ରାଜନୀତି

ପ୍ରଥମ ମହିଳା ଗୁପ୍ତଚର ରାଜମଣି ଓ ନୀରା

ଭାରତର ସ୍ବାଧୀନତା ସଂଗ୍ରାମ ଥିଲା ଖୁବ୍‌ ଦୀର୍ଘ ଓ ଅତ୍ୟନ୍ତ କଷ୍ଟଦାୟକ। ଏ ସଂଗ୍ରାମରେ ଆତ୍ମବଳି ଦେଇଛନ୍ତି ଅସଂଖ୍ୟ ଦେଶପ୍ରେମୀ ସଂଗ୍ରାମୀ। ସେମାନଙ୍କ ମଧ୍ୟରୁ ଅନେକଙ୍କର ନାଁ ମଧ୍ୟ କେଉଁଠି ଉଲ୍ଲେଖ ନାହିଁ। ଆଉ କେତେକ ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ ହୋଇଥିଲେ ବି ସେମାନଙ୍କ କଥା ଅନାଲୋଚିତ ହୋଇ ରହିଯାଇଛି।

ସେମିତିି ଦୁଇଜଣ ସଂଗ୍ରାମୀ ମହିଳା ହେଲେ ରାଜମଣି ଓ ନୀରା- ଦେଶର ପ୍ରଥମ ମହିଳା ଗୁପ୍ତଚର ଭାବେ ଦୁହିଁଙ୍କୁ ବିବେଚନା କରାଯାଏ।

ବ୍ରିଟିସ୍‌ ଛାଉଣୀରେ ଦୁଃସାହସୀ ରାଜମଣି!

୧୮୨୪ରୁ ବ୍ରିଟିସ୍‌ ଉପନିବେଶ ହୋଇଥିବା ବର୍ମାରେ ବସବାସ କରୁଥିଲେ ବ୍ରିଟିସ୍‌-ଇଣ୍ଡିଆରୁ ଉଠିଯାଇଥିବା ଅନେକ ଭାରତୀୟ ପରିବାର। ସେ ଦେଶର ସ୍ବଚ୍ଛଳ ଅର୍ଥନୈତିକ ପରସ୍ଥିତିରୁ ଅଧିକାଂଶ ଭାରତୀୟ ବିପୁଳ ଉପାର୍ଜନ କରି ଧନବାନ୍‌ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲା ରାଜମଣିଙ୍କ ପରିବାର। ସେମାନେ ତାମିଲନାଡୁର ତ୍ରିଚିରୁ ଯାଇ ରେଙ୍ଗୁନ୍‌ରେ ବସବାସ କରୁଥିଲେ। ତାଙ୍କ ବାପା ଥିଲେ ସୁନାଖଣି ମାଲିକ ଓ ଭାରତୀୟ ସ୍ବାଧୀନତା ସଂଗ୍ରାମ ପ୍ରତି ତାଙ୍କର ଥିଲା ଦୃଢ଼ ସମର୍ଥନ। ସେଥିପାଇଁ ସେ ସ୍ବାଧୀନତା ସଂଗ୍ରାମକୁ ଅକୁଣ୍ଠଚିତ୍ତରେ ଆର୍ଥିକ ସହାୟତା ଦେଉଥିଲେ। ବାପ ଗୁଣେ ଝିଅ ନ୍ୟାୟରେ ରାଜମଣିଙ୍କ ରକ୍ତରେ ବି ଥିଲା ଦେଶପ୍ରୀତି।

