ଓଡିଶା

ଶୁଖିଲା ପଡିଛି ଚିରସ୍ରୋତା ମହାନଦୀ, ମହାନଦୀ ଉପରେ ନିର୍ଭର କରି ଚଳୁଥିବା ଲୋକେ ଏବେ ଚିନ୍ତାରେ

ପୁଣ୍ୟତୋୟା ଚିରସ୍ରୋତା ମହାନଦୀ । ସମଗ୍ର ଉତ୍କଳର ଜୀବନ ରେଖା ଭାବେ ବେଶ ପରିଚିତ । କିନ୍ତୁ ମହାନଦୀ ଉପରେ ନିର୍ଭର କରି ଚଳୁଥିବା ଲୋକେ ଏବେ ଚିନ୍ତାରେ । କାରଣ ଶୁଖିଲା ପଡିଛି ମହାନଦୀ । ମରିଯାଇଛି ମହାନଦୀର ଚିରସ୍ରୋତା ଜଳଧାର । କିଏ ମାଛ ଧରି ନିଜର ପରିବାରର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଆଉ କିଏ ମହାନଦୀ କୂଳରେ ଥିବା ମେଗା ଜଳସେଚନ ପ୍ରକଳ୍ପ ହେଉ କିମ୍ୱା ଲିପ୍ଟ ପଏଂଟ ମାଧ୍ୟମରେ ପାଣି ନେଇ ଚାଷ କାର୍ଯ୍ୟ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ସେଥିରୁ ଯାହା ମିଳେ ପରିବାର ସୁରୁଖୁରୁରେ ଚଳିଯାଏ ।

ଏବେ ମହାନଦୀ ଶୁଖିଯାଇଥିବାରୁ କୂଳରେ ଥିବା ଉଠାଜଳସେଚନ ପଏଂଟ ଅଚଳ ପଡିଛି । ଯାହାଫଳରେ ଚାଷ କାର୍ଯ୍ୟ ହୋଇପାରୁନାହିଁ । ଶହ ଶହ ଏକର ଚାଷଜମି ପଡିଆ ପଡିଥିବା ବେଳେ ମସ୍ୟଜୀବିମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପାଣି କମିଯିବାରୁ ମହାନଦୀରେ ମାଛ ମିଳୁ ନାହାନ୍ତି । କମପାଣି ଥିବାରୁ ସ୍ଥାନେ ସ୍ଥାନେ ଲୋକେ ବିଷଦେଇ ମାଛ ମାରିଦେଉଥିବାରୁ ମାଛମାନଙ୍କର ବଂଶ ମଧ୍ୟ ଲୋପ ପାଇବାରେ ଲାଗିଛି । ଆଗପରି ମହାନଦୀରେ ଆଉ ମାଛ ମିଳୁ ନଥିବାରୁ ଚିନ୍ତାରେ ମସ୍ୟଜିବୀ ।

ଏନେଇ ବିଭାଗୀୟ ଅଧିକାରିଙ୍କୁ ଲିଖିତଭାବେ ଜଣାଇ ଥିଲେ ସୁଦ୍ଧା ଫଳ ଶୂନ । ମହାନଦୀ ଉପରେ ନିର୍ଭରକରି ଚଳିଆସୁଥିବା ଏଠିକାର ଲୋକେ ଖରାଦିନ ଚାରିମାସ କିପରି ଜୀବନ ଜୀବିକା ନିର୍ବାହ କରି ପରିବାର ଚଳାଇବେ ସେନେଇ ଚିନ୍ତାରେ । ଖାସ କରି ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ପାଖା ପାଖି ୧୦୦ କିଲୋମିଟର ଧରି ପ୍ରବାହିତ ହେଉଥିବା ବେଳେ ଏଠାରେ ପ୍ରାୟ ୭୦ରୁ ଉର୍ଦ୍ଧ ଗାଁ ରହିଛି । ପାହାଡ ସଦୃଶ ପଥର, ସ୍ଥିର ନୀଳ ଜଳରାଶି, ବିସ୍ଥିର୍ଣ୍ଣ ସରୁବାଲିରେ ଭରପୁର ଥିବା ମହାନଦୀ ଆଜି ଜିର୍ଣ୍ଣଶିର୍ଣ୍ଣ ଅବସ୍ଥାରେ ରହିଛି ।

ଚଳିତ ବର୍ଷ ମହାନଦୀର ପାଣି କ୍ରମଶଃ କମି କମି ଯାଉଛି । ପ୍ରଦ୍ୟୁସିତ ହେଉଛି ମହାନଦୀର ନୀଳ ଜଳରାଶି । ଯେଉଁଥିପାଇଁ ପ୍ରଭାବିତ ହେଉଛି ଲୋକଙ୍କ ଜୀବନ ଜୀବିକା । ଯେଉଁ ମହାନଦୀରେ ଫେବୃୟାରୀ ମାସରେ ୮ରୁ ୧୦ ଫୁଟ ପାଣି ପ୍ରବାହିତ ହେଉଥିଲା ସେହି ମହାନଦୀରେ ଏବେ ଲୋକେ ପାରହୋଇ ଯିବା ଆସିବା କରୁଛନ୍ତି । କେବଳ ଗୋଟିଏ ଧାରରେ ୨ରୁ ୩ଫୁଟ ପାଣି ପ୍ରବାହିତ ହେଉଥିବାବେଳେ ଯୁଆଡେ ଦେଖବ ବାଲି ଆଉ ପଥର । ଆଗକୁ ଖରାଦିନ ଆସୁଛି । ତେଣୁ ମରୁଭୂମି ପାଲଟିଥିବା ଚିସ୍ରୋତା ମହାନଦୀରେ ଛୋଟ ଛୋଟ ଚେକଡ୍ୟାମ ନିର୍ମାଣ କରବାକୁ ଦାବୀ କରିଛନ୍ତି ଏଠିକାର ଲୋକେ ।

ସେପଟେ ଆଗକୁ ଖରାଦିନ ଆସୁଥିବାରୁ ଖରାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଜରୁରୀକାଳୀନ ସଭା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଖରାଦିନରେ ଅତି ଆବଶ୍ୟକ ଜିନିଷ ମହଜୁଦ ରଖିବାପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଫେବୃଆରୀ ମାସରୁ ଖରାର ତାତି ଲୋକଙ୍କୁ କଲବଲ କରୁଥିବା ବେଳେ ସୁବର୍ଣ୍ଣପୁରରେ ବହୁଥିବା ଶୁଖିଲା ମହାନଦୀର ଉପତ୍ୟକାରେ ବସତି ସ୍ଥାପନ କରିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button