ମନ୍ତ୍ରୀ ନ କଲେ ଆତ୍ମହତ୍ୟା କରିବି : ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ବ୍ଲାକମେଲ କରି ହୋଇଗଲେ ମନ୍ତ୍ରୀ – Utkal Mail
ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ଜଣେ ପ୍ରଭାବଶାଳୀ ନେତା ଭରତ ଗୋଗାୱାଲେ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି, ଶିବସେନାର ୩ ଜଣ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ କରି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି । ସରକାର ଗଠନ ପୂର୍ବରୁ ସିନ୍ଦେ ସବୁ ବିଧାୟକଙ୍କ ସହ ଅଲଗା ଅଲଗା ଏକ ବନ୍ଦ କୋଠରୀରେ ବୈଠକ କରିଥିଲେ । ଏହି ଅବସରରେ ୩ ବିଧାୟକ ବିଭିନ୍ନ ପ୍ରକାରେ ବ୍ଲାକମେଲ୍ କରି ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ନିଜ ନାମ ସାମିଲ କରିଦେଇଥିଲେ । ସେ ଗୋଗାଓ୍ବଲେ ଉକ୍ତ ବିଧାୟକଙ୍କ ନା ପ୍ରକାଶ କରିନାହାନ୍ତି ।
ସେ କହିଛନ୍ତି ଯେ ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜେ ତାଙ୍କୁ ଏହି ୩ ବିଧାୟକଙ୍କ ବ୍ଲାକମେଲ ସଂପର୍କରେ କହିଥିଲେ । ଶିବସେନାର ଜଣେ ବିଧାୟକ ସିନ୍ଦେଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ତାଙ୍କୁ ମନ୍ତ୍ରୀ କରାନଯାଏ, ତେବେ ତାଙ୍କର ସମଗ୍ର ପରିବାର ଆତ୍ମହତ୍ୟା କରିବେ। ତାଙ୍କର ବଞ୍ଚିବାର କୌଣସି କାରଣ ରହିବ ନାହିଁ । ଶିବସେନାର ଆଉ ଜଣେ ବିଧାୟକ କହିଥିଲେ ଯେ ଯଦି ତାଙ୍କୁ ମନ୍ତ୍ରୀ କରାନଯାଏ, ତେବେ ନାରାୟଣ ରାଣେ ଏବଂ ତାଙ୍କ ପୁଅ ଗୃହ ଜିଲ୍ଲାରେ ତାଙ୍କ ରାଜନୀତି ଶେଷ କରିଦେବେ। ୩ୟ ବିଧାୟକ କହିଥିଲେ, ଯଦି ତାଙ୍କୁ ମନ୍ତ୍ରୀ କରାନଯାଏ ତେବେ ସେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବେ ଓ ଉଦ୍ଧବଙ୍କ ପାଖକୁ ଫେରିଯିବେ । ବିଧାୟକଙ୍କ ଏହି କଥା ଶୁଣିବା ପରେ ସିନ୍ଦେଙ୍କ ଟେନସନ୍ ବଢ଼ିଯାଇଥିଲା।