ଅଳଙ୍କାର ଫେରାଇବାକୁ ଆସିଲେ ନେତାଜୀ
୧୯୪୪ ମସିହା ବେଳକୁ ଭାରତୀୟ ସ୍ବାଧୀନତା ସଂଗ୍ରାମ ଜୋର୍‌ ଧରିଥାଏ। ବିଦ୍ରୋହୀମାନଙ୍କ ସେନା ‘ଆଜାଦ୍‌ ହିନ୍ଦ୍‌ ଫୌଜ’ ବା ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଆର୍ମି’ (ଆଇଏନ୍‌ଏ) ଗଠନ ପାଇଁ ପାଣ୍ଠି ଓ ସ୍ବେଚ୍ଛାସେବୀ ସଂଗ୍ରହ କରିବା ଲାଗି ନେତାଜୀ ବର୍ମା ଆସିଥାଆନ୍ତି। ବ୍ରିଟିସ୍‌ ବିରୋଧରେ ଯୁଦ୍ଧ କରିବା ଲାଗି ବୋଷଙ୍କ ଅଭିଯାନ ଓ ଆହ୍ବାନ ୧୬ ବର୍ଷୀୟା ରାଜମଣିଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତେଣୁ ସେ ତାଙ୍କର ସମସ୍ତ ସୁନା ଓ ହୀରା ଅଳଙ୍କାର ‘ଆଇଏନ୍‌ଏ’କୁ ଦାନ କରିଦେଲେ। ବାପା ତ ଆଇଏନ୍‌ଏକୁ ବିପୁଳ ଅର୍ଥ ଦାନ କରିଛନ୍ତି। ଝିଅ ବୋଧେ ଭାବାବେଗରେ ଅଳଙ୍କାର ଦେଇଛି ଭାବି ସେସବୁ ଫେରସ୍ତ ଦେବା ଲାଗି ନେତାଜୀ ତାଙ୍କ ଘରକୁ ଗଲେ। କିନ୍ତୁ, ସେସବୁ ସେନା ପାଇଁ ବ୍ୟବହାର କରନ୍ତୁ କହି ରାଜମଣି ଅଡ଼ି ବସିଲେ। ବହୁ ଅନୁରୋଧ ପରେ ରାଜମଣି କହିଲେ କି, ତାଙ୍କୁ ଆଇଏନ୍‌ଏରେ ସାମିଲ କଲେ ସେ ଗହଣା ଫେରସ୍ତ ନେବେ।

ରାଜମଣି ହେଲେ ସରସ୍ବତୀ
ବୋଷ ରାଜମଣିଙ୍କ କଥା ରଖିଲେ। ରାଜମଣି ମୌଳିକ ଡାକ୍ତରୀ ତାଲିମ୍‌ ଶେଷ କରିବା ପରେ ନେତାଜୀ ତାଙ୍କୁ ଆଇଏନ୍‌ଏ ଡିସ୍‌ପେନ୍‌ସରିରେ ନର୍ସ ଭାବେ ନିଯୁକ୍ତ କଲେ। ପ୍ରତିବଦ୍ଧତାରେ ମୁଗ୍ଧ ହୋଇ ନେତାଜୀ ତାଙ୍କ ନାଁ ରଖି‌ଥିଲେ ସରସ୍ବତୀ। ସେ‌ଦିନଠାରୁ ସେ ହେଲେ ସରସ୍ବତୀ ରାଜମଣି। ଦିନେ କିଛି ଲୋକ ବ୍ରିଟିସ୍‌ ସୈନିକମାନଙ୍କୁ ଭେଟି ଅର୍ଥ ବିନିମୟରେ ଗୁପ୍ତ ସୂଚନା ଦେଉଥିବା ଦେଖି ରାଜମଣି ଆଚମ୍ବିତ ହୋଇଗଲେ। ଏ କଥା ସେ ରେଙ୍ଗୁନ୍‌ ନଗରୀଠାରୁ ୫ କିଲୋମିଟର୍‌ ଦୂର ବେସ୍‌ କ୍ୟାମ୍ପ୍‌ରେ ଅବସ୍ଥାନ କରୁଥିବା ସୁଭାଷ ଚନ୍ଦ୍ର ବୋଷଙ୍କୁ ଜଣାଇଲେ। ତାଙ୍କ ବିଚକ୍ଷଣତା ଓ ସାମର୍ଥ୍ୟରେ ମୁଗ୍ଧ ହୋଇ ବୋଷ ତାଙ୍କୁ ଆଇଏନ୍‌ଏର ରାଣୀ ଝାନ୍‌ସୀ ରେଜିମେଣ୍ଟ୍‌ରେ ଭର୍ତ୍ତି କଲେ। ସେଠାରେ ସେ କ୍ୟାପ୍‌ଟେନ୍‌ ଲକ୍ଷ୍ମୀ ସେହଗଲ୍‌ଙ୍କ ନେତୃତ୍ବରେ ଅନ୍ୟ ମହିଳା ସ୍ବେଚ୍ଛାସେବୀମାନେ ଗ୍ରହଣ କରୁଥିବା ଯୁଦ୍ଧ ଓ ସେନା ତାଲିମ ଗ୍ରହଣ କଲେ।

