ଓଡିଶା

ରାଜ୍ୟରେ ଅଗ୍ନିବର୍ଷା; ହିଟ୍ ୱେବ୍ ପାଇଁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା । ତାତିରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା । ଏପ୍ରିଲ୍ ପହିଲାରୁ ତ ଏମିତି ଆଗକୁ ଆହୁରି ଅଣାୟତ କରିବ ଖରା ବୋଲି ସତର୍କ କରିଛି ପାଣିପାଗ ବିଭାଗ। ଖରା ସାଙ୍ଗେ ଭିଷଣ ଗୁଳୁଗୁଳି, ଯେମିତି ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ବିଭିନ୍ନ ଜିଲ୍ଲାରେ ହିଟ୍ ୱେବ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝରରେ ହିଟ୍ ୱେବ୍ ନେଇ ୟଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ରେ ଉଷ୍ମ ରାତି ଅନୁଭୂତ ହେବ।
ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୨ ଡିଗ୍ରୀ ଓ ହିଟ୍ ୱେବ୍ ଜିଲ୍ଲାରେ ୪୦ ରୁ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ଝାଞ୍ଜି ପବନ ପ୍ରବାହିତ ହେବ । ଆସନ୍ତା ୬ ତାରିଖ ଯାଏଁ ଏଭଳି ପାଗ ବଳବତ୍ତର ରହିବ। ୭ ତାରିଖରୁ ପାଗରେ ପରିବର୍ତ୍ତନ ହେବା ନେଇ ଆକଳନ ହେଉଛି। ଖରାକୁ ଦେଖି ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ୍। ସକାଳ ୭ଟାରୁ ୧୧.୩୦ ହେଉଛି କ୍ଲାସ୍।ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ଖରା ଦାଉରୁ କିଭଳି ରକ୍ଷା ପାଇବା ତଥା ଅଂଶୁଘାତ ମୁକାବିଲା ନେଇ ଶ୍ରେଣୀଗୃହରେ ସଚେତନ କରାଯାଉଛି । ସ୍କୁଲରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ମହଜୁଦ ରଖିବା ସହ ଓଆରଏସ ରଖିବାକୁ ନିର୍ଦ୍ଦେଶ ହୋଇଛି। ସେହିଭଳି ପ୍ରବଳ ଖରା ଓ ହିଟ୍ ୱେବ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ ସଜାଗ ସ୍ୱାସ୍ଥ୍ୟ ବିଭାଗ। ପ୍ରତି ଜିଲ୍ଲା ହସ୍ପିଟାଲରେ ୬ଟି ଲେଖାଏଁ ବେଡ୍ ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରରେ ୨ଟି ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଲେଖାଏଁ ବେଡ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି । ଯେଉଁଥିରେ ଏସି କିମ୍ବା ୱାଟର କୁଲାରର ବ୍ୟବସ୍ଥା ରହିବ। ପର୍ଯ୍ୟାପ୍ତ ପରିମାଣର ପାଣି, ଓଆର୍ ଏସ ରହିବ । ସବୁ
ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ଅଂଶୁଘାତ ମୁକାବିଲା ପାଇଁ ଯାହା ଆବଶ୍ୟକ ଔଷଧ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖନ୍ତୁ। ଡାକ୍ତରମାନେ ୨୪ ଘଣ୍ଟା କିଭଳି ରୋଟେସନ୍ ଡ୍ୟୁଟି କରିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଡାକ୍ତରମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ପ୍ରତିଦିନ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତଗତ ହେଉଛି। ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ କୌଣସି କେଶ ଆସିନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି। ଆସନ୍ତା ସପ୍ତାହରୁ ପାଗ ବଦଳିପାରେ। ୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ । ୮ରୁ ବଢ଼ିପାରେ ବର୍ଷା, ଫଳରେ ତାତିରେ ବ୍ରେକ ଲାଗିପାରେ ବୋଲି ଆକଲନ ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button