ରାଜନୀତି

ରାଜ୍ୟସଭାରେ ସମ୍ବିଧାନ ବିତର୍କ: ରାହୁଲଙ୍କୁ ଟାର୍ଗେଟ୍‌ କଲେ ଶାହ

ନୂଆଦିଲ୍ଲୀ: ରାଜ୍ୟସଭାରେ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶାହ କହିଛନ୍ତି ଯେ, ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସରଣ କରି, ଲୋକଙ୍କ ମତାମତ ନେବା ପରେ ଭାରତର ସମ୍ବିଧାନ ଗ୍ରହଣ କରାଯାଇଥିଲା ଏବଂ କଂଗ୍ରେସ ଏହାକୁ ବାରମ୍ବାର ବିକୃତ କରିଛି। ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତାମାନେ ପକେଟ୍‌ରେ ‘ଖାଲି ସମ୍ବିଧାନ’ ଧରି ବୁଲୁଥିଲେ ଯାହା ଏକ ବଡ଼ ଜାଲିଆତି ବୋଲି ଶାହ କହିଛନ୍ତି।

ଶାହ କହିଛନ୍ତି, ସଂସଦରେ ସମ୍ବିଧାନ ଉପରେ ବିତର୍କ ଭବିଷ୍ୟତ ପିଢ଼ି ଓ ଦେଶର ଲୋକଙ୍କ ପାଇଁ ଏକ ଶିକ୍ଷାଗତ ବିତର୍କରେ ପରିଣତ ହୋଇଛି। କେଉଁ ଦଳ ସମ୍ବିଧାନକୁ ସମ୍ମାନ ଦେଇଛି ଏବଂ କେଉଁ ଦଳ ଦେଇନାହିଁ ତାହା ଏଥିରେ ପ୍ରକାଶ ପାଇଛି। ଜଣେ ସଦସ୍ୟ ଉଲ୍ଲେଖ କରିଛନ୍ତି ଯେ ଆମେ ସମ୍ବିଧାନରେ ଥିବା ଚିତ୍ର ଉପରେ ଆଲୋଚନା କରୁଥିବା ବେଳେ ସଂସଦରେ ଆଲୋଚନାର ସ୍ତର ହ୍ରାସ ପାଇଛି। ଏହି ଚିତ୍ରଗୁଡ଼ିକ ଆମର ଯାତ୍ରାକୁ ସୂଚାଇଥାଏ। ଯେଉଁମାନେ ସବୁକିଛିକୁ ପାଶ୍ଚାତ୍ୟ ଦୃଷ୍ଟିକୋଣରୁ ଦେଖୁଛନ୍ତି ସେମାନେ ଆମ ସମ୍ବିଧାନର ଭାରତୀୟତା ଦେଖିପାରୁନାହାନ୍ତି। ଲୋକମାନେ ଜାଣିପାରିଥିଲେ ଯେ ଆପଣ (କଂଗ୍ରେସ ନେତାମାନେ) ଏକ ନକଲି, ଖାଲି ସମ୍ବିଧାନ ରଖିଛନ୍ତି, ଯେଉଁଥିପାଇଁ ଆପଣ ନିକଟରେ ହୋଇଥିବା ନିର୍ବାଚନରେ ହାରିଯାଇଛନ୍ତି। ଆମେ ଅନ୍ୟମାନଙ୍କଠାରୁ ଭଲ ଜିନିଷ ଗ୍ରହଣ କରିଛୁ, କିନ୍ତୁ ଆମ ପରମ୍ପରା ସହ କେବେ ବି ବୁଝାମଣା କରିନାହୁଁ। ପରିବର୍ତ୍ତନ ହେଉଛି ଜୀବନର ସତ୍ୟ ଓ ମନ୍ତ୍ର। ଏହା ଏପରି ଏକ ଜିନିଷ ଯାହାକୁ ସମ୍ବିଧାନ ନିର୍ମାତାମାନେ ମଧ୍ୟ ଅନୁଭବ କରିଥିଲେ ଏବଂ ଏଥିପାଇଁ ବ୍ୟବସ୍ଥା କରିଥିଲେ। କଂଗ୍ରେସ ୭୭ ଥର ସମ୍ବିଧାନ ସଂଶୋଧନ କରିଥିବା ବେଳେ ବିଜେପି ମାତ୍ର ୨୨ ଥର ସଂଶୋଧନ କରିଛି।

ଗୋଟିଏ ଦିନରେ ଦୁଇଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଯେତେବେଳେ ସେମାନେ (ବିରୋଧୀ) ମହାରାଷ୍ଟ୍ରରେ ନିର୍ବାଚନ ହାରିଲେ, ସେମାନେ କହିଥିଲେ ଯେ ଇଭିଏମ୍ ତ୍ରୁଟିପୂର୍ଣ୍ଣ ଥିଲା ଏବଂ ଯେତେବେଳେ ସେମାନେ ଝାଡ଼ଖଣ୍ଡରେ ନିର୍ବାଚନ ଜିତିଥିଲେ, ସେମାନେ ଭଲ ପୋଷାକ ପିନ୍ଧି ଶପଥ ନେଇଥିଲେ। କିଛି ଲଜ୍ଜା ରଖ… ଲୋକମାନେ ଦେଖୁଛନ୍ତି ବୋଲି ଶାହ କହିଥିଲେ। ଆମେ ଏକ ନୂତନ ଶିକ୍ଷାନୀତି ଆଣିଥିଲୁ, ଯାହାକୁ କମ୍ୟୁନିଷ୍ଟ ଦଳମାନେ ମଧ୍ୟ ବିରୋଧ କରି ନ ଥିଲେ। ଆମେ ୩ଟି ଆପରାଧିକ ନ୍ୟାୟ ଆଇନ ଆଣିଥିଲୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଇନ ଆଣି ଆପରାଧିକ ନ୍ୟାୟ ବ୍ୟବସ୍ଥାର ଭାରତୀୟକରଣ କରିଛନ୍ତି। ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ଯଦି କେହି କାମ କରିଛନ୍ତି, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ବୋଲି ଶାହ କହିଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button