ଆଇଏନ୍‌ଏ ଗୁପ୍ତଚର ରାଜମଣି
ସମୟକ୍ରମେ ରାଜମଣି ଆଇଏନ୍‌ଏର ସାମରିକ ଗୁଇନ୍ଦା ଶାଖାରେ ସାମିଲ ହେଲେ। ଆଜାଦ୍‌ ହିନ୍ଦ୍‌ ଫୌଜ ଇମ୍ଫାଲ୍ ଓ କୋହିମାର ଉତ୍ତର-ପୂର୍ବ ଆଡ଼କୁ ଅଗ୍ରସର ହେଉଥିବା ବେଳେ ରାଣୀ ଝାନ୍‌ସୀ ରେଜିମେଣ୍ଟ୍‌କୁ ଉତ୍ତର ବର୍ମାର ମେମିଓକୁ ପଠାଯାଇଥିଲା। ରାଜମଣି ଓ ତାଙ୍କ ସହକର୍ମୀ ଦୁର୍ଗାଙ୍କୁ ବ୍ରିଟିସ୍‌ ସୈନ୍ୟଙ୍କ ଉପରେ ଦୃଷ୍ଟି ରଖିବା ଦାୟିତ୍ବ ଦିଆଯାଇଥିଲା। ରାଜମଣି ଓ ଦୁର୍ଗା ପୁଅଙ୍କ ବେଶଭୂଷାରେ ଭୃତ୍ୟ ଭାବେ ବ୍ରିଟିସ୍‌ ମିଲିଟାରି ବେସ୍‌ରେ ପ୍ରବେଶ କଲେ। ସେଠାରେ ଲୁଗାକଚା, ଜୋତା ପଲିସ ଓ ଘରର ଛୋଟମୋଟ କାମ କରିବା ସହ ବ୍ରିଟିସ୍‌ ସେନାର ଗୁପ୍ତ ତଥ୍ୟ ଯୋଗାଡ଼ କରି ‘ଏଏନ୍‌ଆଇ’କୁ ଜଣାଉଥିଲେ। ପ୍ରାୟ ବର୍ଷେ କାଳ ଦୁହେଁ ଗୁପ୍ତତଥ୍ୟ ଯୋଗାଡ଼ କରି ପଠାଉଥିଲେ ଏବଂ ତାହା ନେତାଜୀଙ୍କ ପାଖକୁ ଯାଉଥିଲା।

ଛଦ୍ମବେଶ‌ରେ ବନ୍ଦନୀ ଦୁର୍ଗାଙ୍କୁ ମୁକୁଳାଇଲେ
ଦିନେ ଦୁର୍ଗା ବ୍ରିଟିସ୍‌ ସୈନ୍ୟଙ୍କ ହାତରେ ଧରାପଡ଼ି ଜେଲ୍‌ ଗଲେ। ତାଙ୍କୁ ଉଦ୍ଧାର କରିବା ଲାଗି ତହିଁଆର ଦିନ ରାଜମଣି ବର୍ମା ନର୍ତ୍ତକୀ ବେଶରେ ଜେଲ୍‌ ଭିତରେ ଥିବା ବ୍ରିଟିସ୍‌ ସେନା ଛାଉଣୀରେ ପ୍ରବେଶ କଲେ। କୌଶଳକ୍ରମେ ପହରା ଦାୟିତ୍ବରେ ଥିବା ବ୍ରିଟିସ୍‌ ଅଧିକାରୀମାନଙ୍କୁ ସେ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ନିଶାଦ୍ରବ୍ୟ ଖୁଆଇ ଦୁର୍ଗାଙ୍କୁ ଉଦ୍ଧାର କଲେ। କିନ୍ତୁ, ଜେଲ୍‌ରୁ ଖସି ପଳାଇ ଆସିବା ବେଳେ ବାହାରେ ଥିବା ବ୍ରିଟିସ୍‌ ପହରାଦାର ଗୁଳି ଚଳାଇଲେ। ଗୁଳି ରାଜମଣିଙ୍କ ଗୋଡ଼ରେ ବାଜିଲା। ସେ ଆଉ ଦୌଡ଼ି ନ ପାରିଲେ ବି କୌଣସି ମତେ ସେଠାରୁ ଖସି ପଳାଇ ଆସିଥିଲେ। ତା’ପରେ ଦୁହେଁ ଗୋଟାଏ ଗଛ ଚଢ଼ି ତା’ରି ଉପରେ ଦୁଇଦିନ ବିତାଇଲେ। ବ୍ରିଟିସ୍‌ ପୁଲିସ ସେମାନଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ଏହାପରେ ଦୁହେଁ ଅପୂର୍ବ ସାହସିକତାରେ ସହ ୮ ଘଣ୍ଟା ବସ୍‌ ଯାତ୍ରା କରି ଆଇଏନ୍‌ଏ ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଲେ।

