କ୍ରାଇମ

ବନ୍ଧାହେଲେ କୁଖ୍ୟାତ ସାଗର, ପ୍ରଶାନ୍ତ; କଟୁରି ଚୋଟରେ ଲୁଟୁଥିଲେ – Utkal Mail


ଭୁବନେଶ୍ବର/ବାଲିଅନ୍ତା: ରାଜଧାନୀ ଓ ଉପକଣ୍ଠ‌ ଅଞ୍ଚଳରେ ନିଛାଟିଆ ରାସ୍ତାରେ ଛକି ରହି ଲୁଟ୍‌ପାଟ୍‌ କରୁଥିବା ଦୁଇ କୁଖ୍ୟାତ୍ ଲୁଟେରାଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୁଲିସ। ବାଲିଅନ୍ତା, ବାଲିପାଟଣାରୁ ଆରମ୍ଭ କରି ଚନ୍ଦକା ଓ ପାହାଳ ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିବା ଏହି ୨ ଲୁଟେରା ହେଲେ ବାଲିଅନ୍ତା ଥାନା ଅଧୀନ ସରକଣା ଗ୍ରାମର ସାଗର ଭୋଇ(୨୩) ଏବଂ ନିକଟସ୍ଥ ଦଣ୍ଡିଲୋ ଗ୍ରାମର ପ୍ରଶାନ୍ତ ଭୋଇ(୨୯)। ପୁଲିସ ସେମାନଙ୍କଠାରୁ କଟୁରି, ବାଇକ୍‌ ଜବତ କରିଛି। ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ପୁଲିସ ସୂଚନାନୁସାରେ ଗତ ୧୫ ତାରିଖ ଦିନ ସନ୍ଧ୍ୟାରେ ଚନ୍ଦକା-ଅନ୍ଧାରୁଆ ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ସାଗର ଓ ପ୍ରଶାନ୍ତ ଦୁଇଟି ଛିନ୍‌ତାଇ ଘଟଣା‌ ଘଟାଇଥିଲେ। ବାଇକ୍‌ରେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କଟୁରିରେ ଆକ୍ରମଣ କରି ଲୁଟ୍‌ କରିଥିଲେ। କଟୁରି ଚୋଟରେ ରକ୍ତାକ୍ତ କରି ମୋବାଇଲ୍‌ ଫୋନ୍‌ ଓ ପର୍ସ ଛଡ଼ାଇ ନେଇଥିଲେ। ଏନେଇ ଚନ୍ଦକା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ମାମଲାକୁ ଗୁରୁତ୍ବର ସହ ନେଇଥିଲା କମିସନରେଟ୍‌ ପୁଲିସ। ଲୁଟ୍‌ପାଟ୍‌ ତରିକାରୁ ଏହା ସାଗର ଓ ପ୍ରଶାନ୍ତର କାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହି ଦୁଇ ଲୁଟେରା ବାଲିପାଟଣା, ବାଲିଅନ୍ତା ଅଞ୍ଚଳରେ ନିଛାଟିଆ ରାସ୍ତାରେ ଛକି ରହି ଫାଇନାନ୍‌ସ କର୍ମଚାରୀଙ୍କୁ କଟୁରିରେ ହାଣି ଲୁଟୁଥିଲେ। ତେଣୁ ଚନ୍ଦକା ଥାନା ପୁଲିସ ବାଲିଅନ୍ତା ଥାନା ପୁଲିସ ସହଯୋଗରେ ସେମାନଙ୍କୁ ପିଛା କରିଥିଲା। ଗତକାଲି ସେମାନେ ଗାଁରେ ଥିବା ଖବର ପାଇ ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରି ସେମାନଙ୍କୁ ଉଠାଇଥିଲା। ଉଭୟ ସାଗର ଓ ପ୍ରଶାନ୍ତ ନାମରେ ବାଲିଅନ୍ତା, ବାଲିପାଟଣା, ଚନ୍ଦକା, ପାହାଳ ଓ ବଡ଼ଗଡ଼ ଆଦି ଥାନାରେ ୧୩ରୁ ଅଧିକ ମାମଲା ଥିବା ଜଣାପଡ଼ିଛି।




Related Articles

Leave a Reply

Your email address will not be published. Required fields are marked *

Back to top button