ରଜନୀକାନ୍ତଙ୍କ ସହ ମିଶି ’ଜେଲର୍’ ସିନେମା ଦେଖିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ – Utkal Mail
ନୂଆଦିଲ୍ଳୀ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତାରେ ପ୍ରଶଂସକଙ୍କୁ ମନ କିଣିଥିବା ଅଭିନେତା ରଜନୀକାନ୍ତ ନିଜର ‘ଜେଲ୍ର’ ଫିଲ୍ମ ପାଇଁ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ରଜନୀକାନ୍ତଙ୍କ ‘ଜେଲର’ ଅଗଷ୍ଟ ୧୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।
ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହେଉଥିବା ବେଳେ ଫିଲ୍ମଟି ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ହଇଚୟ ସୃଷ୍ଟି କରିଛି। ‘ଜେଲର’ ପ୍ରଥମ ଦିନରେ ୪୮.୩୫ କୋଟି ଟଙ୍କା ରୋଜଗାର କରି ସଭିଙ୍କୁ ଚକିତ କରିଦେଇଛି।
ଏବେ ପର୍ଯ୍ୟନ୍ତ ଫିଲ୍ମା ରୋଜଗାର ବନ୍ଦ ହେଉନାହିଁ। ରଜନୀକାନ୍ତଙ୍କ ‘ଜେଲର’ ପାଇଁ ଏତେ ଚାହିଦା ଦେଖାଯାଉଛି ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଫିଲ୍ମ ଦେଖିବାକୁ ଯାଉଛନ୍ତି।
ଶୁଣିବାକୁ ମିଳୁଛି ଯେ ଏହି କାରଣରୁ ନିକଟରେ ରଜନୀକାନ୍ତ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଅଭିନେତା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜେଲର’ ଦେଖିବେ। ଏହା ସହିତ ତାଙ୍କୁ ଫିଲ୍ମର ସଫଳତା ବିଷୟରେ ପଚରାଯାଇଥିଲା, ଯେଉଁଥିରେ ସେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ଏହା ତାଙ୍କର ଅନୁଗ୍ରହ।
ରଜନୀକାନ୍ତ ବର୍ତ୍ତମାନ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ଆଜିକାଲି ସେ ଅଯୋଧ୍ୟାରୁ ନେଇ ମଥୁରା ପର୍ଯ୍ୟନ୍ତ ମନ୍ଦିର ପରିଦର୍ଶନ କରୁଛନ୍ତି। କହିବାକୁ ଗଲେ ଆଜି ମଧ୍ୟ ୭୨ ବର୍ଷୀୟ ରଜନୀକାନ୍ତଙ୍କ ପ୍ରଶଂସକଙ୍କର ଅଭାବ ନାହିଁ। ଏହି ଚଳଚ୍ଚିତ୍ର ପାଇଁ ତାଙ୍କର ଚାହିଦା ଲୋକମାନଙ୍କ ମଧ୍ୟରେ ଦେଖାଯାଉଛି। ଏଥି ସହିତ, ଫିଲ୍ମ ‘ଜେଲର’ ଦ୍ବାରା ଦୁଇ ବର୍ଷ ପରେ ସେ ବଡ଼ ପରଦାକୁ ଫେରିଛନ୍ତି।