ଛୋଟୀ ହୋଇଗଲେ ରାଜମଣି
ଆହତ ରାଜମଣି ବାକି ଜୀବନ ଛୋଟୀ ହୋଇରହିଲେ। ତାଙ୍କ ସାହସିକତାକୁ ପ୍ରଶଂସା କରି ଲେଖିଥିବା ଚିଠିରେ ନେତାଜୀ ତାଙ୍କୁ ‘ପ୍ରଥମ ଭାରତୀୟ ମହିଳା ଗୁପ୍ତଚର’ ବୋଲି ଅଭିହିତ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆଇଏନ୍‌ଏ ଭାଙ୍ଗିଯିବାରୁ ତାଙ୍କ କାର୍ଯ୍ୟର ଅବସାନ ଘଟିଲା। ରାଜମଣିଙ୍କ ପରିବାର ମଧ୍ୟ ସୁନାଖଣି ସମେତ ସମସ୍ତ ସମ୍ପତ୍ତି ତ୍ୟାଗ କରି ଭାରତ ଫେରି‌ଆସିଲେ। ୨୦୦୫ରେ ଗଣମାଧ୍ୟମରୁ ଜଣାପଡ଼ିଥିଲା କି ରାଜମଣି ଚେନ୍ନାଇରେ ରହୁଛନ୍ତି ଓ ସ୍ବାଧୀନତା ସଂଗ୍ରାମୀ ଭତ୍ତା ପାଇ ଚଳୁଛନ୍ତି। ଜାନୁଆରି ୧, ୧୯୨୭ରେ ବର୍ମାର ୟାଙ୍ଗୁନ୍‌ରେ ଜନ୍ମିତା ରାଜମଣିଙ୍କର ୨୦୧୮ ଜାନୁଆରି ୩୧ ତାରିଖରେ ୯୧ ବର୍ଷ ବୟସରେ ଚେନ୍ନାଇରେ ଦେହାନ୍ତ ହୋଇଥିଲା।

ଦେଶ ପାଇଁ ସ୍ବାମୀ ହତ୍ୟାକାରିଣୀ ନୀରା

 

ନେତାଜୀଙ୍କ ନେତୃତ୍ବରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ନୀରା ଆର୍ଯ୍ୟ। ଆଜାଦ୍‌ ହିନ୍ଦ୍‌ ଫୌଜ୍‌ର ପ୍ରଥମ ମହିଳା ଗୁପ୍ତଚର ଭାବେ ବିଦିତ ନୀରା ଉତ୍ତର ପ୍ରଦେଶର ବାଗପତ ଅନ୍ତର୍ଗତ ଖେରାନଗରରେ ୧୯୦୨ ମାର୍ଚ ୫ ତାରିଖରେ ଭୂମିଷ୍ଠ ହୋଇଥିଲେ। ବ୍ୟବସାୟୀ ପିତା ସେଠ୍‌ ଛଜ୍ଜୁମଲ୍‌ ନିଶ୍ଚିତ କରିଥିଲେ ‌କି, ଝିଅ ନୀରା ଓ ପୁଅ ବସନ୍ତ କୋଲ୍‌କାତାରେ ଶିକ୍ଷା ଲାଭ କରିବେ। ତାହା ହିଁ ହେଇଥିଲା।

