ବ୍ୟବସାୟ

କାନାଡ଼ାକୁ ଭାରତୀୟଙ୍କ ଅବଦାନ ୩ ଲକ୍ଷ କୋଟି: ପଞ୍ଜାବୀ ଛାତ୍ରଛାତ୍ରୀ ଖର୍ଚ୍ଚ କରୁଛନ୍ତି ୬୮,୦୦୦ କୋଟି – Utkal Mail


ନୂଆଦିଲ୍ଲୀ: ଭାରତ ଓ କାନାଡ଼ା ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଏକ ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆସିଛି। କାନାଡ଼ା ଅର୍ଥନୀତିରେ ଭାରତୀୟମାନଙ୍କ ବଡ଼‌ ଯୋଗଦାନ ରହିଛି। ସେଠାରେ ବାସ କରୁଥିବା ପ୍ରାୟ ୨୦ ଲକ୍ଷ ଭାରତୀୟଙ୍କ କାନାଡ଼ା ଜିଡିପି ପ୍ରତି ୩ ଲକ୍ଷ କୋଟି ଟଙ୍କାର ଅବଦାନ ରହିଛି। କାନାଡ଼ାରେ ୩ ଲକ୍ଷ ୪୦ ହଜାର ପଞ୍ଜାବୀ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି। ସେମାନେ ବର୍ଷକୁ ୬୮ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୨୦୨୨ରେ କାନାଡ଼ା ସରକାର ୨,୨୬,୪୫୦ ଭିସା ମଞ୍ଜୁର କରିଥିଲେ। ସେଥିରୁ ୧ ଲକ୍ଷ ୩୬ ହଜାର ଭିସା ପଞ୍ଜାବୀ ଛାତ୍ରଛାତ୍ରୀଙ୍କୁ ମିଳିଥିଲା। ଏହି ଛାତ୍ରଛାତ୍ରୀମାନେ ଦୁଇ ତିନି ବର୍ଷିଆ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ଛାତ୍ରଛାତ୍ରୀମାନେ ବାର୍ଷିକ ଫି’ ବାବଦରେ ୧୦ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟ କରୁଛନ୍ତି।

କାନାଡ଼ା ଯାଉଥିବା ଭାରତୀୟଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ପଞ୍ଜାବୀ। ପାଠପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଇବାରେ ସହାୟତା ପ୍ରଦାନ କରୁଥିବା କନ୍‌ସଲ୍‌ଟାନ୍ସି ସଂସ୍ଥା ଅନୁସାରେ ୨୦୦୮ ବେଳକୁ ବା‌ର୍ଷିକ ୩୮ ହଜାର ପଞ୍ଜାବୀ ଛାତ୍ରଛାତ୍ରୀ ପାଠପଢ଼ିବାକୁ କାନାଡ଼ା ଯାଉଥିଲେ। ମାତ୍ର ଇତି ମଧ୍ୟରେ ସେଥିରେ ବହୁଗୁଣା ବୃଦ୍ଧି ଘଟିଛି। ପ୍ରତି ଛାତ୍ର କିମ୍ବା ଛାତ୍ରୀ ପିଛା ଅଭିଭାବକମାନେ ବାର୍ଷିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହି ଆଧାରରେ ହିସାବ କଲେ ପ୍ରତିବର୍ଷ କେବଳ ପଞ୍ଜାବରୁ କାନାଡ଼ାକୁ ୬୮ ହଜାର କୋଟି ଟଙ୍କା ଯାଉଛି। ୨୦୨୨ରେ କାନାଡ଼ା ଜନସଂଖ୍ୟାରେ ଭାରତୀୟଙ୍କ ଭାଗ ଥିଲା ୧୯ ପ୍ରତିଶତ। ସେଠାରେ ପାଠପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ। ସେଠାକାର ମୋଟ ଜନସଂଖ୍ୟାରେ ସେମାନଙ୍କ ଅବଦାନ ହେଉଛି ୨.୧ ପ୍ରତିଶତ। ୨୦୧୩ ପରେ କାନାଡ଼ାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟାରେ ତିନି ଗୁଣା ବୃଦ୍ଧି ଘଟିଛି। ସର୍ବାଧିକ ଭାରତୀୟ ଟରଣ୍ଟୋ, ଓଟାୱା, ୱାଟରଲୁ ଓ ବ୍ରେମ୍ପଟନ୍‌ ସହରରେ ବସବାସ କରୁଛନ୍ତି। କାନାଡ଼ାରେ ୱିପ୍ରୋ, ଇନ୍‌ଫୋସିସ୍ ଓ ଟିସିଏସ୍‌ ଭଳି ୩୦ ଭାରତୀୟ କଂପାନି ନିବେଶ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button