ବି ଗାଁ ଗହଳିରେ ତାର ସ୍ଵତନ୍ତ୍ରତା ବଜାୟ ରଖିପାରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button