ସଂଗ୍ରାମୀ କନ୍ୟାକୁ ବ୍ରିଟିସ୍‌ ଅଫିସର ବର
ଶୈଶବକାଳରୁ ନୀରା ଥିଲେ ଜାତୀୟ ସ୍ବାଧୀନତା ସଂଗ୍ରାମ ଓ ଦେଶ କଲ୍ୟାଣ ପ୍ରତି ଆଗ୍ରହୀ। କେତେଗୁଡ଼ିଏ ଆନ୍ଦୋଳନରେ ବି ଭାଗ ନେଇଥିଲେ। ତେଣୁ, ସ୍କୁଲ୍‌ ଶିକ୍ଷା ଶେଷ କରି ଜଣେ ସୈନିକ ଭାବେ ସେ ଆଇଏନ୍‌ଏର ‘ରାଣୀ ଝାନ୍‌ସୀ ରେଜିମେଣ୍ଟ୍‌’ରେ ଯୋଗଦେଲେ। ଏଥର ଛଜ୍ଜୁମଲ୍‌ ଝିଅ ନୀରା ଲାଗି ଉପଯୁକ୍ତ ବରପାତ୍ର ବାଛିଲେ। ସେ ଥିଲେ ବ୍ରିଟିସ୍‌ ଆର୍ମି ଅଫିସର୍‌ ଶ୍ରୀକାନ୍ତ ଜୟରଞ୍ଜନ ଦାସ। ସେତେବେଳେ ଶ୍ରୀକାନ୍ତ ସିଆଇଡି ଇନ୍‌ସ୍‌ପେକ୍ଟର୍‌ ଭାବେ ନିଯୁକ୍ତି ପାଇଥାଆନ୍ତି। ସ୍ବାମୀ ବିଦେଶୀ ସରକାରର ଚାକିରିଆ ଓ ସ୍ତ୍ରୀ ସ୍ବାଧୀନତା ସଂଗ୍ରାମୀ ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ପଡ଼ିଲା ନାହିଁ। ବିବାହ ପରେ ନୀରା ଆଇଏନ୍‌ଏ ଛାଡ଼ି ଦେଇଥିଲେ। କିନ୍ତୁ, ନୀରା ନେତାଜୀଙ୍କ ସହିତ ସମ୍ପୃକ୍ତ ଥିବା କଥା ଜାଣିବା ପରେ ଶ୍ରୀକାନ୍ତ ତାଙ୍କୁ ନେତାଜୀଙ୍କ ଅବସ୍ଥିତି ବିଷୟରେ ଜାଣିବା ଲାଗି ପଚରାଉଚରା କଲେ।

ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ
ସ୍ତ୍ରୀ ମାଧ୍ୟମରେ ନେତାଜୀଙ୍କ ସନ୍ଧାନ ନେଇ ତାଙ୍କୁ ହତ୍ୟା କରିବା ଦାୟିତ୍ବ ଶ୍ରୀକାନ୍ତଙ୍କୁ ଦେଇଥିଲା ବ୍ରିଟିସ୍‌ ସରକାର। ନୀରା କିନ୍ତୁ, ତାଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଉ ନ ଥିଲେ। ଦିନେ ଜରୁରୀ ପ୍ରସଙ୍ଗ ଆଲୋଚନା କରିବା ଲାଗି ନୀରା ନେତାଜୀଙ୍କୁ ଭେଟିବାକୁ ଯାଇଥିଲେ। ଏଣେ ଶ୍ରୀକାନ୍ତ ତାଙ୍କର ଅନୁଧାବନ କରି ସେଠାରେ ପହଞ୍ଚି ବୋଷଙ୍କ ଗାଡ଼ି ଚାଳକଙ୍କ ଉପରକୁ ଗୁଳି ଚଳାଇଲେ। ଏହାପରେ କ’ଣ ଘଟିବ ଅନୁମାନ କରି ନୀରା ବନ୍ଧୁକରେ ଭୁସି ଶ୍ରୀକାନ୍ତଙ୍କୁ ହତ୍ୟା କଲେ। ବୋଷଙ୍କ ଜୀବନ ରକ୍ଷା ହେଲା। ପରିଣାମସ୍ବରୂପ ବ୍ରିଟିସ୍‌ ସରକାର ନୀରାଙ୍କୁ ଆଣ୍ଡାମାନ-ନିକୋବର ଜେଲ୍‌ ବା କଳାପାଣି ଦଣ୍ଡାଦେଶ ଦେଲା। ବନ୍ଦିନୀ ନୀରାଙ୍କ ମନରୁ କିନ୍ତୁ, ଜାତୀୟତାବାଦ ଭାବ ଗଲାନାହିଁ।

ନେତାଜୀଙ୍କ ସୂଚନା ଦେଲେ ଜାମିନ
ନେତାଜୀଙ୍କ ସମ୍ବନ୍ଧରେ ସୂଚନା ଦେଲେ ଜାମିନ ମିଳିବ ବୋଲି ନୀରାଙ୍କୁ ଜେଲ୍‌ରେ ପ୍ରଲୋଭନ ଦେଖାଗଲା। ମାତ୍ର ନୀରା କୌଣସି ସୂଚନା ଦେଲେନାହିଁ। ଓଲଟି ଜଣେ ଜେଲ୍‌ କର୍ମଚାରୀଙ୍କ ମୁହଁକୁ ଛେପ ପକାଇଲେ। ଏସବୁ ପରେ ନୀରାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା। ସମସ୍ତ ପ୍ରତିଘାତ ସହ୍ୟ କରି ଦେଶ ପ୍ରତି ବିଶ୍ବସ୍ତ ରହିଥିବା ନୀରା ଥିଲେ ଆଜାଦ୍‌ ହିନ୍ଦ୍‌ ଫୌଜର ପ୍ରଥମ ମହିଳା ଗୁପ୍ତଚର। ଏକଦା ସ୍ବୟଂ ନେତାଜୀ ତାଙ୍କୁ ଏ ଆଖ୍ୟା ଦେଇଥିଲେ।

ନୀରାଙ୍କ ଲେଖାରେ ରାଜମଣି
ଥରେ ଗୋଟାଏ ଲେଖାରେ ନୀରା ଲେଖିଥିଲେ, ମୋ ସହିତ ବର୍ମାର ସରସ୍ବତୀ ରାଜମଣି ନାମରେ ଜଣେ ଝିଅ ଥିଲା। ସେ ମୋଠାରୁ ସାନ। ବ୍ରିଟିସ୍‌ ଅଫିସର୍‌ଙ୍କ ଉପରେ ଗୁପ୍ତତଥ୍ୟ ଯୋଗାଡ଼ କରିବା ଦାୟିତ୍ବ ଆମ ଉପରେ ନ୍ୟସ୍ତ ଥିଲା। ଆମେ ପୁଅଙ୍କ ପରି ବେଶପୋଷାକ ସାଜି ବ୍ରିଟିସ୍‌ ଅଫିସର୍‌ ଓ ସେନା ଛାଉଣୀରେ ଗୁପ୍ତଚରଗିରି କରୁଥିଲୁ। ସେଠାରୁ ସଂଗ୍ରହ କରୁଥିବା ସୂଚନା ଆମେ ନେତାଜୀଙ୍କୁ ଜଣାଉଥିଲୁ। ଦେଶ ସ୍ବାଧୀନ ହେବା ପରେ ନୀରା ଜେଲ୍‌ରୁ ମୁକ୍ତ ହୋଇଥିଲେ। କୁହାଯାଏ ଜୀବନର ଶେଷ କେଇଦିନ ଫୁଲ ବିକ୍ରୟ କରି ଗୁଜୁରାଣ ମେଣ୍ଟାଉଥିବା ମୀରା ଫଲକନୁମା ଅଞ୍ଚଳରେ ଗୋଟାଏ କୁଡ଼ିଆରେ ରହୁଥିଲେ। ହାଇଦ୍ରାବାଦ ଅନ୍ତର୍ଗତ ଚାର୍‌ମୀନାର ନିକଟ ଓସ୍‌ମାନିଆ ହସ୍ପିଟାଲ୍‌ରେ ୧୯୯୮ ଜୁଲାଇ ୨୬ ତାରିଖରେ ନୀରାଙ୍କର ଦେହାନ୍ତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button